କଟକ, ୩।୧୧: ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ବାବଦକୁ ଜଣେ ପରୀକ୍ଷାର୍ଥୀଙ୍କଠାରୁ ୪୨୦ ଟଙ୍କା ଫି’ ଆଦାୟ କରନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ । ବୋର୍ଡ ଏମିତି ବର୍ଷକୁ ପରୀକ୍ଷାର୍ଥୀଙ୍କଠାରୁ ପ୍ରାୟ ୨୦ କୋଟି ଟଙ୍କା ଆଦାୟ କରେ । କିନ୍ତୁ ପରୀକ୍ଷା ଓ ମୂଲ୍ୟାୟନରେ ଖର୍ଚ୍ଚ ହୁଏ ୧୭ କୋଟି । ଅର୍ଥାତ୍ ବଳକା ପ୍ରାୟ ୩ କୋଟି ଟଙ୍କା ବୋର୍ଡର ଦୈନନ୍ଦିନ ପରିଚାଳନାରେ ସହାୟକ ହୁଏ । କିନ୍ତୁ କୋଭିଡ୍ ପରଠୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କଠାରୁ ଆଉ ଫର୍ମ ପୂରଣ ଫି’ ଆଦାୟ କରାଯାଉନାହିଁ । ଏହାକୁ ସରକାର ଭରଣା କରୁଛନ୍ତି । ଉକ୍ତ ଅର୍ଥ ବୋର୍ଡକୁ ପ୍ରଦାନ କରିବାରେ ସରକାରୀ ସ୍ତରରେ ବହୁ ବିଳମ୍ବ ହେଉଥିବା ଜଣାଯାଇଛି । ଏଣୁ ବୋର୍ଡର ଆର୍ଥିକ ପରିଚାଳନା କ୍ଷେତ୍ରରେ ଏବେ ଟଣାଭିଡ଼ା ପରିସ୍ଥିତି ଉପୁଜିଛି । ଫଳସ୍ୱରୂପ ଏଥରର ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ପାଇଁ ବି ବୋର୍ଡରେ ଟଣାଓଟରା ସ୍ଥିତି ଦେଖାଦେଇଛି ।
ମାଟ୍ରିକ୍, ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମା, ଓଡ଼ିଆ ଏକକ ଭାଷା ପରୀକ୍ଷା, ଓଟିଇଟି ଏବଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା, ସିଟି ପରୀକ୍ଷା ଆଦି ବୋର୍ଡ ପରିଚାଳନା କରିଥାଏ । ଏସବୁ ପରୀକ୍ଷା ପରିଚାଳନା ବାବଦ ଖର୍ଚ୍ଚ ବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷାର୍ଥୀଙ୍କଠାରୁ ଫର୍ମ ପୂରଣ ଫି’ରୁ ହିଁ ଆଦାୟ କରନ୍ତି । ବୋର୍ଡ ଏକ ସ୍ୱୟଂଚାଳିତ ସଂସ୍ଥା ହୋଇଥିବାରୁ ପରୀକ୍ଷା ପରିଚାଳନା ଏବଂ ପାଠ୍ୟପୁସ୍ତକ ବିକ୍ରିରୁ ଯେଉଁ ଅର୍ଥ ଆଦାୟ ହୁଏ ସେଥିରେ ସଂସ୍ଥା ତା’ର ବାର୍ଷିକ ଖର୍ଚ୍ଚ ତୁଲାଇଥାଏ । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କଠାରୁ ଫର୍ମ ପୂରଣ ବାବଦ ଧାର୍ଯ୍ୟ ୪୨୦ ଟଙ୍କା ଆଦାୟ ନକରିବା ପାଇଁ ସରକାର ଗତବର୍ଷ ପରି ଚଳିତ ବର୍ଷ ନିର୍ଦ୍ଦେଶ ଦେଇଥିବାରୁ ଏଥର ବି ଫି’ ଆଦାୟ କରାଯାଇ ନାହିଁ । ସେହିପରି ସରକାରୀ ନିର୍ଦ୍ଦେଶ ମୁତାବକ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ଗତ ମାସରେ ଦେଇଥିବା ଷାଣ୍ମାସିକ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ପ୍ରତି ବିଦ୍ୟାଳୟକୁ ବିନା ମୂଲ୍ୟରେ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥିଲା । ଏଥିଲାଗି ବୋର୍ଡ କର୍ତ୍ତୃପକ୍ଷ ୫ ଲକ୍ଷ ୫୦ ହଜାର ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ୍ର ଛପାଇ ନିଜ ଖର୍ଚ୍ଚରେ ରାଜ୍ୟ ସାରା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚାଇଥିଲେ । ଏସବୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ ହେଁ ତାହା ଅଦ୍ୟାବଧି ମିଳି ପାରିନାହିଁ ।
ଗତବର୍ଷର ମାଟ୍ରିକ୍ ଫର୍ମ ପୂରଣ ବାବଦ ଅର୍ଥ ମଧ୍ୟ ବୋର୍ଡ ଆକାଉଣ୍ଟ୍କୁ ଏଯାଏ ଫେରିନାହିଁ । ଏସବୁ ଭିତରେ ଆଗାମୀ ଫେବ୍ରୁଆରୀରେ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ପାଇଁ ଏବେଠୁ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି । ମାଟ୍ରିକ୍ ପରୀକ୍ଷା ଲାଗି ଫର୍ମ ପୂରଣ ବାବଦ ବୋର୍ଡ କର୍ତ୍ତୃପକ୍ଷ ଯେଉଁ ୨୦ କୋଟିରୁ ଅଧିକ ଟଙ୍କା ଆଦାୟ କରନ୍ତି ସେଥିରେ ପ୍ରଶ୍ନପତ୍ର ପ୍ରସ୍ତୁତି ସହ ରାଜ୍ୟ ବାହାରୁ ପ୍ରଶ୍ନପତ୍ର ଛପାଇ ବିଭିନ୍ନ ସେଣ୍ଟର୍ରେ ପହଞ୍ଚାଇବା, ଆଡମିଟ୍ କାର୍ଡ ପ୍ରସ୍ତୁତି, ସେଣ୍ଟର୍ରେ ପରୀକ୍ଷା ଆୟୋଜନ, ମୂଲ୍ୟାୟନ ଏବଂ ଫଳ ପ୍ରକାଶନ ସହ ପାସ୍ କରୁଥିବା ପରୀକ୍ଷାର୍ଥୀଙ୍କୁ ସାର୍ଟଫିକେଟ୍ ପ୍ରଦାନ ଆଦି ପାଇଁ ବୋର୍ଡ ପ୍ରାୟ ୧୭ କୋଟି ଖର୍ଚ୍ଚ କରିଥାଏ । ତେବେ ରାଜ୍ୟ ସରକାର ପରୀକ୍ଷା ଫି’ ଦେୟମୁକ୍ତ କରିଥିଲେ ହେଁ ଉକ୍ତ ଅର୍ଥ ବୋର୍ଡକୁ ପ୍ରଦାନ କରିବାରେ ବିଳମ୍ବ କରୁଥିବାରୁ ବୋର୍ଡ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଥିବା ଜଣାପଡ଼ିଛି । ସରକାର ଅର୍ଥ ପଇଠରେ ବିଳମ୍ବ କରୁଥିବାରୁ ପରୀକ୍ଷା ପ୍ରସ୍ତୁତି ଏବଂ ପରିଚାଳନା ବାବଦ ଆନୁସଙ୍ଗିକ ଆଗୁଆ ଖର୍ଚ୍ଚ କରିବାରେ ଟଣାଭିଡ଼ା ସ୍ଥିତି ଉପୁଜୁଥିବା ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ଏଥିପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।