ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦି’ହାତ ହୋଇନୁ କାହିଁକି ?

ଭୁବନେଶ୍ୱର: ପିଲାବେଳେ ତର୍କ ପ୍ରତିଯୋଗିତାରେ ବେଶ୍‌ ପାରଙ୍ଗମ ଥିଲେ ମଧ୍ୟ ଧୀରେ ଧୀରେ ଷ୍ଟେଜ ପ୍ରତି କିପରି ଏକ ବିମୁଖତା ମନ ଭିତରେ ବସା ବାନ୍ଧିଛି । ତେଣୁ କୌଣସି ପୁରସ୍କାର, ସମ୍ମାନ, ଅତିଥି ହୋଇ ଭାଷଣ ଦେବା ଏ ସବୁରୁ ଦୂରେଇ ରହିବାକୁ ଚେଷ୍ଟା କରେ । ତଥାପି ବନ୍ଧୁ ରାମଚନ୍ଦ୍ରଙ୍କ ଅନୁରୋଧ ଏଡ଼ାଇ ନପାରି ଦିଲ୍ଲୀ ଯାଇଥିଲି ଏକ ସମ୍ମାନ ଗ୍ରହଣ କରିବାକୁ । ସାଙ୍ଗରେ ଥିଲେ ସମାନ ପେସା ଆଦରିଥିବା ଭିନ୍ନ ଭିନ୍ନ ସଂସ୍ଥାର ପ୍ରବୀଣ ବନ୍ଧୁ ପାଞ୍ଚଜଣ । ସାମ୍ବାଦିକତା ପେସାରେ ଛୁଟି ଏକ ସ୍ୱପ୍ନ । ସମସ୍ତଙ୍କ ଭାରାକ୍ରାନ୍ତ ମନ ଟିକେ ହାଲୁକା ହୋଇଯାଇଥିଲା । ଫୁରସତରେ ଯାଇ ବସିଥିଲୁ ଇଣ୍ଡିଆ ଗେଟ୍‌ ପାଖ ଘାସ ପଡ଼ିଆରେ । ଚାରିପାଖେ ଦୌଡ଼ୁଥିବା ଗୁଣ୍ଡୁଚିମୂଷାଙ୍କର ଭିଡିଓ କରିବାରେ ଲାଗି ପଡ଼ିଥିଲି । ଅଚାନକ ବନ୍ଧୁ ଭବାନୀଙ୍କ ପ୍ରଶ୍ନ ଶୁଭିଲା- ଆପଣ ବାହା କାହିଁକି ହୋଇନାହାଁନ୍ତି? ସମସ୍ୱରରେ ମନୋରଞ୍ଜନ, ଦୁର୍ଗାଶିଷ ମଧ୍ୟ ପ୍ରଶ୍ନରେ ତାଳ ଦେଲେ । ବିଗତ ୨୫ବର୍ଷ ଧରି ଏଭଳି ପ୍ରଶ୍ନ ଆଉ ମୋ ପାଇଁ ନୂଆ ହୋଇ ରହିନାହିଁ । ଅଭ୍ୟାସଗତ ଭାବେ ବାକ୍‌ଚାତୁରୀରେ ପ୍ରଶ୍ନକୁ ଏଡ଼ାଇଗଲି । ତଥାପି ପ୍ରଶ୍ନୋତ୍ତରର ନିଷ୍କର୍ସ ଏହା ହେଲା ଯେ, ଅବିବାହିତ ଥିବାରୁ ମୋ ଦରମା ସବୁ ବଞ୍ଚୁଥିବ । ତେଣୁ ଓଡ଼ିଶା ନିବାସରେ ସୁଆଦିଆ ଇଲିସି ମିଲ୍‌ ଦେବି । ତଥାସ୍ତୁ । ମଧ୍ୟାହ୍ନଭୋଜନ ପରେ କ୍ରେଡିଟ କାର୍ଡରେ ଖୁସି ଖୁସିରେ ସାଢ଼େ ୪ହଜାର ପଇଠ କରିଦେଲି ।

