କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, ୨୮।୧: ‘ଦୈତାରୀ ସାର୍ କେବଳ ଜଣେ ଶିକ୍ଷକ ନଥିଲେ । ସେ ଥିଲେ ଚଳନ୍ତି ଶିକ୍ଷାନୁଷ୍ଠାନ । ସବୁବେଳେ ତାଙ୍କ ଭାବନା ମଧ୍ୟରେ ଛାତ୍ରଛାତ୍ରୀମାନେ ହିଁ ରହୁଥିଲେ । ସେମାନଙ୍କ ବିକାଶ କଥା ସେ ସବୁବେଳେ ଚିନ୍ତା କରୁଥିଲେ । ଫଳ ସ୍ୱରୂପ, ତାଙ୍କ ହାତଗଢ଼ା ଛାତ୍ରଛାତ୍ରୀମାନେ ଆଜି ଅଞ୍ଚଳର ପ୍ରଗତିର ସାରଥି ସାଜିଛନ୍ତି । ଶିକ୍ଷାଦାନ ସହ ସମଗ୍ର ଅଞ୍ଚଳର ସ୍ୱାସ୍ଥ୍ୟ, ପରିବେଶ ପାଇଁ ସାର୍ ଚିନ୍ତା କରୁଥିଲେ । ତାହା ତାଙ୍କ କାର୍ଯ୍ୟରେ ମଧ୍ୟ ରୂପାନ୍ତରିତ ହୋଇଥିଲା । ଅନ୍ୟର ଖୁସିରେ ସେ ଖୁସି ହେବା ଶିଖିଥିଲେ । ତାଙ୍କରି ପଦାଙ୍କ ଅନୁସରଣ କରି ତାଙ୍କ ସୁପୁତ୍ର ଡ. ମନୋଜରଞ୍ଜନ ନାୟକ ଆଜି ଜନସେବାରେ ସମର୍ପିତ । ଓଡ଼ିଶା କାହିଁକି ସାରା ଭାରତବର୍ଷରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଫେସର ଡ. ମନୋଜରଞ୍ଜନ ଆଜି ଏକ ସ୍ପର୍ଦ୍ଧିତ ନାମ ।’ - ଆଦର୍ଶ ଶିକ୍ଷକ ସ୍ୱର୍ଗତ ଦୈତାରୀ ନାୟକଙ୍କ ଜୟନ୍ତୀ ସମାରୋହରେ ବକ୍ତାମାନେ ଏଭଳି ମତ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅଧୀନ ବଲୁରିଆଠାରେ ଶନିବାର ଦୈତାରୀ ନାୟକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଜୟନ୍ତୀ ଉତ୍ସବରେ ରାଜ୍ୟ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୈତାରୀ ସାର୍ଙ୍କର ଅଞ୍ଚଳ ପ୍ରତି ଥିବା ଅବଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ସେ କହିଥିଲେ, ସାର୍ଙ୍କ ନିରବଚ୍ଛିନ୍ନ ଉଦ୍ୟମରୁ ଧୋୟାଞ୍ଚଳ ବିକାଶ ଦେଖିଥିଲା । ସେ ଜୀବନ ଗଢ଼ିବାର ରାସ୍ତା ବତାଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି, ପରିବେଶ ପାଇଁ ସବୁବେଳେ କାମ କରୁଥିଲେ । ସେ ବତାଇଥିବା ବାଟରେ ଚାଲି ଆଜି ତାଙ୍କ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ସୁପୁତ୍ର ପ୍ରଫେସର ଡ. ମନୋଜରଞ୍ଜନ ନାୟକ ତାଙ୍କ ଆଦର୍ଶକୁ ବ୍ରତ କରି ଲୋକସେବାରେ ନିଜକୁ ନିୟୋଜିତ କରିଛନ୍ତି । ଅନ୍ୟମାନଙ୍କ ଆଗରେ ଉଦାହରଣ ହୋଇ ଛିଡ଼ା ହୋଇଛନ୍ତି । ଉତ୍ସବରେ ମୁଖ୍ୟବକ୍ତା ଭାବେ ଦୈନିକ ସମ୍ବାଦପତ୍ର ‘ସକାଳ’ର କାର୍ଯ୍ୟକାରୀ ସମ୍ପାଦକ ସମରେନ୍ଦୁ ଦାସ ଯୋଗ ଦେଇ ଦୈତାରୀ ନାୟକଙ୍କ ଜୀବନଦର୍ଶନ ଆଲୋକପାତ କରି କହିଥିଲେ, ଦୈତାରୀ ସାର୍ ଅଞ୍ଚଳର ଜଣେ ଉଜ୍ଜ୍ୱଳ ତାରକା ସଦୃଶ ଥିଲେ । ତାଙ୍କ ଆଲୋକରେ ଅନ୍ୟମାନେ ଆଲୋକିତ ହୋଇଥିଲେ । ସେ ଅଜ୍ଞାନର ଅନ୍ଧକାରକୁ ଦୂରେଇ ଗ୍ରାମାଞ୍ଚଳରେ ଜ୍ଞାନର ମହାଜ୍ୟୋତି ପ୍ରଜ୍ଜ୍ୱଳନ କରିଥିଲେ । ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କ ସେବାରେ ସେ ନିଜକୁ ନିୟୋଜିତ କରିଥିଲେ ।
ତେଣୁ ଦେହାନ୍ତ ପରେ ମଧ୍ୟ ଆଜି ସେ ଅମର । ଅଞ୍ଚଳବାସୀଙ୍କ ହୃଦୟରେ ସେ ରହିଛନ୍ତି । ସାର୍ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଭଗବାନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ କବି ତଥା ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ବିଶ୍ୱାଳ, ଗାଳ୍ପିକ ପ୍ରଦୀପ କୁମାର ନାୟକ, ଦୈନିକ ‘ପ୍ରମେୟ’ର ଭୁବନେଶ୍ୱର ବ୍ୟୁରୋ ମୁଖ୍ୟ ଦେବେନ୍ଦ୍ର ସୁଆର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦୈତାରୀ ସାର୍ଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । କବି ସଚିତ୍ର କୁମାର ବେହୁରା ସଭା ପରିଚାଳନା କରିଥିବା ବେଳେ ଗୁରୁ ସୁଧାଂଶୁ ଶେଖର ଦାସ ଗୁରୁବନ୍ଦନା ଗାଇଥିଲେ । ଗୁଣୁପୁର ସରସ୍ୱତୀ ସେବା ସଂଗଠନର କଳାକାରମାନେ ଉଦ୍ଘାଟନୀ ସଙ୍ଗୀତ ଗାନ କରିଥିଲେ । କବୟିତ୍ରୀ ଆରାଧନା ଦାଶ ଅତିଥି ପରିଚୟ ଦେଇଥିବା ବେଳେ ଶିକ୍ଷାବିତ୍ ପାର୍ଥସାରଥୀ ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷାବିତ୍ ରଣଜିତ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଟ୍ରଷ୍ଟର ସଦସ୍ୟ ପୂର୍ବତନ ଶିକ୍ଷା ପ୍ରଶାସକ ସନାତନ ତରାଇ ଧନ୍ୟବାଦ ଦେଇଥିଲେ ।