ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଡ଼କ ଦୁର୍ଘଟଣା: ଦିନକରେ ୧୪ ମୃତ, ୨୧ ଗୁରୁତର

ଭୁବନେଶ୍ୱର, ୨୮।୧: ସଡ଼କ ସୁରକ୍ଷା ସପ୍ତାହରୁ ସୁଫଳ ନ ମିଳିବାରୁ ସରକାର ଆରମ୍ଭ କଲେ ସଡ଼କ ସୁରକ୍ଷା ମାସ ପାଳନ । ମାତ୍ର ଦୁର୍ଘଟଣା ରୋକିବାକୁ ସରକାର ଯେତେ ପଦକ୍ଷେପ ନେଲେ ମଧ୍ୟ ତାହା ଫଳପ୍ରଦ ହେଉନାହିଁ । ଗତ ୨୪ ଘଣ୍ଟାରେ ଅର୍ଥାତ ଦିନକରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ଲିଭିଯାଇଛି ୧୪ ମୂଲ୍ୟବାନ ଜୀବନ ଦୀପ । ୨୧ ଜଣ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଅନ୍ତର୍ଗତ ଖୋର୍ଦ୍ଧାବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ବୁଗୁଡ଼ା କଲୋନୀ ନିକଟ ଶାଳଭଙ୍ଗା ନିକଟରେ ଶୁକ୍ରବାର ରାତିରେ ଏକ ଟ୍ରକ୍‌ ଓ ପିକ୍‌ନିକ୍‌ ବସ୍‌ ଧକ୍କା ହେବାରୁ ୩ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ୧୧ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାର ୧୪୩ ନମ୍ବର ଜାତୀୟ ରାଜପଥରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଚାନ୍ଦିପୋଷ ଥାନା ଅନ୍ତର୍ଗତ ମଧୁପୁର ଛକଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । 

ସେହିପରି ବଣାଇଁ ଥାନ ଅନ୍ତର୍ଗତ ଉପରବାହାଲ ଛକ ନିକଟରେ ଏକ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ପୃଥକ୍‌ ଓ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଶିଶୁ ଓ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ଜୀବନ ଯାଇଛି । ୧୦ ଜଣ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଛକ ନିକଟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ୍‌ଙ୍କ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି । ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ୬୩ ନମ୍ବର ଜାତୀୟ ରାଜପଥର ବିଜାପୁର ଛକରେ ଶୁକ୍ରବାର ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିକଟରେ ଘଟିଥିବା ଦୁର୍ଘଟଣା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୦ଟାରେ ଏକ ଘରୋଇ ବସ୍‌ ଦଶପଲ୍ଲା ବାରପୁରିକିଆ ଅଞ୍ଚଳର ଦେବୀସ୍‌ ଟ୍ୟୁଟୋରିଆଲର ଛାତ୍ରଛାତ୍ରୀଙ୍କୁ ଧରି ନୃସିଂହନାଥ ଅଭିମୁଖେ ପିକ୍‌ନିକ୍‌ରେ ବାହାରିଥିଲା । ବସ୍‌ରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କୁ ମିଶାଇ ୫୦ ଜଣରୁ ଅଧିକ ଥିଲେ । ରାତି ପ୍ରାୟ ୧୧ଟାରେ ବସ୍‌ଟି ଦଶପଲ୍ଲାରୁ ୨୦ କିମି ଦୂର ଶାଳଭଙ୍ଗା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ୍‌(ଓଆର୍‌ ୧୫ ଆର୍‌ ୮୨୭୮) ସହ ଧକ୍କା ହୋଇଥିଲା । ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲେ ମଧ୍ୟ ପରସ୍ପର ସହ ଭୀଷଣ ଜୋର୍‌ରେ ଘସି ହୋଇ ଅତିକ୍ରମ କରିଥିଲେ । ଟ୍ରକ ଡାଲାର ପଛପଟ, ବସ୍‌ ସହ ଏତେ ଜୋରରେ ଘସି ହୋଇ ଯାଇଥିଲା ଯେ ବସ୍‌ର ସ୍ଲିପର୍‌ରେ ଶୋଇଥିବା ଦୁଇ ଜଣ ଛାତ୍ରୀଙ୍କ ମୁଣ୍ଡରୁ ଦହି ବାହାରି ଯାଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । 

ଦଶପଲ୍ଲା ପୁଲିସ, ବାଣୀଗୋଛା ପୁଲିସ ଓ ଦମକଳବାହିନୀ ମୃତାହତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ୧୨ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଜଣେ ଛାତ୍ରୀଙ୍କ ବାଟରେ ମୃତ୍ୟୁ ହୋଇଥିଲା । ୩ ମୃତ ଛାତ୍ରୀ ଦଶମ ଶ୍ରେଣୀର । ସେମାନେ ହେଲେ ଟାଙ୍ଗିଆପଲ୍ଲୀର ଚିନ୍ମୟୀ ପ୍ରିୟଦର୍ଶିନୀ, ଟାକରାର ଅମ୍ରିତା ସାହୁ, ଖଜୁରୀପଡ଼ାର ଲୋପାମୁଦ୍ରା ପ୍ରଧାନ । ପୁଲିସ ମାମଲା ରୁଜୁ କରି ୩ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ପୁଲିସ ଉଭୟ ଗାଡ଼ି ଜବତ କରିଥିବା ବେଳେ ଦୁଇ ଡ୍ରାଇଭର ଓ ଦୁଇ ହେଲ୍‌ପର ଅଟକ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ମଧୁପୁର ଛକରେ ଶନିବାର ଦିନ ସାଢ଼େ ୧୧ଟାରେ ଘଟିଥିଲା ଏକ ଦୁର୍ଘଟଣା । ବରସୁଆଁରେ ରହୁଥିବା ଅନୁପ ଜେନା ବାଇକ୍‌ରେ ରାଉରକେଲାରୁ ବରସୁଆଁକୁ ଯାଉଥିଲେ । ମଧୁପୁର ଛକ ନିକଟରେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେବା ସହ କିଛି ବାଟ ଘୋଷାଡ଼ି ନେଇଥିଲା । ଘଟଣା ସ୍ଥଳରେ ହିଁ ଅନୁପଙ୍କ ମୃତ୍ୟୁ ଘଟିଥିଲା । 

ସେହିପରି ବଣାଇଁ ଥାନା ଅନ୍ତର୍ଗତ ଉପରବାହାଲ ଛକ ନିକଟରେ ଅପରାହ୍ଣ ୩ଟାରେ ଘଟିଥିଲା ସଡ଼କ ଦୁର୍ଘଟଣା । ହାତୀବାହାଲ ଗ୍ରାମର ପ୍ରଦୀପ ମୁଣ୍ଡା ଓ ତାଙ୍କ ସମ୍ପର୍କୀୟା ଭଉଣୀ ଯମୁନା ମୁଣ୍ଡା ବାଇକ୍‌ରେ ଡାକ୍ତରଖାନାକୁ ଯାଇଥିଲେ । ସେଠାରୁ ଦଳେଇକେଲା ଆଡ଼କୁ ଫେରୁଥିବା ବେଳେ ବାଇକ୍‌ ସହ ଟ୍ରକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା । ଶନିବାର ମଧ୍ୟାହ୍ନରେ ଗଜପତି ଜିଲ୍ଲା ଅଡ଼ବା ଥାନା ପାଣିଗଣ୍ଡା ନିକଟ ତୋରାଣିପାଣି ଘାଟିରେ କାର୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବାପା-ମା’ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନ ୫୯ ନମ୍ବର ଜାତୀୟ ରାଜପଥର ଖଡଭାଗ ଗ୍ରାମ ମୁଖ୍ୟ ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ଯାତ୍ରୀବାହୀ ବସ୍‌ ଧକ୍କା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଭ୍ୟାନ୍‌ ଡ୍ରାଇଭର୍‌ ତଥା ଗୋଳନ୍ଥରା ଥାନା ହଳଦିଆପଦର ଗଡ଼ ସାହିର ବାବୁ ବେହେରା, ରୋଷେୟା କାର୍ଯ୍ୟ କରୁଥିବା ରାଜେନ୍ଦ୍ର ବଡୁ ଏବଂ ହେଲ୍‌ପର୍‌ ସୁନିତା ପାତ୍ରଙ୍କ ମୃତ୍ୟୁ ଘଟିଛି । 