ସନ୍ଧ୍ୟାରେ ଭୁବନେଶ୍ୱର ଫ୍ଲାଇଟ ଥିଲା । ଧାର୍ଯ୍ୟ ସମୟରେ ବିମାନରେ ବସିଲୁ । ଯାତ୍ରୀଙ୍କ କୋଳାହଳ ଓ ଏୟାର ହୋଷ୍ଟେସ୍‌ଙ୍କ ଆତଯାତ ମଧ୍ୟରେ ଆଖି ବନ୍ଦ କଲି । ମନ ଭିତରେ ଗୋଟିଏ ଦ୍ୱନ୍ଦ୍ୱ ଉଠିଲା, କାହିଁକି ବାହା ହେଲୁ? ପ୍ରଶ୍ନ କାହା ପାଇଁ କାହା ମୁହଁରୁ କେବେ ଶୁଭେନାହିଁ, କିନ୍ତୁ ଅବିବାହିତଙ୍କ ପାଇଁ ପ୍ରଶ୍ନ ଥାଏ କାହିଁକି? ହ୍ୱାଟ୍‌ସଆପ୍‌ ୟୁନିଭର୍ସିଟିରେ ବାଜପେୟୀ ଓ କଲାମଙ୍କ ଭଳି ଅବିବାହିତଙ୍କୁ ଆଦର୍ଶ ଭାବେ ପ୍ରଚାର ହେଉଥିଲେ ମଧ୍ୟ ବାସ୍ତବରେ ସମାଜରେ ଅନେକ ଅବିବାହିତଙ୍କ ଜୀବନ ପ୍ରଶ୍ନ ଓ ସନ୍ଦେହ ମଧ୍ୟରେ କାନ୍ଥଘଣ୍ଟାର ପେଣ୍ଡୁଲମ୍‌ ଭଳି ଥାଏ । ଅବିବାହିତ ବ୍ୟକ୍ତି ନିଜେ ଏଭଳି ନିଷ୍ପତ୍ତିର କାରଣ ନକହିଲେ ମଧ୍ୟ ସବ୍‌ଜାନ୍‌ତାଙ୍କ ଲେନ୍ସରେ ଅନେକ କାରଣ ବାହାରି ଆସେ । ଯେମିତିକି ପ୍ରେମରେ ବିଫଳତା, ରୋଜଗାରର ଅଭାବ, ବାପାମାଆ କିମ୍ବା ଯୌଥ ପରିବାରରେ ବୁଝାମଣାର ଅଭାବ, ଝିଅ ପସନ୍ଦ ହେଲାନି କିମ୍ବା ଝିଅଙ୍କର ପସନ୍ଦ ହେଲାନି । ଭାବିଲି, କ’ଣ ସ୍ୱାଧୀନ ଭାରତରେ ବିବାହ ବାଧ୍ୟତାମୂଳକ? ପ୍ରତିଟି କ୍ଷେତ୍ରରେ ସ୍ୱାଧୀନ ନିଷ୍ପତ୍ତି ନେବାର ଅଧିକାର ଥିବାବେଳେ ଅବିବାହିତ ରହିବା ନିଷ୍ପତ୍ତି ପଛର କାରଣ ଭାବେ ସମସ୍ୟାର ତାଲିକା କାହିଁକି ସମସ୍ତଙ୍କ ଆଖିରେ ନାଚେ? ଏମିତି ବି ଅବିବାହିତଙ୍କ ପାଇଁ ସାମାଜିକ ଚଳଣିର ଦୈନନ୍ଦିନ ଜୀବନରେ ଅନେକ ଅସ୍ୱାଭାବିକ ସମସ୍ୟା ଆସିଥାଏ । ସହରରେ ମନ ମୁତାବକ ଭଡ଼ାଘର ପାଇବା କଷ୍ଟ ହୋଇପଡ଼େ । ଘରମାଲିକଙ୍କୁ ଗୋଟିଏ ନୁହେଁ ହଜାରେ ପ୍ରଶ୍ନରେ ସନ୍ତୁଷ୍ଟ କରିବାକୁ ପଡ଼େ । ଅବିବାହିତଙ୍କ ଘରକୁ କେହି ମହିଳା ଆସିଲେ ପାଖ ପଡ଼ୋଶୀମାନେ ଆଖିତରାଟି ଅନାନ୍ତି, ଯେମିତିକି ବଡ଼ ପାପ ହୋଇଗଲା । ବନ୍ଧୁବାନ୍ଧବ ଆସିଲେ ବି ଘର ମାଲିକଙ୍କୁ ବୁଝାଇବାକୁ ପଡ଼େ, ଯେମିତି କି ଅବିବାହିତଙ୍କର ଭାଇ-ଦାଦା କି ସମ୍ପର୍କୀୟ ନଥାନ୍ତି । ବୀମା ଫର୍ମରେ ନୋମିନି ସ୍ଥାନଟି ପୂରଣ କରିବା ବେଳକୁ ତ କମ୍ପାନି ଏକଜିକ୍ୟୁଟିଭ୍‌ଙ୍କର ଶହେ ପ୍ରଶ୍ନ ବାହାରେ । ଆଉ କିଛି ଯଦି ବଡ଼ ପରିମାଣର ଅର୍ଥ ଋଣ କରିବେ, ତେବେ ବ୍ୟାଙ୍କ ମ୍ୟାନେଜର ଗ୍ୟାରେଣ୍ଟର କିଏ ହେବ ପଚାରିଲେ ତ କଥା ସରିଲା ।

