ବରଗଡ,୧୧।୯ : ବରଗଡ଼ରେ ସ୍କବ୍ ଟ୍ରାଇଫସ ଆତଙ୍କ । ତିନି ଦିନରେ ଗଲାଣି ତିନି ଜଣଙ୍କ ଜୀବନ । ଏହାକୁ ନେଇ ଜିଲ୍ଲାରେ ଭୟର ବାତାବରଣ ଖେଳି ଯାଇଛି। ମୃତକମାନେ ହେଲେ ବୁଙ୍ଗା ପାଲି ଗାଁର ସରୋଜ ପ୍ରଧାନ, ପଦ୍ମପୁରର ସଖି ପ୍ରଧାନ ଓ ଶିଖା ରଣା।
ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ଚାଷୀ ସରୋଜ ପ୍ରଧାନ (୪୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ସଖି ପ୍ରଧାନ (୭୦) ଏବଂ ବୁଧବାର ପଦ୍ମପୁରର ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଛି । ତିନିଜଣ ଯାକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ମଧ୍ୟ ଆଉ ୧୨ ଜଣ ଏଥିରେ ଆକ୍ରାନ୍ତ ହୋଇ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସ୍କବ୍ ଟ୍ରାଇଫସରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା କଥାକୁ ସିଡିଏମଓ ସ୍ୱୀକାର କରିଛନ୍ତି। ଅନ୍ୟ ଘରୋଇ ହସ୍ପିଟାଲ ଗୁଡ଼ିକୁ ରିପୋର୍ଟ ମଗାଯାଇଛି ଏବଂ ସେପରି କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ରକ୍ତ ନମୁନା ସଂଗ୍ରହ କରି ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହେବାକୁ ବରଗଡ଼ ମୁଖ୍ୟ ଚିକିତ୍ସା ଅଧିକାରୀ ନିରୂପମା ଷଡ଼ଙ୍ଗୀ ନିର୍ଦେଶ ଦେଇଛନ୍ତି ।