ଡେରାଡୁନ୍, ୨।୯: ଭାରତରେ ପ୍ରତ୍ୟେକ ପର୍ବପର୍ବାଣୀର ବିଶେଷ ମହତ୍ତ୍ୱ ରହିଛି । ହୋଲି, ଦୀପାବଳି କି ରାକ୍ଷୀ ପୂର୍ଣ୍ଣିମା ପ୍ରତ୍ୟେକ ପର୍ବାପର୍ବାଣୀକୁ ଦେଶବାସୀ ବେଶ୍ ଧୁମଧାମ୍ରେ ପାଳନ କରନ୍ତି । କିଛି ଦିନ ତଳେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ମନାଇଥିଲେ ସାରା ଭାରତବାସୀ । ଏହି ଦିନ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ମଙ୍ଗଳ କାମନା କରିଥାଏ ଭଉଣୀ । ଭାଇ ମଧ୍ୟ ଭଉଣୀକୁ ସାରା ଜୀବନ ସୁରକ୍ଷୀ ଦେବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥାଏ । ତେବେ ପ୍ରତି ପର୍ବପର୍ବାଣିର ଧାର୍ମିକସ୍ଥଳର ସଂଯୋଗ ରହିଥିବା ବେଳେ ରାକ୍ଷୀ ପୂର୍ଣ୍ଣିମାକୁ ନେଇ ରହିଛି ଏକ ରୋଚକ ତଥ୍ୟ । ଭାରତରେ ଏମିତି ଏକ ମନ୍ଦିର ରହିଛି, ଯାହା କେବଳ ରକ୍ଷା ବନ୍ଧନରେ ହିଁ ଖୋଲେ ।
ଉତ୍ତରାଖଣ୍ଡର ଚମେଲି ଜିଲ୍ଲାରେ ଏହି ମନ୍ଦିର ଅବସ୍ଥିତ । ମନ୍ଦିରଟି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଥିବାରୁ ଏହାର ନାମ ବଂଶୀନାରାୟଣ ମନ୍ଦିର । ଏହି ମନ୍ଦିରରେ ଭଗବାନ ଶିବ, ଗଣେଶ ଏବଂ ବନଦେବୀଙ୍କ ମୂର୍ତ୍ତି ରହିଛି । ତେବେ ବର୍ଷସାରା ମନ୍ଦିର ବନ୍ଦ ରହୁଥିବା ବେଳେ କେବଳ ରକ୍ଷା ବନ୍ଧନ ଦିନ ହିଁ ଏହା ଖୋଲାଯାଇଥାଏ । ରକ୍ଷା ବନ୍ଧନ ଦିନ ସ୍ଥାନୀୟ ଲୋକ ମନ୍ଦିରକୁ ସଫାସୁତୁରା କରିଥାନ୍ତି ଏବଂ ପରେ ଏଠାରେ ପୂଜାର୍ଚ୍ଚନା ହୋଇଥାଏ । ଏଥିସହ ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରନ୍ତି । ମହିଳାମାନେ ଭଗବାନ ବିଷ୍ଣୁଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ପୁରାଣନୁସାରେ, ଏହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କୁ ବାମନ ଅବତାରରୁ ମୁକ୍ତି ମିଳିଥିଲା । ମନ୍ଦିର ନିକଟକୁ ଆସି ଏଠାରେ ଲୋକେ ପ୍ରସାଦ ପ୍ରସ୍ତୁତ କରନ୍ତି । ଏଥିପାଇଁ ଲୋକେ ନିଜ ନିଜ ଘରୁ ଲହୁଣୀ ଆଣିଥାନ୍ତି । ମିଳିମିଶି ପ୍ରସାଦ ପ୍ରସ୍ତୁତ କରନ୍ତି ଓ ପରେ ଏହାକୁ ଭଗବାନ ବିଷ୍ଣୁଙ୍କ ପାଖେ ଲାଗି କରନ୍ତି ।