ଅବିବାହିତଙ୍କ ପାଇଁ ସବୁଠୁ ବଡ଼ ବିପଦ ଚାରିପାଖରୁ ଅର୍ଥନୈତିକ ଆକ୍ରମଣ । ଏହାର ମୁକାବିଲା ଏତେ ସହଜ ନୁହେଁ । ସାଙ୍ଗସାଥୀ, ବନ୍ଧୁବାନ୍ଧବ, ସହକର୍ମୀ, ପଡ଼ୋଶୀ, ଚିହ୍ନାପରିଚିତି ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଥାଏ- ଏତେ ପଇସା ସେ କ’ଣ କରିବ କି? ପଇସା ତାର କିଏ ଖାଇବ? ଦରମା ଟଙ୍କା କ’ଣ କରୁଛୁ କି? ତୋର ଖର୍ଚ୍ଚ କ’ଣ କି? ତା’ର କିଏ ଅଛି ଯେ? ଆଗକୁ ପଛକୁ ତ କେହି ନାହାଁନ୍ତି? ଏମିତି କେତେ କ’ଣ । ଆୟକର ବିଭାଗ ଅପେକ୍ଷା ଏମାନଙ୍କ ପାଖରେ ବେଶୀ ହିସାବ ଥାଏ ପଇସା କିପରି ଖର୍ଚ୍ଚ ହେଉଛି । ଏସବୁ ପ୍ରଶ୍ନ ମଧ୍ୟରେ ଭାବନାକୁ ଗୋଟେ କଥା ଆସେ, କ’ଣ ଜଣେ ବ୍ୟକ୍ତିର ରୋଜଗାର କେବଳ ପତ୍ନୀ ଓ ସନ୍ତାନଙ୍କ ପାଇଁ ଉଦ୍ଦିଷ୍ଟ? ପତ୍ନୀ ଓ ସନ୍ତାନ ନଥିଲେ ସବୁ ଆୟ ବଳକା ରହିଯିବ? ବେଶ୍‌ କେଇବର୍ଷ ତଳେ ପାର୍କରେ ପ୍ରାତଃଭ୍ରମଣ ସମୟରେ ଜଣେ ବୟସ୍କ ବ୍ୟକ୍ତି ଆଲୋଚନା କାଳରେ କହିଥିବା କଥାଟି ମନେପଡ଼ିଲା, ଆଜିକାଲି ସମାଜରେ ସମସ୍ତଙ୍କ ମନରେ ବୀମା କମ୍ପାନୀର ଆଇଡିଆ ବସା ବାନ୍ଧୁଛି । ପରିବାର ମାନେ ପତ୍ନୀ ଓ ସନ୍ତାନ । ଅନ୍ୟ କାହା ପ୍ରତି ଦାୟିତ୍ୱଘର ଶୂନ । ରାମାୟଣ ଓ ମହାଭାରତରୁ ଆମେ ଦିଗ୍‌ଦର୍ଶନ ନେଉଛନ୍ତି, କିନ୍ତୁ ସେଥିରେ ଥିବା ଯୌଥ ପରିବାରର ଚିତ୍ର ଆମ ମନରୁ ହଜିଯାଉଛି ।

ଅର୍ଥନୈତିକ ଆକ୍ରମଣ ମଧ୍ୟରେ ଜଣେଅଧେ ଶୁଭେଚ୍ଛୁଙ୍କ ଦି’ପଦ କଥା ମନକୁ ବି ଭାରାକ୍ରାନ୍ତ କରିଦିଏ- ଏକୁଟିଆ ଅଛୁ, କେମିତି ଖାଉଛୁ, ରୋଷେୟା ରଖିଛୁ କି, ଦେହପା’ ଜଗୁଥିବୁ ଇତ୍ୟାଦି ଇତ୍ୟାଦି । କିନ୍ତୁ ମନଟା ଖୁସିରେ ଉଛୁଳିଉଠେ, ଯେତେବେଳେ ଘରସଂସାର ମୁଣ୍ଡାଇଥିବା ବନ୍ଧୁମାନଙ୍କ ନିରସ ବଦନ ଦେଖେ । ମୋଠୁ ବୟସରେ ବଡ଼, ସମବୟସ୍କ ଏବଂ ବୟସରେ ସାନ ଅନେକଙ୍କ ମୁହଁରୁ ବିଭିନ୍ନ ସମୟରେ ଶୁଣେ, ଯାହାହେଉ ଆପଣ ବାନ୍ଧିହୋଇ ନାହାଁନ୍ତି! ଖୁସିଲୋକ, ସ୍ୱାଧୀନ, ବିନ୍ଦାସ, ନିଜ ମର୍ଜିରେ ବଞ୍ଚୁଛନ୍ତି, ଏମିତି କେତେ କଥା । ଭାବେ ବୋଧହୁଏ ଏପରି ଲୋକମାନଙ୍କ ପାଇଁ ‘ଶାଦୀ କା ଲଡ଼ୁ ଖାଇଲେ ପସ୍ତେଇବେ, ନଖାଇଲେ ବି ପସ୍ତେଇବେ’ ରୂଢ଼ିଟି ସମାଜରେ ପ୍ରଚଳିତ ହୋଇଆସିଛି । ଏମାନେ ଅବିବାହିତ ଥିବାବେଳେ ବିବାହିତଙ୍କୁ ଦେଖି ଈର୍ଷା କରନ୍ତି ଏବଂ ଘରସଂସାର କରିବା ପରେ ପଛକୁ ଅନାଇ ଅବିବାହିତଙ୍କୁ ଦେଖି ଈର୍ଷାରେ ଜଳନ୍ତି । ଅବିବାହିତ ମହିଳାଙ୍କ ପାଇଁ ଏଭଳି ଗୋଲକଧନ୍ଦା କିଛି କମ୍‌ ନଥାଏ । ଯଦି ସେ ଆର୍ଥିକ ଆତ୍ମନିର୍ଭରଶୀଳ ହୋଇନଥିବେ, ତେବେ ତ ସମସ୍ୟା ଦୁଇଗୁଣ । ଯଦି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟକୁ ଦେଖିବା, ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ବାହାଘର ପ୍ରତି ବିମୁଖତା କ୍ରମେ ବୃଦ୍ଧିପାଉଛି । ୨୦୧୧ ମସିହାରେ ଏହା ୧୭.୨% ଥିବାବେଳେ ୨୦୧୯ରେ ୨୩%ରେ ପହଞ୍ଚିଥିଲା । ଯୁବକଙ୍କ କ୍ଷେତ୍ରରେ ଏହା ୨୬.୧% ଥିବାବେଳେ ଯୁବତୀଙ୍କ କ୍ଷେତ୍ରରେ ୧୯.୯% । ଏକ ଡେଟିଂ ଆପ୍‌ ସର୍ଭେର ତଥ୍ୟ ଅନୁସାରେ ବିବାହ କରୁଥିବା ମହିଳାଙ୍କ ମଧ୍ୟରୁ ୩୩% କୁହନ୍ତି- ସାମାଜିକ ଚଳଣି କିମ୍ବା ପରିବାର ବାଧ୍ୟବାଧକତାରେ ସେମାନେ ବିବାହ ବନ୍ଧନକୁ ଯାଉଛନ୍ତି, ଯଦିଓ ଏକୁଟିଆ ଜୀବନ ଅତିବାହିତ କରିବା ଥିଲା ସେମାନଙ୍କ ପ୍ରଥମ ପସନ୍ଦ ।

ଅଚାନକ ହିନ୍ଦୀରେ ପାଇଲଟର ଗମ୍ଭୀର ଆୱାଜ ଶୁଭିଲା- ଭୁବନେଶ୍ୱର ବିମାନବନ୍ଦରକୁ ଆପଣଙ୍କୁ ସ୍ୱାଗତ । ଆଖି ଖୋଲିଲି । ଭାବୁଥିଲି ମଣିଷର ତ ଦୁଇହାତ ଅଛି, ପୁଣି ବିବାହ କଲେ ଦି’ହାତ କାହିଁକି କୁହାଯାଏ । ସବୁପ୍ରକାର ଭାବନାରୁ ପୁଣି ବାସ୍ତବତାକୁ ଫେରିବାକୁ ହେବ । ଅବିବହିତ ଜୀବନର ପ୍ରଶ୍ନବାଣରେ ଗୋଲକଧନ୍ଦା ମଧ୍ୟରେ ପେସାଗତ ଜୀବନକୁ ଧରି ଦୌଡ଼ିବାକୁ ପଡ଼ିବ, ଯଦିଓ ଲକ୍ଷ୍ୟସ୍ଥଳ ଜଣାନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.