ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ମାୟାବିନୀ ‘ଇରାନୀ’ର ହନିଟ୍ରାପ୍‌ ଘଟଣା: କେନ୍ଦୁଝରରୁ କେନ୍ଦ୍ରାପଡ଼ା ଯାଏ ଲମ୍ବିଛି ଚେର, ରିମାଣ୍ଡରେ ଆଣିବ ପୁଲିସ୍‌

ଭୁବନେଶ୍ୱର,୧୪/୦୯: ବହୁଚର୍ଚ୍ଚିତ ମାୟାବିନୀ ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍‌ ପଥକୁ ଅନୁସରଣ କରୁଥିଲେ ଇରାନୀ ପାତ୍ର । ଅର୍ଚ୍ଚନା ଏକରକରମ ତାଙ୍କ ମାର୍ଗଦର୍ଶକ ସାଜିଥିଲେ । ଚିକିତ୍ସା ଆଳରେ ଖାଲି ଡାକ୍ତରଙ୍କୁ ଚୂନ ଲଗାଇ ନଥିଲେ, ବରଂ ବ୍ୟବସାୟୀ, ବିଲ୍ଡର, ଛାତ୍ରଙ୍କ ମଧ୍ୟ ଇରାନୀଙ୍କ ମାୟାଜାଲରେ ଫସିଛନ୍ତି । ନେତା,ମନ୍ତ୍ରୀ ବି ଇରାନୀର ଗରାଖ ସାଜିଛନ୍ତି । ଏମିତିକି ତମାଣ୍ଡୋ ନାରଗୋଦାସ୍ଥିତ ଭଡ଼ାଘରେ ଜଣେ ଆଇପିଏସ୍‌ଙ୍କ ଶାଳକଙ୍କ ପାଦ ମଧ୍ୟ ପଡିଛି । ତାଙ୍କ ହନିଟ୍ରାପ୍‌ ଚେର କେନ୍ଦୁଝରରୁ କେନ୍ଦ୍ରାପଡ଼ା ଯାଏ ଲମ୍ବିଛି । 

ଡାକ୍ତରଙ୍କୁ ହନିଟ୍ରାପ୍‌ରେ ଫସାଇ ୧୦ ଲକ୍ଷ ଟଙ୍କା ଚୂନ ଲଗାଇଥିବା ମାୟାବିନୀ ଇରାନୀ ପାତ୍ରର ଚେର ଖୋଜୁଖୋଜୁ ତମାଣ୍ଡୋ ଥାନା ପୁଲିସକୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । କେନ୍ଦୁଝରର ଜଣେ ଛାତ୍ର ଓ କେନ୍ଦ୍ରାପଡ଼ାର ଜଣେ ବ୍ୟବସାୟୀ ବୁଧବାର ପୁଲିସ ସହ ଯୋଗାଯୋଗ କରିଛନ୍ତି । ଡାକ୍ତରଙ୍କ ଭଳି ସମାନ ଢଙ୍ଗରେ ‘ଇରାନୀ’ ଗ୍ୟାଙ୍ଗ ସେମାନଙ୍କଠୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇଥିବା ପୁଲିସ ସାମ୍ନାରେ ବଖାଣିଛନ୍ତି । କିନ୍ତୁ ଲୋକଲଜ୍ଜ।।କୁ ଡରି ଏମାନେ ଥାନାରେ ଅଭିଯୋଗ ପାଇଁ ପଛଘୁଞ୍ଚା ଦେଉଛନ୍ତି । ସେପଟେ ପୁଲିସ ଅନୁରୋଧ କରିଛି, ଯେଉଁମାନେ ହନିଟ୍ରାପ୍‌ର ଶିକାର ହୋଇଛନ୍ତି, ଅଭିଯୋଗ କରନ୍ତୁ । ସେମାନଙ୍କ ନାମ, ଠିକଣା ଗୋପନ ରଖାଯିବ । 

ପୁଲିସର ଏକ ଟିମ୍‌ ବୁଧବାର ନାରଗୋଦା ଯାଇ ଆଖପାଖ ଲୋକଙ୍କୁ ପଚରାଉଚରା କରିଛି । ଇରାନୀଙ୍କ ଘରେ ପ୍ରତିଦିନ ନୂଆ ନୂଆ ମୁହଁ ଦେଖୁଥିବା ସେମାନେ ପୁଲିସକୁ ତଥ୍ୟ ଦେଇଛନ୍ତି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ ଦିନେ ସ୍ୱାମୀ ବାପି ଓରଫ ନିଶିକାନ୍ତ ପାତ୍ରକୁ ମାୟାବିନୀ ଅର୍ଚ୍ଚନାର ଉଦାହରଣ ଦେଇ  ଏଭଳି ହନିଟ୍ରାପ୍‌ ପାଇଁ ଉସ୍‌କାଇଥିଲା । ଏହା ପରଠୁ ଇରାନୀର ହନିଟ୍ରାପ୍‌ ସିରିଜ୍‌ର ମୂଳଦୂଆ ପଡି଼ଲା । ସେପଟେ ହତ୍ୟା ଅଭିଯୁକ୍ତ ଗିରିଜା ଓରଫ ଶକ୍ତିକାନ୍ତ ହରିଚନ୍ଦନ ଓ ବାପି ଉଭୟେ ଗୋଟିଏ ଗାଁର । ପିଲାଦିନରୁ ଚିହ୍ନା ପରିଚିତ । ବାପି-ଗିରିଜା ଅନ୍ୟ ସହଯୋଗୀଙ୍କ ସହ ମିଶି ଇରାନୀ ଏକ ଗ୍ୟାଙ୍ଗ ଗଢ଼ି ଲୋକମାନଙ୍କୁ ହନିଟ୍ରାପ୍‌ରେ ଫସାଇବାରେ ଲାଗିଲା । ଇରାନୀ-ବାପିଙ୍କ ଯୋଡି଼ କିଛି ମାସରେ ବଣ୍ଟି ଔର ବବ୍‌ଲିଠୁ ବି ବଳିଗଲା । 

ଇରାନୀ ହ୍ୱାଟସ୍‌ଆପ୍‌, ଇନ୍‌ଷ୍ଟାଗ୍ରାମ, ଫେସ୍‌ବୁକ୍‌ ମେସେଞ୍ଜରରେ ଏକାଧିକ ନେତା,ମନ୍ତ୍ରୀ ଓ ଜଣେ ଆଇପିଏସ୍‌ଙ୍କ ଶାଳକଙ୍କ ସହ ଚାଟ୍‌ କରିଥିବା ତଥ୍ୟ ଗୋଟାଇଛି ପୁଲିସ୍‌ । ସମ୍ପୃକ୍ତ ଶାଳକ ଜଣକ କିଛି ଦିନ ତଳେ ନାରଗୋଦାସ୍ଥିତ ଭଡ଼ାଘରକୁ ଯାଇଥିବାର ସୁରାକ୍‌ ମିଳିଛି । ଆଇପିଏସ୍‌ଙ୍କ ଅଭିଯୋଗକ୍ରମେ ପୁଲିସ ଇରାନୀ ଗ୍ୟାଙ୍ଗର ପର୍ଦ୍ଦାଫାସ୍‌ ପାଇଁ ଅଣ୍ଟା ଭିଡି଼ଥିଲା । ତେବେ ଶାଳକ ଠକେଇର ଶିକାର ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । 

ମୋବାଇଲ୍‌ କିଣା, କିସ୍ତି ସୁଝାରେ ଟଙ୍କା ଖର୍ଚ୍ଚ

ଇରାନୀ ଏକ ଦେଢ଼ ଲକ୍ଷ ଟଙ୍କାର ଦାମୀ ସାମସଙ୍ଗ ମୋବାଇଲ୍‌ ଧରୁଥିଲେ । ଯାହାକି, ଦେଢ଼ ମାସ ତଳେ କିଣାଯାଇଥିଲା । ଏହାସହ ସ୍ୱାମୀ-ସ୍ତ୍ରୀ ଏକ ଗ୍ରୋସରୀ ଦୋକାନରେ ପ୍ରାୟ ୬୫ ହଜାର ଟଙ୍କା ବାକି ସୁଝିଥିଲେ । ଦୀର୍ଘ ଦିନ ଧରି ଖିଲାପ କରି ଚାଲିଥିବା କିଛି କିସ୍ତିକୁ ମଧ୍ୟ ଲୁଟ୍‌ ଟଙ୍କାରେ ସୁଝିଥିଲେ । 

୫୦ ହଜାର ନେଲା ପରେ ଛାଡି଼ଲେ: ଛାତ୍ର 

କେନ୍ଦୁଝର ଜଣେ ଛାତ୍ର ବୁଧବାର ସନ୍ଧ୍ୟାରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, କିଛି ଦିନ ତଳେ ତାଙ୍କ ସହ  ଇରାନୀ ଫେସ୍‌ବୁକ୍‌ରେ ସମ୍ପର୍କ ବଢ଼ାଇଲେ । ଇରାନୀ ନିଜକୁ ଅବିବାହିତ ବୋଲି ଦର୍ଶାଇଥିଲେ । ମିଠା ମିଠା କଥା କହି ଛାତ୍ରଙ୍କୁ ନାରଗୋଦାସ୍ଥିତ ଭଡ଼ାଘରକୁ ଡାକିଥିଲେ । ଗତ ୧ ତାରିଖରେ ଛାତ୍ରଜଣକ ବାଇକ୍‌ ଯୋଗେ କେନ୍ଦୁଝରରୁ ଆସି ଭଡ଼ାଘରେ ପହଞ୍ଚିଥିଲେ । ସେଠାରେ ୪-୫ଜଣ ଯୁବକ ତାଙ୍କୁ ଜବରଦସ୍ତି ଘରେ ବନ୍ଦୀ କରି ରଖିଲେ । ଆଉ ୫୦ ହଜାର ଟଙ୍କା ଡିମାଣ୍ଡ କଲେ । ଛାତ୍ରଙ୍କ ନିକଟରେ ଏତେ ଟଙ୍କା ନ ଥିବାରୁ ସେ ଜଣେ ବନ୍ଧୁଙ୍କଠାରୁ ଫୋନ୍‌ ପେ’ରେ ଟଙ୍କା ମଗାଇଲେ । ୫୦ ହଜାର ଟଙ୍କା ନେବା ପରେ ଛାଡି଼ ଦେଇଥିଲେ । 

ଡାକ୍ତରଙ୍କ ପୂର୍ବରୁ କେନ୍ଦ୍ରାପଡ଼ାରୁ ବ୍ୟବସାୟୀ ଆସିଥିଲେ 

ଯାଜପୁର ମଧୁବନ ସିଏଚ୍‌ସିରେ ଥିବା ଡାକ୍ତର ଗତ ୮ ତାରିଖରେ ନାରଗୋଦା ଭଡା଼ଘରକୁ ଯାଇଥିଲେ । ତା’ ପୂର୍ବଦିନ କେନ୍ଦ୍ରାପଡ଼ାର ଜଣେ ମଦ ବ୍ୟବସାୟୀଙ୍କ ପାଦ ସେହି ଘରେ ପଡି଼ଥିଲା । ବ୍ୟବସାୟୀଜଣକ ମଧ୍ୟ ଫେସ୍‌ବୁକ୍‌ରେ ଇରାନୀଙ୍କୁ ଚିହ୍ନିଥିଲେ । ବ୍ୟବସାୟୀ ପୁଲିସକୁ ଫୋନ୍‌ ଯୋଗେ କହିଛନ୍ତି, ଇରାନୀ ତାଙ୍କ ସହ ମୋବାଇଲ୍‌ରେ ସେକ୍ସ ଚାଟ୍‌ କରୁଥିଲେ । କିନ୍ତୁ ଇରାନୀ ନିଜକୁ ବିବାହିତ ବୋଲି ଦର୍ଶାଇଥିଲେ । ଗତ ୭ ତାରିଖରେ ଘରେ ସ୍ୱାମୀ ନଥିବା କହି ବ୍ୟବସାୟୀଙ୍କୁ ଘରକୁ ଡାକିଥିଲେ । କେନ୍ଦ୍ରାପଡ଼ାରୁ ଏକ ଦାମୀ କାରରେ ବ୍ୟବସାୟୀଜଣକ ନାରଗୋଦା ଆସିଲେ । ଘରେ ପାଦ ଥାପିବା ମାତ୍ରେ ସ୍ୱାମୀ ଓ ଅନ୍ୟ ସହଯୋଗୀ ତାଙ୍କୁ ମାଡି଼ ବସିଥିଲେ । ସେମାନେ ବ୍ୟବସାୟୀଙ୍କୁ ମାଡ଼ ମାରି ଏଟିଏମ୍‌ କାର୍ଡ ନେଇଗଲେ । ସେଥିରୁ ୬ ଲକ୍ଷ ଟଙ୍କା କାଢ଼ି ଆଣିବା ପରେ ବ୍ୟବସାୟୀଙ୍କୁ ଛାଡି଼ଥିଲେ ।

ବଡ଼ବାପାଙ୍କୁ ବି ବ୍ଲାକ୍‌ମେଲ୍‌

ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଇରାନୀ ୭ ମାସ ତଳେ ଯାଜପୁର ମଙ୍ଗଳପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ସେଠାକାର ପୁଲିସଙ୍କୁ ଏକ ହ୍ୱାଟସ୍‌ଆପ୍‌ ଚାଟ୍‌ ଦେଖାଇଥିଲେ । ସେଥିରେ ଜଣେ ବୟସ୍କ ବ୍ୟକ୍ତି ଇରାନୀଙ୍କ କିଛି ଉଲଗ୍ନ ଫଟୋ ଓ ଭିଡିଓ ପଠାଇଥିଲେ । ଏହାକୁ ଢାଲ କରି ବୟସ୍କ ବ୍ୟକ୍ତିଜଣକ ସେକ୍ସ ପାଇଁ ବ୍ଲାକ୍‌ମେଲ୍‌ କରୁଥିବା ଚାଟ୍‌ରେ ଉଲ୍ଲେଖ ଥିଲା । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଇରାନୀଙ୍କ ବଡ଼ବାପା ବୋଲି ଜାଣିବା ପରେ ପୁଲିସର ହୋସ୍‌ ଉଡି ଯାଇଥିଲା ।

Copyright © 2022 - Summa Real Media Private Limited. All Rights Reserved.