ସେପଟେ ଶୁକ୍ରବାର ଅପରାହ୍ଣରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ ମହେନ୍ଦ୍ରଗିରି ପାହାଡ଼ରୁ ୩୦ ଫୁଟ୍‌ ତଳକୁ ଏକ କାର୍‌ ଖସିଯିବାରୁ ଚାଳକ, ୩ ଜଣ ମହିଳା ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ଡ୍ରାଇଭିଂ କରୁଥିବା ସ୍ୱାମୀ ଭୁବନେଶ୍ୱର ପାତ୍ରପଡ଼ାର ଅତୁଲ୍ୟ ପଣ୍ଡା (୩୦) ଓ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ (୨୯) ଏବଂ ଅନ୍ୟ ଦୁଇ ମହିଳା ସବିତା ପ୍ରଧାନ (୩୩) ଓ ରୋଜାଲିନ୍‌ ପ୍ରଧାନ (୩୩) । ସେହିପରି ଶନିବାର ମଧ୍ୟାହ୍ଣରେ ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ୍‌ କାର୍‌ରେ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲେ । କାମାକ୍ଷାନଗର ରେକୁଳା ଛକ ନିକଟରେ ତାଙ୍କ କାର୍‌ ବିପରୀତ ପାଶ୍ୱର୍ରୁ ବାଇକ୍‌ରେ ଫେରୁଥିବା ସର୍ବେଶ୍ୱରଙ୍କୁ ଧକ୍କା ଦେଇଥିଲା । ସାଂସଦ ଶ୍ରୀ ଓରାମ୍‌ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ସର୍ବେଶ୍ୱରଙ୍କୁ ତାଙ୍କ ପାଇଲଟିଂ ଗାଡ଼ିରେ ତୁରନ୍ତ କାମାକ୍ଷାନଗର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ତାଙ୍କ ଗାଡ଼ି ସାମ୍ନାକୁ ବାଇକ୍‌ ଚାଲି ଆସିବାରୁ ଦୁର୍ଘଟଣା ଘଟିଲା ବୋଲି ଶ୍ରୀ ଓରାମ୍‌ କହିଛନ୍ତି । ଅପରପକ୍ଷରେ ଦୁର୍ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । କାମାକ୍ଷାନଗର ମେଡିକାଲରେ ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ସରକାରଙ୍କ ତରଫରୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ୬୩ ନମ୍ବର ଜାତୀୟ ରାଜପଥର ବିଜାପୁର ଛକରେ ଶୁକ୍ରବାର ଅପରାହ୍ଣରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୋଟପାଡ଼ ପଟୁ ବୋରିଗୁମ୍ମା ଅଭିମୁଖେ ଏକ କାର୍‌ ଆସୁଥିଲା । ହଠାତ୍‌ ଏକ ବାଇକ୍‌ ସମ୍ମୁଖକୁ ଆସିଯିବାରୁ ଭାରସାମ୍ୟ ହରାଇ କାର୍‌ ଆଗରେ ଯାଉଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ଏ ସମୟରେ ଆଗରୁ ଆସୁଥିବା ଅନ୍ୟ ଏକ ବାଇକ୍‌ କାର୍‌କୁ ଧକ୍କା ଦେଇଥିଲା । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି । ମୃତକମାନେ ହେଲେ ଧୁଡୁସାପାଲାର ପଦ୍ମିନୀ ଭୂମିଆ, ବନ୍ଧୁଗୁଡ଼ାର ପଦ୍ମା ଭତ୍ରା ଓ ବାଇକ୍‌ ଚାଳକ ବତାସନାର କୃଷ୍ଣ ପଟ୍ଟନାୟକ । ଆହତଙ୍କ ମଧ୍ୟରୁ ଗୁରୁତର ୬ଜଣଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଛଛି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ଘୋଷଣା କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.