ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ

ଭୁବନେଶ୍ୱର,୧୧/୦୬: ମୌସୁମୀ ଆଣ୍ଠେଇଛି । ଆଗକୁ ବଢ଼ୁନି । ଏପଟେ ନିଆଁ ମାଡ଼ ଆହୁରି ବିସ୍ଫୋରକ ରୂପ ନେଉଛି । ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି ।  ପୂର୍ବାନୁମାନ କହୁଛି, ଏ ସ୍ଥିତିରୁ ଏବେ ନିସ୍ତାର ନାହିଁ । ରଜ ବି ଜଳିବ ହୁତ୍‌ହୁତ୍‌ ତାତିରେ । ପହିଲି ରଜରେ ତାତିରୁ ନିସ୍ତାର ଆଶା କମ୍‌ । ୧୫ରୁ ପାଗ ବଦଳିବ, ବର୍ଷା ଆରମ୍ଭ ହୋଇପାରେ । ୧୫ ତାରିଖ ପୂର୍ବରୁ ମୌସୁମୀ ବର୍ଷା ସମ୍ଭାବନା କମ୍‌ ।

ନୂଆପଡ଼ା ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ଛୁଇଁଥିଲା ସୋମବାର । ବୌଦ୍ଧ ୪୨.୮, ପାରଳାଖେମୁଣ୍ଡି ୪୨.୪, ବଲାଙ୍ଗୀର ୪୨.୨, ବାରିପଦା ୪୨ । ଆଉ ୧୦ ସହରରେ ପାରଦ ୪୧ କିମ୍ବା ତା’ଠାରୁ ଅଧିକ । ଉପକୂଳ ଓଡ଼ିଶା ତାତି ୪୦ ଡିଗ୍ରୀ ଛୁଇଁଥିବାବେଳେ ଭୟଙ୍କର ସ୍ଥିତି କଲାଣି ଗୁଳୁଗୁଳି ପ୍ରକୋପ । ନା ବାହାରେ ରହି ହେଉଛି ନା ଘରେ ସହି ହେଉଛି । ରାତିରେ ବି ବାତବାରଣ ଥଣ୍ଡା ପଡ଼ୁନି । ପ୍ରାୟତଃ ରାତି ତାପମାତ୍ରା ୨୮-୨୯ ଡିଗ୍ରୀ ପାଖାପାଖି ରହୁଛି । 

ସରକାରଙ୍କ ତଥ୍ୟ ମୁତାବକ, ଗତ ୭୨ ଘଣ୍ଟାରେ ୮ଜଣ ଅଂଶୁଘାତରେ ଜୀବନ ହରାଇଥିବା ଅଭିଯୋଗ ହୋଇଛି । ଗତ ୫ ତାରିଖ ସୁଦ୍ଧା ୧୫୧ଜଣଙ୍କ ଜୀବନ ଅଂଶୁଘାତ ନେଇଥିବା ଅଭିଯୋଗ ହୋଇଥିଲା । ଏବେ ସୁଦ୍ଧା ମୋଟ ୧୫୯ଜଣଙ୍କ ପ୍ରାଣ ଅଂଶୁଘାତରେ ଯାଇଥିବା ଅଭିଯୋଗ ପହଞ୍ଚିଛି । ଏଥିରୁ ୪୧ଜଣଙ୍କ ମୃତ୍ୟୁ ଅଂଶୁଘାତରେ ହୋଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି । ୪୫ଟି ମୃତ୍ୟୁର କାରଣ ଭିନ୍ନ ବୋଲି ରିପୋର୍ଟ କରାଯାଇଛି । ୭୩ଟି ମାମଲାର ତଦନ୍ତ ଜିଲ୍ଲାସ୍ତରରେ ଜାରି ରହିଛି ।  

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୧୫ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୩-୪୪ ଡିଗ୍ରୀ ରହିବ । ୧୫ରୁ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣରେ, ୧୬ରୁ ଉତ୍ତରରେ ପାଗ ବଦଳିବ । ମେଘୁଆ ପାଗ ସହ ତାତି କମିବ । ୧୫ ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା ନାହିଁ । ୧୪ରୁ ସର୍ବାଧିକ ତାପମାତ୍ରା ଅନେକ ସ୍ଥାନରେ ୩୨ ଡିଗ୍ରୀ ରହିବ ।  ୧୯ ତାରିଖ ପରେ କେତେକ ଜାଗାରେ ତାପମାତ୍ରା ୩୦ ଡିଗ୍ରୀ ତଳେ ରହିପାରେ । 

ଡ. ପଶୁପାଳକ କହିଛନ୍ତି, ପ୍ରାରମ୍ଭରେ ମୌସୁମୀ ବର୍ଷା ଦୁର୍ବଳ ରହିବ । ଉପକୂଳରେ ୧୬ରୁ ୧୮ ମଧ୍ୟରେ ହାରାହାରି ୩୫ ମିଲିମିଟର, ଆଭ୍ୟନ୍ତରୀଣରେ ୪୦ ମିମି, ଉତ୍ତର ଆଭ୍ୟନ୍ତରୀଣ ଓ ବାଲେଶ୍ୱରରେ ୧୭ରୁ ୧୯ ତାରିଖ ଭିତରେ ୬୫ ମିମି ବର୍ଷା ହୋଇପାରେ । 

ପଶ୍ଚିମବଙ୍ଗରୁ ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ ସୃଷ୍ଟି ହେବ । ଏହା ସ୍ୱାଭାବିକଠାରୁ ଉତ୍ତରରେ ରହିବା ଯୋଗୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ । ମାତ୍ର କ୍ରମଶଃ ଏହା ବିସ୍ତୃତ ହେବ । ଜୁନ୍‌ ଚତୁର୍ଥ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିବ । ତଥାପି ଜୁନରେ ଚଳିତ ବର୍ଷ ବର୍ଷା ପରିମାଣ ୩୦% ନିଅଣ୍ଟିଆ ରହିପାରେ । ଚାଷୀମାନେ ବର୍ତ୍ତମାନ ବୁଣାବୁଣି କରନ୍ତୁ ନାହିଁ । ଖରଡ଼ି ବୁଣା ୧୬ ପରେ ଓ ବତୁରା ବୁଣା ୧୮ ତାରିଖ ପରେ ବର୍ଷା ଦେଖି କରନ୍ତୁ । 

ପାଣିପାଗ ବିଭାଗ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳରେ ଗ୍ରୀଷ୍ମ ପ୍ରବାହ ଓ ସମଗ୍ର ଉପକୂଳରେ ଭୀଷଣ ଗରମ ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରିଛି । ମଙ୍ଗଳବାର ପାଇଁ ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ରହିଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ କଟକରେ ଗରମ ଓ ଗୁଳୁଗୁଳି ଜାରି ରହିବ । ୧୨ ତାରିଖ (ବୁଧବାର) ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲା ଗରମ ଓ ଗୁଳୁଗୁଳିରେ ସିଝିବ । ୧୩ ଓ ୧୪ରେ ବି ଏଭଳି ସ୍ଥିତି କଲବଲ କରିବ ବିଭିନ୍ନ ଜିଲ୍ଲାରେ ।

ମଙ୍ଗଳବାର ପଶ୍ଚିମ ଓଡ଼ିଶା ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ଓ ଉପକୂଳ ୪୦ ଡିଗ୍ରୀ ପାଖାପାଖୀ ରହିପାରେ । ୧୨ ତାରିଖରେ ପଶ୍ଚିମ ଓଡ଼ିଶା ୪୪ ଡିଗ୍ରୀ ଓ ଉପକୂଳ ୪୧ ଡିଗ୍ରୀ ଛୁଇଁପାରେ । ଅନ୍ୟପଟେ ବର୍ତ୍ତମାନ ସବୁ ଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । 

ସମ୍ଭାବ୍ୟ ସ୍ଥିତି ଓ ଅଂଶୁଘାତ ମୁକାବିଲା ପାଇଁ ଏସଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ପଦକ୍ଷେପ ନେବାକୁ କୁହାଯାଇଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସଭିଙ୍କୁ ପରାମର୍ଶ ଦିଆଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.