ଗୁଣପୁର,୧୨/୦୯: ସମ୍ପୂର୍ଣ୍ଣ ନିଶାମୁକ୍ତ ହେବାରେ ଲାଗିଛି ଆଦିମ ଜନଜାତି ଲାଞ୍ଜିଆ ସୌରା ଅଞ୍ଚଳ । ୭ ପଞ୍ଚାୟତରେ ଲଗାଯାଇଛି କଡ଼ା କଟକଣା । ଏମିତିକି ଦୋକାନ, ବଜାରରେ ନିଶାଦ୍ରବ୍ୟ ବିକ୍ରି ଉପରେ ରୋକ୍ ଲଗାଯାଇଛି । ପ୍ରତି ଗାଁ ଉପରେ ନଜର ରଖିଛି ମହିଳା ମଣ୍ଡଳୀ। ସମସ୍ତେ ବି ଏହାକୁ ଶତପ୍ରତିଶତ ମାନୁଛନ୍ତି । ବିରଳ ଜନଜାତି ଲାଞ୍ଜିଆମାନେ ବସବାସ କରୁଥିବା ବ୍ଲକ୍ର ୭ଟି ପଞ୍ଚାୟତ ଏକପ୍ରକାର ନିଶାମୁକ୍ତ ହୋଇସାରିଛି । ସେମାନଙ୍କ ଏଭଳି ପଦକ୍ଷେପ ଅନ୍ୟମାନଙ୍କ ଆଖି ଖୋଲି ଦେଇଛି ।
ପାହାଡ଼ ପାଦଦେଶ ଏବଂ ଡଙ୍ଗରରେ ରହୁଛନ୍ତି ଏହି ଲାଞ୍ଜିଆମାନେ । ଆବଡା ପଞ୍ଚାୟତରେ ୪୧୭, ଶଗଡାରେ ୮୮୪, ପୁଟାସିଂରେ ୧୩୫୪, ଜଲତାର୍ରେ ୧୦୨୨, ଟଲଣାରେ ୯୮୬, ଚିନାସାରିରେ ୧୨୯୦ ଏବଂ କୁଲୁସିଂ ପଞ୍ଚାୟତରେ ୧୨୫୩ ପରିବାର ବସବାସ କରୁଛନ୍ତି । ଏସବୁ ପଞ୍ଚାୟତରେ ରିତିମତ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହାର ନେତୃତ୍ୱ ନେଇଛି ମହିଳା ମଣ୍ଡଳୀ । ଏବେ ନା ଦେଖିବାକୁ ମିଳୁଛି ନିଶାଦ୍ରବ୍ୟ ନା କେହି ଏହାକୁ ସେବନ କରୁଛନ୍ତି । ଯଦି କେହି କେବେ ଏହାର ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଭଲମନ୍ଦରେ ଗାଁ ଲୋକେ ଅସହଯୋଗ କରିବା ଭଳି ଦଣ୍ଡ ଦେଉଛନ୍ତି ।
ଡଙ୍ଗର ପାହାଡ ଘେରା ଏହି ୭ଟି ପଞ୍ଚାୟତରେ ବସବାସ କରୁଥିବା ୮ ହଜାର ପରିବାର ଦୂରେଇ ଯାଇଛନ୍ତି ନିଶାସେବନରୁ । ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ସହରର ଚାକଚକ୍ୟତାଠାରୁ ଏମାନେ ବହୁ ଦୂରରେ । ତଥାପି ଏମାନଙ୍କ ଏଭଳି ନିଆରା ଉଦ୍ୟମ ଚର୍ଚ୍ଚିତ କରିଛି ଛୋଟ ଛୋଟ ଲାଞ୍ଜିଆ ଗାଁଗୁଡିକୁ । ନିଶାମୁକ୍ତ ଅଞ୍ଚଳ ଭାବେ ସେମାନଙ୍କ ଅଞ୍ଚଳ ପାଇଛି ସ୍ୱତନ୍ତ୍ର ପରିଚିତି । ସଚେତନ ହେବାପରେ ନା ଏଠାରେ କେହି ନିଶାଦ୍ରବ୍ୟ ଖାଉଛନ୍ତି ନା କୌଣସି ଦୋକାନରେ ଏହା ବିକ୍ରି ହେଉଛି । ଦୋକାନଗୁଡିକରେ ମାଳ ମାଳ ଚକୋଲେଟ୍, କେକ୍, ବିସ୍କୁଟ୍ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମାଳ ଲମ୍ବିଥିବା ବେଳେ ନିଶାଦ୍ରବ୍ୟ ଦେଖିବାକୁ ମିଳୁନି ।
