ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ କମିଶନଙ୍କୁ ଚକମା: ବଦଳି ପରେ ଗାଦି ଛାଡୁନାହାନ୍ତି, ନିୟମ ଭାଙ୍ଗିବାରେ ପୁଲିସ୍‌ ଆଗରେ

ଭୁବନେଶ୍ୱର,୦୧/୦୪: ଯେଉଁ ଅଧିକାରୀ ଗୋଟିଏ ସ୍ଥାନରେ ତିନିବର୍ଷରୁ ଅଧିକ ସମୟ ଥିବେ ୨୦୨୪ ଜାନୁଆରୀ ୩୧ ସୁଦ୍ଧା ସେମାନଙ୍କର ବଦଳି କରିବାକୁ ନିର୍ବାଚନ କମିଶନର କଡ଼ା ନିର୍ଦ୍ଦେଶ ଦେଲେ ।  କିନ୍ତୁ କିଛି ଅଧିକାରୀ ନିର୍ଦ୍ଦେଶ ପାଳନ ନ କରି କମିଶନଙ୍କୁ ଚକମା ଦେଖାଇ ଦେଲେ । କାଗଜପତ୍ରରେ ଷ୍ଟେସନ୍‌  ଛାଡିଲେ..., ହେଲେ ଗାଦି ହଟିଲା ନାହିଁ । ଯେଉଁଠି  ଥିଲେ ସେଇଛି ଅଛନ୍ତି । ଏବେ ବି ସେମାନେ ଗାଦି ମାଡ଼ି ବସିଛନ୍ତି । ଏଥିରେ ପୁଲିସ୍‌, ଭୁବନେଶ୍ୱର ମହାନଗର  ନିଗମ (ବିଏମ୍‌ସି), କଟକ ମହାନଗର ନିଗମ  (ସିଏମ୍‌ସି) ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ର ମାଳ ମାଳ ଅଫିସର ଅଛନ୍ତି । କମିଶନଙ୍କ ନିୟମ  ଭାଙ୍ଗିବାରେ ପୁଲିସ ଅଧିକାରୀମାନେ ଆଗରେ ରହିଛନ୍ତି । 

ନିର୍ବାଚନ କମିଶନଙ୍କୁ କିପରି ଚକ୍‌ମା ଦିଆଯାଇଛି  ଆସନ୍ତୁ ଜାଣିବା । ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ  ପ୍ରଥମେ ସିଡିଏକୁ ବଦଳି ହୋଇଥିଲା । ହେଲେ ସେ ଯୋଗଦେଇ ନ ଥିଲେ । କିଛି ବରିଷ୍ଠ ଅଧିକାରୀଙ୍କୁ ଧରି ଓଡ଼ିଶା ଖଣି ନିଗମରେ ଯୋଗଦେଲେ । ହେଲେ  ଏବେ ସେଠାରେ ସେ ନ ବସି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଓଏସ୍‌ଡି ଭାବେ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠିଛି । ଶୁଣାଯାଉଛି ଯେ ନିର୍ବାଚନ ପରେ ସେ ପୁଣି ବିଡିଏକୁ ଫେରିବେ ।  .

କଟକର କିଛି ପୁଲିସ୍‌ ଅଧିକାରୀଙ୍କ ମୁଖ୍ୟାଳୟକୁ  ବଦଳି ହୋଇଛି । ଭୁବନେଶ୍ୱରର କିଛି ଅଧିକାରୀଙ୍କ  ବଦଳି ହୋଇଛି । ହେଲେ ସେମାନେ କମିଶନରେଟ୍‌  ପୁଲିସ୍‌ ମୁଖ୍ୟାଳୟ ଛାଡ଼ିବାକୁ ନାରାଜ । ଏହିସବୁ  ଅଧିକାରୀଙ୍କ ବିରୋଧରେ ବିଜେପି ନିକଟରେ ନିର୍ବାଚନ  କମିଶନରଙ୍କୁ ଫେରାଦ ହୋଇଥିଲା । ଅନ୍ୟ କିଛି ପୁଲିସ ଅଧିକାରୀଙ୍କ ବଦଳି ସ୍ଥାନ  ବି ହାସ୍ୟାସ୍ପଦ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ  ମୋଡ଼ି ଦେବାକୁ ଉଦ୍ଦିଷ୍ଟ । କିଏ ଥାନା ଛାଡ଼ି ୧୦୦ ମିଟର ଦୂରରେ ଥିବା କ୍ରାଇମ୍‌ବ୍ରାଞ୍ଚ ଅଫିସ ଗଲା ତ  ପୁଣି କିଏ ୧ କିମି ଦୂରରେ ଥିବା ସ୍ପେଶାଲ୍‌ବ୍ରାଞ୍ଚରେ ବସି ପଡ଼ିଲା । ଆଉ କିଛି ଓଏଏସ୍‌ ଅଧିକାରୀ ତ ତଳ  ମହଲାରୁ ଉପର ମହଲାକୁ ବଦଳି ହେଲେ । ଏମାନଙ୍କ ଚେର ପାତାଳକୁ ଲମ୍ବିଛି ଯେ, ସେଥିପାଇଁ ଟୁଇନ୍‌ ସିଟି  ଛାଡି଼ଲେ ଅନ୍ୟ କେଉଁଠି ବଦଳି ହୋଇନାହିଁ । ଆଉ  ଯେଉଁମାନେ ଧରାଧରି କରିପାରିଲେ ନାହିଁ ବିଚରା  ଭୁବନେଶ୍ୱର ଛାଡି ୧୦୦/୨୦୦ କିଲୋମିଟର ଦୂରକୁ  ଗଲେ ।  

