ନୂଆଦିଲ୍ଲୀ ୦୨/୦୪: ଆସନ୍ତା ୫ ତାରିଖରେ ଜନ୍ମଦିନ ପାଳନ କରିବେ ‘ଆନିମଲ୍’ ଗର୍ଲ ରଶ୍ମିକା ମନ୍ଦନା । ଏଥର ଜନ୍ମଦିନ ତାଙ୍କ ପାଇଁ ଖାସ୍ ହେବ । କାରଣ ଏ ଅବସରରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଗର୍ଲଫ୍ରେଣ୍ଡ୍’ର ଟିଜର୍ ରିଲିଜ୍ ହେବ । ଏହାକୁ ଚାତକ ପରି ଚାହିଁ ରହିଛନ୍ତି ରଶ୍ମିକା । ଖାସ୍ କଥା ହେଉଛି ରଶ୍ମିକା ଫିଲ୍ମର ଟିଜର୍କୁ ୫ ଭାଷା- ତାମିଲ, ହିନ୍ଦୀ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡ଼ ଭାଷାରେ ଡବ୍ କରିଛନ୍ତି । ଏ ବିଷୟରେ ଫିଲ୍ମର ନିର୍ଦ୍ଦେଶକ ରାହୁଲ ରବିନ୍ଦ୍ରନ୍ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସ୍ପଷ୍ଟ କରିଛନ୍ତି ।
ରଶ୍ମିକା ଅଦ୍ୟାବଧି ମାଲାୟାଲମ୍ ଭାଷାରେ ଆଦୌ କାମ କରିନଥିଲେ । ‘ଦ ଗର୍ଲଫ୍ରେଣ୍ଡ୍’ ପାଇଁ ସେ ପ୍ରଥମ ଥର ଏହି ପ୍ରୟାସ କରିଛନ୍ତି । ମୁଖ୍ୟ କଳାକାର ଭାବେ ରଶ୍ମିକା ଏକାକୀ ‘ଦ ଗର୍ଲଫ୍ରେଣ୍ଡ୍’ର ମଙ୍ଗ ସମ୍ଭାଳିବେ । ଗତ ବର୍ଷ ସେ ଫିଲ୍ମ ବିଷୟରେ ଘୋଷଣା କରି ସୋସିଆଲ ମିଡିଆରେ ଲେଖିଥିଲେ ‘ସୁନ୍ଦର ପ୍ରେମ କାହାଣୀରେ ଏ ବିଶ୍ୱ ପରିପୂର୍ଣ୍ଣ । କିନ୍ତୁ କିଛି ପ୍ରେମ କାହାଣୀକୁ କେହି ଦେଖିନାହାନ୍ତି କିମ୍ବା ତା’ ବିଷୟରେ ଶୁଣିନାହାନ୍ତି । ସେଥିମଧ୍ୟରେ ‘ଦ ଗର୍ଲଫ୍ରେଣ୍ଡ୍’ ଅନ୍ୟତମ ।’ ଫିଲ୍ମର କିଛି ଦୃଶ୍ୟ ମଧ୍ୟ ସେ ଶେୟାର କରିଥିଲେ । ଗୋଟିଏ ଦୃଶ୍ୟରେ ରଶ୍ମିକା ପାଣିରେ ବୁଡ଼ି ଯାଉଥିବା ଦେଖିବାକୁ ମିଳିଥିଲା । ଖୁବ୍ଶୀଘ୍ର ଆକ୍ସନ୍-ଡ୍ରାମା ଫିଲ୍ମ ‘ପୁଷ୍ପା୨’ରେ ଅଲ୍ଲୁ ଅର୍ଜୁନଙ୍କ ସହ ନଜର ଆସିବେ ରଶ୍ମିକା । ଭିକି କୌଶଲଙ୍କ ଅପୋଜିଟ୍ରେ ‘ଛାଭା’ରେ ମଧ୍ୟ ସ୍କ୍ରିନ୍ ଶେୟାର କରିବେ ।