କଟକ, ୨୯।୯: ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ନରସିଂହପୁର ବ୍ଲକ ଅନ୍ତର୍ଗତ ରଣସିଂହପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ୩୫ ବର୍ଷୀୟ ବିଶ୍ୱଜିତ୍ ଧଳଙ୍କର ପୋଖରୀରେ ବୁଡ଼ି ଅକାଳ ବିୟୋଗ ଘଟିଛି ।
ବିଶ୍ୱଜିତ୍ ଓ ତାଙ୍କ ବାପା ତୈତାରୀ ଧଳ ଉଭୟ ଗାଁ ପାଖରେ ଥିବା ପୋଖରୀକୁ ଗାଧୋଇ ଯାଇଥିବା ବେଳେ ବିଶ୍ୱଜିତ୍ ପାଣିରେ ବୁଡ଼ି ଯାଉଥିଲେ । ଏତିକି ବେଳେ ପୁଅକୁ ଉଦ୍ଧାର କରିବା ପାଇଁ ବାପା ଦୈତାରୀ ଯାଇଥିବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ । ଏହି ସମୟରେ ସେହି ଗ୍ରାମର ସୁନିତା ନାୟକ ସାହାସିକତା ଦେଖାଇ ଉଭୟ ଉଦ୍ଧାର କରିବା ପାଇଁ ପାଣିରେ ପଶିଥିଲେ ଓ ଦୈତାରୀଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିବା ବେଳେ ସେତେବେଳେକୁ ବିଶ୍ୱଜିତ୍ ପାଣିରେ ବୁଡ଼ି ଯାଇଥିଲେ । ପରେ ଗାଁ ଲୋକ ଖୋଜାଖୋଜି କରିବା ପରେ ବିଶ୍ୱଜିତ୍ଙ୍କୁ ଗୁରୁତର ଅବସ୍ଥାରେ ପାଣିରୁ ଉଦ୍ଧାର କରି ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।