ନୂଆଦିଲ୍ଲୀ ୨୮/୦୩: ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କ୍ୟାମରନଙ୍କ ଫିଲ୍ମ ‘ଟାଇଟାନିକ୍’ ରିଲିଜ୍ର ୨୬ ବର୍ଷ ପରେ ବି ଲୋକଙ୍କ ହୃଦୟରେ ସତେଜ ରହିଛି । ୧୯୯୭ ମସିହାରେ ମୁକ୍ତିପ୍ରାପ୍ତ ଏହି ଫିଲ୍ମରେ ଜ୍ୟାକ୍ ଡାସନ୍ ଭୂମିକା ନିର୍ବାହ କରିଥିଲେ ଲିଓନାର୍ଡୋ ଡିକାପ୍ରିୟୋ । ରୋଜ୍ ଡାସନ୍ ଭୂମିକା ନିର୍ବାହ କରିଥିଲେ କେଟ୍ ୱିନ୍ସଲେଟ୍ । ଫିଲ୍ମର ଶେଷରେ ଟାଇଟାନିକ୍ ଜାହାଜ ବୁଡ଼ିଯିବା ପରେ ରୋଜ୍ ଏକ କାଠ କବାଟ ସାହାଯ୍ୟରେ ନିଜ ଜୀବନ ବଞ୍ଚାଇଥିଲେ ।
ଫିଲ୍ମରେ ବ୍ୟବହୃତ ଏହି କବାଟର ନିଲାମ ହୋଇଛି, ଯାହା ୭୧୮,୭୫୦ ଡଲାର ଅର୍ଥାତ୍ ପ୍ରାୟ ୫.୯୮ କୋଟିରେ ବିକ୍ରି ହୋଇଛି । ଏହି ସିନ୍ରେ କେଟ୍ ପିନ୍ଧିଥିବା ସିଫନ୍ ଡ୍ରେସ୍ ୧.୦୪ କୋଟିରେ ନିଲାମ ହୋଇଛି ।ରିପୋର୍ଟ ଅନୁସାରେ, ନିଲାମି ସମୟରେ ଅନେକଙ୍କ ଧାରଣା ଥିଲା, କବାଟଟି ଏକ ପ୍ୟାନେଲ୍ । କିନ୍ତୁ ହେରିଟେଜ୍ ଅକ୍ସନ୍ସ ଟ୍ରେଜର୍ସ ସୂଚନା ଦେଇଛି, ଏହା ବାସ୍ତବ ଟାଇଟାନିକ୍ର ଫାର୍ଷ୍ଟ କ୍ଲାସ୍ ଲାଉଞ୍ଜ୍ ଏଣ୍ଟ୍ରାନ୍ସ ଗେଟ୍ର ଠିକ୍ ଉପରେ ଥିବା ଡୋର ଫ୍ରେମ୍ର ଅଂଶ । ଏହି ନିଲାମିରୁ ହେରିଟେଜ୍ ଅକ୍ସନ୍ସ ମୋଟ୍ ୧୩୧ କୋଟି ଟଙ୍କା ସଂଗ୍ରହ କରିଛି । ସୂଚନାଯୋଗ୍ୟ, ୧୯୯୮ ମସିହାରେ ଅନୁଷ୍ଠିତ ଅସ୍କାର ଆୱାର୍ଡସ୍ରେ ‘ଟାଇଟାନିକ୍’ ଫିଲ୍ମ ୧୪ ନୋମିନେସନ୍ରୁ ମୋଟ୍ ୧୧ ପୁରସ୍କାର ହାସଲ କରିଥିଲା ।