ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାହିଁକି ଆମେ ଅଧିକ ଅସୁଖୀ

ଭୁବନେଶ୍ୱର: ଜୀବନରେ ପ୍ରତିଷ୍ଠିତ ହେବା, ବିଭିନ୍ନ ପଦ ପଦବିରେ ଅଧିତିଷ୍ଠ ହେବା ବା ଅର୍ଥ, ଖ୍ୟାତି, ଯଶ ଅର୍ଜନ କରିବା ଯେମିତି ଗୁରୁତ୍ୱପୂର୍ଣ୍ଣ³ ସେମିତି ସୁଖ ଶାନ୍ତିରେ ରହିବା ମଧ୍ୟ ତତୋଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଭାରତୀୟମାନେ ଖୁସି ନାହାଁନ୍ତି ବୋଲି ୨୦୧୨ରୁ ପ୍ରକାଶ ପାଇଆସୁଥିବା ଜାତିସଂଘର ନିରନ୍ତର ବିକାଶ ସମାଧାନ ନେଟୱାର୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଶ୍ୱ ଖୁସି ସୂଚକାଙ୍କରେ ଏହା ପ୍ରତୀୟମାନ ହୋଇଛି । ମାନବ ଉନ୍ନୟନ ସୂଚକାଙ୍କ, ନିରନ୍ତର ବିକାଶ ସୂଚକାଙ୍କ, ବିଶ୍ୱ ଶାନ୍ତି ସୂଚକାଙ୍କରେ ଆମେ ନିମ୍ନରେ ମଧ୍ୟ ରହିଛୁ । ପୂର୍ବପରି ମୁଣ୍ଡପିଛା ଆୟ, ସାମାଜିକ ସହାୟତା, ହାରାହାରି ଆୟୁ, ନିଜ ଜୀବନର ପଥ ବାଛିବା ପାଇଁ ସ୍ୱାଧୀନତା, ମହାନତା/ଦୟା, ସରକାରଙ୍କ ଉପରେ ବିଶ୍ୱାସକୁ ଭିତ୍ତିକରି ୨୦୨୪ର ସୂଚକାଙ୍କ ନିର୍ଣ୍ଣୟ ହୋଇଛି । ବିଶ୍ୱ ଖୁସି ସୂଚକାଙ୍କ ୨୦୨୪ ରିପୋର୍ଟରେ ୧୪୩ ଦେଶର ଆନନ୍ଦାବସ୍ଥାକୁ ସ୍ଥାନିତ କରାଯାଇଛି । କ୍ରମାଗତ ସପ୍ତମ ବର୍ଷ ପାଇଁ ୨୦୨୪ ମସିହାରେ ବିଶ୍ୱ ସୁଖ ରିପୋର୍ଟରେ ଫିନଲ୍ୟାଣ୍ଡ ଶୀର୍ଷ ସ୍ଥାନରେ ରହିଛି । ଏହା ପଛକୁ ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ୱିଡେନ, ଇସ୍ରାଏଲ, ନେଦରଲ୍ୟାଣ୍ଡ, ନରୱେ, ଲକ୍ସେମବର୍ଗ ସ୍ୱିଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ରହିଛନ୍ତି । କିନ୍ତୁ ସର୍ବନିମ୍ନରେ ଆଫଗାନିସ୍ତାନ ଥିଲାବେଳେ ତା’ପରେ ତଳ ଆଡୁ ଲେବାନନ, ସିରିୟା ଅଛନ୍ତି ।

ପ୍ରଥମଥର ପାଇଁ ଆମେରିକା ଓ ଜର୍ମାନୀ ଶ୍ରେଷ୍ଠ ୨୦ଟି ଦେଶ ମଧ୍ୟରେ ନାହାଁନ୍ତି । ଏସିଆର ଶ୍ରେଷ୍ଠ ୧୦ଟି ଖୁସି ଦେଶ ମଧ୍ୟରେ ଭାରତ ନାହିଁ । ୨୦୨୪ ରିପୋର୍ଟରେ ୧୪୩ଟି ଦେଶ ମଧ୍ୟରେ ଭାରତ ୧୨୬ ସ୍ଥାନରେ ରହିଛି । ୨୦୨୩ରେ ଏଥିରେ ଭାରତ ୧୪୬ଟି ଦେଶ ମଧ୍ୟରୁ ୧୨୬ତମ ସ୍ଥାନରେ ଥିଲା । ଅର୍ଥାତ୍‌ ଭାରତ ୧୨୫ ଦେଶ ତଳେ ରହିଛି । ୨୦୧୨ ଏବଂ ୨୦୧୩ରେ ୧୧୧ତମ ସ୍ଥାନରେ ଥିଲା । ବିଗତ ୧୨ବର୍ଷରେ ଭାରତ ୧୫ ଅଙ୍କ ତଳକୁ ଖସିଆସିଛି । ଏହି ସୂଚକାଙ୍କରେ ଭାରତ ଆମ ପଡ଼ୋଶୀ ରାଷ୍ଟ୍ର ଚୀନ-୬୦, ନେପାଳ-୯୩, ପାକିସ୍ତାନ-୧୦୮ ଆମଠାରୁ ଅଧିକ ଖୁସି ଥିଲାବେଳେ, ଶ୍ରୀଲଙ୍କା-୧୨୮, ବାଂଲାଦେଶ-୧୨୯ ଆମଠାରୁ ପଛରେ ଅଛି । ଭାରତ ଲିବିୟା, ଇରାକ, ପାଲେଷ୍ଟାଇନ ଏବଂ ନାଇଜର ପଛରେ ମଧ୍ୟ ଅଛି ।

ଯେଉଁସବୁ ରାଷ୍ଟ୍ର ଏହି ଖୁସି ସୂଚକାଙ୍କରେ ଆଗରେ ଅଛନ୍ତି, ତାହାର କିଛି କାରଣ ରହିଛି । ସେଠାରେ ପରିବାର ହେଉ ବା ଅଫିସ୍‌ ହେଉ, ପରସ୍ପର ମଧ୍ୟରେ ବିଶ୍ୱାସ ଅଧିକ । ସରକାରଙ୍କ ଉପରେ ନାଗରିକଙ୍କ ଦୃଢ଼ ଆସ୍ଥା ଓ ବିଶ୍ୱାସ । ସେଠାରେ ଗଣତାନ୍ତ୍ରିକ, ଉଦାରମନା ଚିନ୍ତାଧାରା, ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାଧୀନତା ଅଧିକ । ପରସ୍ପର ମଧ୍ୟରେ ସାମାଜିକ ସମ୍ପର୍କ ନିବିଡ଼ । ଆର୍ଥିକ ଓ ସାମାଜିକ ବୈଷମ୍ୟ ଅନ୍ୟ ଦେଶ ତୁଳନାରେ ବହୁତ କମ୍‌ ଏବଂ ଏକ ଦୃଢ଼ ସାମାଜିକ ମଙ୍ଗଳ ବ୍ୟବସ୍ଥା ରହିଛି । ଦୁର୍ନୀତି କମ୍‌, ବିଭିନ୍ନ ସୁବିଧା ଓ ସୁଯୋଗ ସହଜରେ ଉପଲବ୍ଧ ହୋଇଥାଏ । ବେକାରୀ ସମସ୍ୟା କମ୍‌, ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସହଜରେ ଉପଲବ୍ଧ ହୋଇଥାଏ । ଆଉ ଏକ କାରଣ ହେଲା କାର୍ଯ୍ୟ-ଜୀବନ ସନ୍ତୁଳନ । ଯେଉଁ ଦେଶ କାର୍ଯ୍ୟ-ଜୀବନ ସନ୍ତୁଳନକୁ ପ୍ରାଧାନ୍ୟ ଦିଅନ୍ତି, ସେହି ଦେଶର ନାଗରିକ ବେଶୀ ଖୁସି ଥାଆନ୍ତି । କମ୍‌ କାର୍ଯ୍ୟ ନିର୍ଘଣ୍ଟ ସପ୍ତାହ, ବେତନ ପ୍ରାପ୍ତ ସହିତ ଛୁଟି ଏବଂ ପରିବାରକୁ ସୁହାଇଲା ପରି ଅନୁକୂଳ ନୀତି କାର୍ଯ୍ୟ-ଜୀବନ ସନ୍ତୁଳନ ବଜାୟ ରଖିଥାଏ । ଶ୍ରମିକ ଓ କର୍ମଚାରୀ ଶୋଷିତ ହୋଇନଥାନ୍ତି ।

ସେହିପରି ଖୁସି ସୂଚକାଙ୍କରେ ଯେଉଁ ଦେଶ ଅତ୍ୟନ୍ତ ନିମ୍ନରେ ରହିଛନ୍ତି, ସେମାନଙ୍କର ନିମ୍ନ ମାନ୍ୟତା ପଛର କାରଣଗୁଡ଼ିକ ହେଉଛି ସେହି ଦେଶଗୁଡିକ ଦୀର୍ଘଦିନ ଧରି ଚାଲିଆସୁଥିବା ବିବାଦ, ଗୃହଯୁଦ୍ଧ ଓ ରାଜନୈତିକ ଅସ୍ଥିରତା । ଯାହା ଭୟ, ଅସୁରକ୍ଷିତତା ଏବଂ ଅନିଶ୍ଚିତତା ପରିବେଶ ସୃଷ୍ଟି କରିଥାଏ, ଯାହାକି ସେମାନଙ୍କ ଜନସଂଖ୍ୟା ମଧ୍ୟରେ ସୁଖର ସ୍ତରକୁ ହ୍ରାସ କରିଥାଏ । ରାଜନୈତିକ ଅସ୍ଥିରତା ଆର୍ଥିକ ସମସ୍ୟା ସୃଷ୍ଟି କରିବା ସହିତ ଆର୍ଥିକ ସୁଯୋଗର ଅଭାବ, ଦାରିଦ୍ର‌୍ୟ ବୃଦ୍ଧି, ମୌଳିକ ସେବାର ଅଭାବ ଘଟାଇ ସୁଖ ସ୍ତରକୁ କମ୍‌ କରିଥାଏ । ଦୀର୍ଘଦିନ ଧରି ଲାଗିରହିଥିବା ବିଭିନ୍ନ ଗଣହତ୍ୟା ଯେଉଁ ଆଘାତ ଏବଂ ସାମାଜିକ ଦାଗ ସୃଷ୍ଟିକରେ, ତାହା ସାମାଜିକ ଏକତା ଏବଂ ସୁସ୍ଥତା ଉପରେ କୁପ୍ରଭାବ ପକାଇଥାଏ ଏବଂ ଏକ ଦେଶର ଜନତାଙ୍କ ସୁଖ ଉପରେ ଦୀର୍ଘସ୍ଥାୟୀ କୁପ୍ରଭାବ ପକାଏ । ଦୀର୍ଘଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱ, ହିଂସା ଏବଂ ଅତ୍ୟାବଶ୍ୟକ ସେବାର ଅଭାବ ଯୋଗୁଁ ଦେଶମାନେ ନିଜ ନାଗରିକମାନଙ୍କୁ ସୁରକ୍ଷା, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସମେତ ଆବଶ୍ୟକ ସେବା ଯୋଗାଇବା ପାଇଁ ସଂଘର୍ଷ କରନ୍ତି, ଯାହା ଅସନ୍ତୋଷର କାରଣ ହୋଇଥାଏ । ଆର୍ଥିକ ସଂଘର୍ଷ ସାଙ୍ଗକୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଠିକ୍‌ଭାବେ ଉପଲବ୍ଧି ନହେବା ଜନସଂଖ୍ୟା ପାଇଁ ସୁଯାଗ ଏବଂ ସାମଗ୍ରିକ କଲ୍ୟାଣ ହ୍ରାସ କରେ ଓ ଦେଶଗୁଡ଼ିକରେ ସୁଖର ସ୍ତରକୁ କମ୍‌ କରିଥାଏ ।

ଆମ ଦେଶରେ ଖୁସି ହ୍ରାସର ମୁଖ୍ୟ କାରଣ ହେଲା ଜୀବନଶୈଳୀରେ ପରିବର୍ତ୍ତନ । ଜୀବନରେ ଅର୍ଥ ଓ ସମ୍ପଦ ଗୁରୁତ୍ୱପୂର୍ଣ୍ଣ । କାରଣ,  ଅର୍ଥ  ନଥିଲେ ମରିଗଲାବେଳେ କେହି ଟୋପେ ପାଣି ଦେବେନି । ପରିବାରର ବିଭିନ୍ନ ସଦସ୍ୟଙ୍କ ଦାବି ପୂରଣ ନକଲେ ସେମାନେ ହେୟଜ୍ଞାନ କରିବେ । କିନ୍ତୁ ଯଦି ଜୀବନରେ ଅର୍ଥ ସବୁକିଛି ବୋଲି ଧରାଯାଏ, ତେବେ ଅଶାନ୍ତି ବଢିବ ଓ ଲୋକ ବେଶୀ ଅସୁଖୀ ହେବେ, ଯାହା ଆଜିର ପୁଞ୍ଜିବାଦୀ ବ୍ୟବସ୍ଥା ଓ ବଜାର ଅର୍ଥନୀତିରେ ବେଶୀ ପ୍ରାଧାନ୍ୟ ପାଇଛି । ଲୋକ ଅଧିକ ଅର୍ଥ, ସମ୍ପଦ ଠୁଳ କରିବା ପାଇଁ ଦୁର୍ନୀତି, ଅନୈତିକ ପଥ ଅବଲମ୍ବନ କରୁଛନ୍ତି ଏବଂ ପରସ୍ପରକୁ ଠକିବା ଓ ଶୋଷଣ କରିବାରେ ଲିପ୍ତ ରହୁଛନ୍ତି । ପ୍ରତିମୁହୂର୍ତ୍ତରେ ଲୋକ ବିଭିନ୍ନ ପ୍ରକାର ଶୋଷଣର ସମ୍ମୁଖୀନ ହେଉଛନ୍ତି । ଖାଲି ଧନୀ ଗରିବକୁ ଶୋଷଣ କରୁନି, ଯିଏ ଯାହାକୁ ପାଇଲା ତାକୁ ଶୋଷଣ କରୁଛି । ଏହି ପ୍ରକ୍ରିୟାରେ ସିନା କିଏ ଅଧିକ ଅର୍ଥ ରୋଜଗାର କରୁଛି, କିନ୍ତୁ ମନରେ ଅସନ୍ତୋଷ ବଢୁଛି । ପୁନଶ୍ଚ ଡେମୋନଷ୍ଟ୍ରେସନ ଆଫେକ୍ଟ ବା ଉଗ୍ର ଉପଭୋକ୍ତାବାଦ ଯୋଗୁଁ ଲୋକ ଅନ୍ୟଠାରୁ ବିଶେଷକରି ନିଜ ସମ୍ପର୍କୀୟ, ବନ୍ଧୁବାନ୍ଧବ ଠାରୁ ଅଧିକ ଉନ୍ନତମାନର ଗାଡ଼ି, ଘର, ଟିଭି, ଫ୍ରୀଜ ଆଦି ସମ୍ପତ୍ତି ଠୁଳ କରିବାରେ ବ୍ୟସ୍ତ ରହୁଛନ୍ତି । ଏଥିପାଇଁ କେହି କେହି ଅନୈତିକ ପଥ ଅବଲମ୍ବନ କରୁଛନ୍ତି ବା ନିୟନ୍ତ୍ରଣ ବାହାରେ ଋଣ କରି ଋଣ ଜାଲରେ ଜୀବନସାରା ଛଟପଟ ହେଉଛନ୍ତି । ପୁନଶ୍ଚ ଏସବୁ  ଦ୍ରବ୍ୟ କ୍ରୟ କରିବା ପାଇଁ ଆବଶ୍ୟକ ସମ୍ବଳ ପାଇଁ, ଅନେକ ନିଜ ପାରିବାରିକ ଦାୟିତ୍ୱ ଠିକ୍‌ଭାବେ ନିର୍ବାହ କରୁନାହାଁନ୍ତି । ଆଗରୁ ଲୋକ ପରିବାର କହିଲେ ନିଜ ପିଲା ବ୍ୟତୀତ ବାପା, ମାଆ, ଭାଇ, ଭଉଣୀ ଆଦିଙ୍କୁ ଭାବୁଥିଲେ । ବର୍ତ୍ତମାନ ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ପିଲାଙ୍କୁ ଧରାଯାଉଛି ।  ଯୌଥ ପରିବାର ତତ୍ତ୍ୱ ଆଉ ନାହିଁ, ଯାହାଫଳରେ ବାର୍ଦ୍ଧକ୍ୟ ଅବସ୍ଥାରେ ବୟସ୍କ ଲୋକ ଆବଶ୍ୟକ ସେବା ପାଉନାହାଁନ୍ତି ।

ସେହିପରି କୋମଳମତି ଶିଶୁମାନେ, ଜେଜେ ବା ଜେଜେମାଆ ସ୍ନେହ ପାଉନାହାଁନ୍ତି । ଖେଳିବାକୁ ଜାଗା ନାହିଁ । ଛୁଆବେଳୁ ମୋବାଇଲରେ ସମୟ କଟୁଛି । ପୁସ୍ତକ ବୋଝ ତଥା ବାପା ମାଆଙ୍କର ଅତ୍ୟଧିକ ଉଚ୍ଚାଭିଳାଷ ପିଲାଙ୍କ ଖୁସି ଛଡ଼ାଇ ନେଉଛି । ମୂଳରୁ ବଡ଼ ଚାକିରି କରିବା ବା ସମ୍ପଦ ଅର୍ଜନ କରିବାର ମାନସିକତା ପିଲାଙ୍କ ମନରେ ଭରିଦେବା ଯୋଗୁଁ ପିଲାମାନେ ଭବିଷ୍ୟତରେ ଏକ ଯାନ୍ତ୍ରିକ ମଣିଷ ପାଲଟୁଛନ୍ତି । ସ୍କୁଲରେ ଲଣ୍ଠନ ଆଲୁଅରେ ପଢ଼ିବା ଯେତିକି ଆନନ୍ଦ ଦେଉଥିଲା, ସହରର ଚାକଚକ୍ୟ ଜୀବନ ସେତିକି ଆନନ୍ଦ ଦେଉନି । ଆଗରୁ ଯୌଥ ପରିବାରରେ ଗୋଟିଏ ଘରର ତିନିଟି ରୁମରେ ତିନିଭାଇ ଖୁସିରେ ରହୁଥିଲେ, କିନ୍ତୁ ଏବେ ପ୍ରତ୍ୟେକ ଭାଇର ତିନି ତିନିଟା କୋଠା ଥାଇ ମଧ୍ୟ ଆନନ୍ଦ ନାହିଁ । ଆଗରୁ ଲୋକ ଚାଲିକି ବା ସାଇକେଲରେ ବହୁତ ଦୂର ବନ୍ଧୁବାନ୍ଧବ ଘରକୁ ଯାଉଥିଲେ ଓ ରହୁଥିଲେ ମଧ୍ୟ । ବନ୍ଧୁବାନ୍ଧବ ଆସିଲେ ଖୁସି ଲାଗୁଥିଲା ମଧ୍ୟ । କିନ୍ତୁ ବର୍ତ୍ତମାନ ପାଖରେ ଥାଇ ବା ଗାଡ଼ି, ମଟର ଥାଇ ମଧ୍ୟ ଯିବାଆସିବା ସମ୍ପର୍କ ହ୍ରାସ ପାଇଲାଣି । ଏମିତି ନୁହେଁ ଲୋକଙ୍କ ପାଖରେ ସମୟ ନାହିଁ । ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟିଛି । ଲୋକ ବେଶୀ ସମୟ ଟିଭି, ମୋବାଇଲରେ ସମୟ କାଟୁଛନ୍ତି । ପୁନଶ୍ଚ ସମାଜ ସହିତ ତାଳଦେଇ ବଞ୍ଚିବା ପାଇଁ ଅଧିକ ସମୟ ପରିଶ୍ରମ କରି ଅଧିକ ରୋଜଗାର ପାଇଁ ପ୍ରୟାସ କରୁଛନ୍ତି । ଭାଇଚାରା ସଂସ୍କୃତି ବଦଳରେ ମଦ ମାଂସ ଆଜି ଗ୍ରାମ୍ୟ ସଂସ୍କୃତିକୁ ଧ୍ୱଂସ କରିଛି । ଡ୍ରାମା, ପାଲା, ଯାତ୍ରା, ଦାଶକାଠିଆ ଆଉ ଦେଖିବାକୁ ମିଳୁନି । ସହରରେ ଗାଡ଼ିସଂଖ୍ୟା ବୃଦ୍ଧି ଯୋଗୁଁ ଦୁର୍ଘଟଣା ବେଶୀ ଘଟୁଛି ଏବଂ ମନରେ ଭୟ ଓ ଅନିଶ୍ଚିତତା ସୃଷ୍ଟି ହେଉଛି । ଜୀବନଶୈଳୀରେ ପରିବର୍ତ୍ତନ, ବାୟୁମଣ୍ଡଳ ଦୂଷିତ, ଖାଦ୍ୟପଦାର୍ଥ ଭେଜାଲ ହେବା, ବିଭିନ୍ନ  ସମସ୍ୟା ଓ ଚିନ୍ତା ବୃଦ୍ଧି ଯୋଗୁଁ ଲୋକ ବିଭିନ୍ନ ଭୟଙ୍କର ରୋଗରେ କମ୍‌ ବୟସରେ ପୀଡ଼ିତ ହେଉଛନ୍ତି । ସର୍ବୋପରି ଆଗ ଅପେକ୍ଷା ଲୋକ ବେଶୀ ଲୋଭୀ, ଜିଦିଆ, ଅହଙ୍କାରୀ, ପ୍ରତିହିଂସାପରାୟଣ ହୋଇଯାଇଛନ୍ତି, ଯାହା ଅନ୍ୟର ଖୁସି ଛଡ଼ାଇ ନେଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟ ଆଜି ଅତ୍ୟନ୍ତ ବ୍ୟୟସାପେକ୍ଷ ଏବଂ ବେକାରୀ, ଶିକ୍ଷିତ ବେକାରୀ ଅତ୍ୟନ୍ତ ଭୟଙ୍କର । ଗୁଣାତ୍ମକ ନିଯୁକ୍ତି ସୃଷ୍ଟି ହେଉନି, ଯାହା ଅଶାନ୍ତିର କାରଣ । ରାଜନୈତିକ ବାତାବରଣ ମଧ୍ୟ ଅଶାନ୍ତିର କାରଣ । ବିଭିନ୍ନ ରାଜନୈତିକ ଦଳକୁ ନେଇ ପରିବାରରେ ମନାନ୍ତର ଦେଖାଦେଉଛି ।

ଅନେକ କହନ୍ତି ଯେ, ଜଣକର ଖୁସି ନିଜ ମାନସିକତା ଉପରେ ନିର୍ଭର କରେ ବା ନିଜ ପରିବାର ଉପରେ ନିର୍ଭର କରେ । କିନ୍ତୁ ତାହା ସମ୍ପୂର୍ଣ୍ଣ ଠିକ୍‌ ନୁହେଁ । ଏହା ଅଧିକ ସାମାଜିକ ବ୍ୟବସ୍ଥା ଏବଂ ସେହି ବ୍ୟବସ୍ଥାରେ ନିଜର ସ୍ଥିତି ଉପରେ ମଧ୍ୟ ନିର୍ଭର କରେ । ପରିବେଶ କଳୁଷିତ ହେଲେ ଜଣେ କ’ଣ ଖୁସିରେ ରହିପାରିବ । ଯୁଦ୍ଧବେଳେ ଜଣେ କ’ଣ ଖୁସିରେ ରହିପାରିବ । ଜଣେ କୌଣସି କାରଣରୁ ନିଜ ଚାକିରି ହରାଇଲେ, ଯେତେ ଚାହିଁଲେ ବି କ’ଣ ଖୁସିରେ ରହିପାରିବ? ଜଣେ ନିଜ ଆତ୍ମୀୟ ସ୍ୱଜନକୁ ହରାଇଲେ ବା ବିବାହ ବିଚ୍ଛେଦ ଘଟିଲେ କ’ଣ ଖୁସି ହୋଇପାରିବ । ଏହା କରୋନା ମହାମାରୀ ବେଳେ ଆମେ ବେଶୀ ଅନୁଭବ କରିଛେ । କିନ୍ତୁ ଖୁସି ପାଇଁ ଜଣେ ଉଚ୍ଚାଭିଳାଷୀ ନହୋଇ ଅଳ୍ପରେ ସନ୍ତୁଷ୍ଟ ହେଲେ ବା ଅଳସୁଆ ହେଲେ ପରୋକ୍ଷରେ ସମାଜର ପ୍ରଗତି ଓ ଉନ୍ନତି ସମ୍ଭବ ହୁଏନାହିଁ । ଆଜି ଆମେ ଯେଉଁ ବୈଜ୍ଞାନିକ ଉଦ୍ଭାବନ, ଆବିଷ୍କାର ଦେଖୁଛେ, ଜୀବନକୁ ସରସ ଓ ସୁନ୍ଦର କରିବା ପାଇଁ ଗାଡ଼ି, ମଟର, କମ୍ପ୍ୟୁଟର, ଉଡ଼ାଜାହାଜ, ଏସି, ଟିଭି, ମୋବାଇଲ ବା ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଔଷଧ, ଯନ୍ତ୍ରପାତି ବ୍ୟବହାର କରୁଛେ, ମାନବ ସଭ୍ୟତାର ଉନ୍ନତି ଦେଖୁଛେ, ତାହା ପଛରେ ଅନେକ ଲୋକଙ୍କ ତ୍ୟାଗ, ଗବେଷଣା, ନିଷ୍ଠା ରହିଛି । ସେମାନେ ଯଦି ଅଳ୍ପକେ ଶାନ୍ତି ଓ ଖୁସିରେ ରହିବାକୁ ଚାହିଁଥାନ୍ତେ, ତେବେ ମାନବ ସଭ୍ୟତାର ଉନ୍ନତି ହୋଇନଥାନ୍ତା । ସେମାନେ ରାତି ଦିନ ଅନିଦ୍ରା ରହି, ପରିଶ୍ରମ କରି ଏସବୁ ବାହାର କରିଛନ୍ତି । ମଣିଷ ଅଳ୍ପରେ ଅସୁଖୀ ଓ ଅଶାନ୍ତି ହେଲେ ଯାଇ ଜୀବନରେ କିଛି ଅଧିକ ସଫଳତା ହାସଲ କରିପାରିବ । କିନ୍ତୁ ସଫଳତା ସତ ଉପାୟରେ ପାଇବା ପାଇଁ ଚେଷ୍ଟା କରିବା ଉଚିତ । ମଣିଷର କିଛି ହାସଲ ପାଇଁ ସର୍ବଦା ଉଦ୍ୟମ ଜାରି ରହିବା ଉଚିତ । କେବଳ ଧନ, ସମ୍ପତ୍ତି ଅର୍ଜନକୁ ଗୁରୁତ୍ୱ ଦେବା ଅତ୍ୟନ୍ତ ଭୁଲ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.