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅଧିକାରୀଙ୍କ  ଯେତେବେଳେ ଭୁବନେଶ୍ୱର-କଟକକୁ ବଦଳି ହୁଏ  ପ୍ରଥମେ ସେମାନେ ଆସିବାକୁ ରାଜି ହୁଅନ୍ତି ନାହଁ ।  ହେଲେ ଏଠାରେ ପହଞ୍ଚିଲା ପରେ ସେମାନଙ୍କ  ପାଟିରେ କି ମହୁ ଲାଗେ କେଜାଣି, ଯିବା କଥା  କହିଲେ ଯେମିତି ସବୁ ରୋଗ ମାଡ଼ି ବସେ ।  ଏଠାରୁ ନ ଯିବାକୁ ବିଭିନ୍ନ ବାହାନା ଦେଖାନ୍ତି । 

ଯଦି ଆମେ ପୁଲିସ୍‌ କଥା ଦେଖିବା, ନିର୍ବାଚନ  କମିଶନଙ୍କ ନିୟମ ଅନୁଯାୟୀ କୌଣସି ଅଧିକାରୀ  ପୁଲିସ୍‌ ଜିଲ୍ଲାରେ ୩ ବର୍ଷରୁ ଅଧିକ ସମୟ ଥିବେ କିମ୍ବା  ପୂର୍ବ ସାଧାରଣ ନିର୍ବାଚନରେ ସେହି ସ୍ଥାନରେ କାର୍ଯ୍ୟ  କରିଥିବେ ତା’ହେଲେ ବଦଳି ବାଧ୍ୟତାମୂଳକ । କିନ୍ତୁ  ଭୁବନେଶ୍ୱର-କଟକରେ ରହୁଥିବା ଅଧିକାରୀଙ୍କ ନାମକୁ  ମାତ୍ର ବଦଳି ହୁଏ । କାହାକୁ କଟକରୁ ଭୁବନେଶ୍ୱର ତ  ଆଉ କାହାକୁ ଭୁବନେଶ୍ୱର ବିଭିନ୍ନ ଅଫିସ୍‌ ଯେମିତି  ସ୍ପେଶାଲ୍‌ ବ୍ରାଞ୍ଚ, ଏସ୍‌ଆଇଡବ୍ଲ୍ୟୁ, କ୍ରାଇମ୍‌ବ୍ରାଞ୍ଚ ଏବଂ  ବିପିଏସ୍‌ପିଏ ଭଳି ସ୍ଥାନକୁ । ନିର୍ବାଚନକୁ ଦୃଷ୍ଟିରେ  ରଖି ଏହି ଅଧିକାରୀମାନେ ଧରାଧରି କରି ଏଠି  ସେଠି ଗେଞ୍ଜି ହୋଇ ରହିଯାଉଛନ୍ତି । ଯେମିତି ନିର୍ବାଚନ  ଗାଇଡ୍‌ଲାଇନ୍‌ ସରୁଛି ପୁଣି କମିଶନରେଟ୍‌ ଫେରିବାକୁ  ସମସ୍ତ ଶକ୍ତି ଲଗାଇ ଦେଉଛନ୍ତି । ଏହି ଅଧିକାରୀମାନଙ୍କ  ମୂଳ ଲକ୍ଷ୍ୟ ଯାହା ହୋଇଯାଉ ପଛେ ଆମେ କଟକଭୁବନେଶ୍ୱରରେ ହିଁ ରହିବୁ । 

ଏହି ଅଧିକାରୀମାନଙ୍କ ସଂଖ୍ୟା ୫୦ରୁ ଅଧିକ  ହେବ । ଗତ ୧୨ ବର୍ଷ ହେବ ଏମାନଙ୍କର କଟକ ଓ  ଭୁବନେଶ୍ୱର ଛଡ଼ା ଅନ୍ୟ କେଉଁଠି ବଦଳି ହୋଇନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.