ପୁଟାସିଂ ଓ ଟଲଣା ଅଞ୍ଚଳରେ ରହୁଥିବା ଦୋକାନୀ ଓ ଲୋକେ କହିଛନ୍ତି, ସେମାନେ ଏହାଠାରୁ ଦୂରେଇ ଯାଇଛନ୍ତି । କୌଣସି ଦୋକାନରେ ପାନମସଲା, ଗୁଟ୍ଖା, ସିଗାରେଟ୍ ଓ ବିଡି ଭଳି ନିଶା ସାମଗ୍ରୀ ବିକ୍ରି ହେଉନି । ପୂର୍ବରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନଯାକର ହାଡଭଙ୍ଗା ପରିଶ୍ରମ ଓ କ୍ଲାନ୍ତ ମେଣ୍ଟାଇବା ପାଇଁ ଖଜୁରୀ ଏବଂ ସଲପ ଗଛର ସଂଗୃହିତ ରସକୁ ଲାଞ୍ଜିଆମାନେ ସେବନ କରୁଥିଲେ । ଏହାଦ୍ୱାରା କ୍ଳାନ୍ତ ସିନା ମେଣ୍ଟୁଥିଲା, ଦେହ ଅସୁସ୍ଥ ରହୁଥିଲା । ଅନେକ ରୋଗାକ୍ରାନ୍ତ ହୋଇ ଆର୍ଥିକ ଅନଟନରେ ରହୁଥିଲେ । ଏବେ ସେମାନେ ନିଜ ଭୁଲ୍ ବୁଝି ପାରିଛନ୍ତି । ନିଶାର କରାଳପଞ୍ଝାରୁ ମୁକ୍ତି ପାଇଛନ୍ତି । ନିଶା ସେବନ ଆଦିବାସୀମାନଙ୍କ ପରାମ୍ପରା କୁହାଯାଉଥିଲେ ହେଁ, ଏହାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛନ୍ତି ଲାଞ୍ଜିଆ ସୌରାମାନେ ।
ଚିନ୍ନାସାରି ସରପଞ୍ଚ ରାଜେଶ ଶବର କହିଛନ୍ତି, ଆଗରୁ ନିଶାସେବନ କରି ବହୁ ପରିବାର ଉଜୁଡି ଯାଇଛି । ଏହାକୁ ଆଖିରେ ରଖି ଏଭଳି ଚରମ ପଦକ୍ଷେପ ନିଆଯାଇଛି । ଅବମାନନା କଲେ ବାହାଘର ଏବଂ କନ୍ୟା ଦେଖା ଇତ୍ୟାଦି ଶୁଭକାର୍ଯ୍ୟରେ ଅସହଯୋଗ ଲାଗି ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମାଥ୍ୟୁ ଦଳବେହେରା କହିଛନ୍ତି, ସେମାନଙ୍କ ଅଞ୍ଚଳରେ ନିଶାଦ୍ରବ୍ୟ ଉପରେ କଡା କଟକଣା ଜାରି କରାଯାଇଛି । ଗାଁ ଗାଁରେ ଥିବା ମହିଳା ମଣ୍ଡଳୀ ଏହା ଉପରେ କଡା ନଜର ରଖିଛନ୍ତି । ଲାଞ୍ଜିଆ ସୌରା ନେତା ଇନାନ ଶବର କହିଛନ୍ତି, କଟକଣା ଜାରି କରାଯିବା ପରେ ଗାଁରୁ ଅଶାନ୍ତି, ଦୁର୍ଘଟଣା ଏବଂ ଅପରାଧ କମିଛି । ନିୟମକୁ ସେମାନେ ସମସ୍ତେ ମାନୁଛନ୍ତି ।
ପୂର୍ବତନ ସରପଞ୍ଚ ପରମ ଶବର କହିଛନ୍ତି, ତାଙ୍କ ଅଞ୍ଚଳର ଯୁବପିଢ଼ି ବାହାରକୁ ଗଲେ ବି ନିଶାଠାରୁ ଦୂରେଇ ରହିବାକୁ ସଚେତନ କରାଯାଉଛି । ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଅସୀମା ରାଓ କହିଛନ୍ତି, ଉପରୋକ୍ତ ୭ଟି ପଞ୍ଚାୟତକୁ ଆମେ ନିଶାମୁକ୍ତ ଅଞ୍ଚଳ କହିପାରିବା । ସଭ୍ୟ ଶିକ୍ଷିତ ସମାଜରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ଲାଞ୍ଜିଆ ସୌରାଙ୍କ ଏଭଳି ନିଆରା ଜୀବନଶୈଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ।