କାଠମାଣ୍ଡୁ,୧୩।୧୧: ଭାରତ ପରେ ନେପାଳରେ ମଧ୍ୟ ଚୀନ୍ର ସୋସିଆଲ ମିଡିଆ ନେଟଓ୍ବର୍କିଂ ପ୍ଲାଟଫର୍ମ ଟିକଟକ୍ ଉପରେ ଲାଗିଲା ବ୍ୟାନ୍। ନେପାଳ ସରକାର ସୋମବାର କହିଛନ୍ତି, ଟିକଟକ୍ରେ କଟକଣା ଲଗାଯାଇଛି। ଏହାର କାରଣ ହେଉଛି ସାମାଜିକ ସଦ୍ଭାବ ଉପରେ ଏହାର ନକାରତ୍ମକ ପ୍ରଭାବ ପଡୁଛି। ସରକାରଙ୍କ ମୁଖପାତ୍ର ଓ ସଞ୍ଚାର ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ରେଖାଶର୍ମା କହିଛନ୍ତି, ଏହି ମାମଲାକୁ ନେଇ ଆଜି ମନ୍ତ୍ରୀମଣ୍ଡଳର ବୈଠକ ହୋଇଛି। ଏଥିରେ ଚୀନ୍ ଆପ୍ ଟିକଟକ୍ ଉପରେ ବ୍ୟାନ୍ ଲଗାଯିବାର ନିଷ୍ପତ୍ତି ନିଆଯାଇଛି। ସେ କହିଛନ୍ତି, ଟିକଟକ୍ ଉପରେ କଟକଣା ଲଗାଇବାର ନିଷ୍ପତ୍ତି ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯିବ।
କାଠମାଣ୍ଡୁ ପୋଷ୍ଟ ଖବର କାଗଜ ଅନୁସାରେ, ନେପାଳ ସରକାର ଟିକଟକ୍ ଉପରେ ରୋକ ସାମାଜିକ ସଦ୍ଭାବ ଉପରେ ନକାରତ୍ମକ ପ୍ରଭାବ ପଡୁଥିବାର ଦେଖି ଏଭଳି ପଦକ୍ଷେପ ନେଇଛନ୍ତି। ନେପାଳ ସରକାରଙ୍କ ମନ୍ତ୍ରୀମଣ୍ଡଳ ଏହି ମାମଲାକୁ ନେଇ ଗୁରୁବାର ମଧ୍ୟ ବୈଠକ କରିଥିଲା। ଏଥିରେ ଫେସବୁକ୍, ଏକ୍ସ, ଟିକଟକ୍ ଓ ୟୁଟ୍ୟୁବ୍ ସହିତ ସବୁ ସୋସିଆଲ ମିଡିଆ ମଞ୍ଚ ପାଇଁ ଦେଶରେ ଯୋଗାଯୋଗ କାର୍ଯ୍ୟାଳୟ ଖୋଲିବାର ନିଷ୍ପତ୍ତି ନେଇଥିଲେ।
ସରକାର କହିଥିଲେ, ଅଭିବ୍ୟକ୍ତିର ସ୍ବାଧିନତା ସ୍ବାଧିନତାର ମୂଳ ଅଧିକାର, କିନ୍ତୁ ସମାଜର ଅଧିକ ଲୋକ ଟିକଟକ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ଲୋକମାନେ ଅଭିଯୋଗ କରିଛନ୍ତି, ଏହା ହେଟ୍ ସ୍ପିଚ୍କୁ ଆଗକୁ ବଢାଉଛି। ଗତ କିଛି ବର୍ଷରେ ଭିଡିଓ ସେୟାର କରିଥିବା ଏହି ଆପ୍ରେ ସାଇବର କ୍ରାଇମ୍ କରିବାରେ ୧୬୪୭ ମାମଲା ରୁଜୁ କରାଯାଇଥିଲା।