ଖଲ୍ଲିକୋଟ ୧୦/୧୧: ଜଙ୍ଗଲରେ ଗାଈ ଗୋଠ ସହ ଚରୁଥିଲା ବଳଦ । ପାଖରେ ପଡିଥିବା ବୋମାକୁ ଖାଦ୍ୟ ଭାବି ଖାଇ ଦେବାରୁ ପାଟିରେ ଘଟିଲା ବିସ୍ଫୋରଣ । ଫଳରେ ବଳଦଟି ଗୁରୁତର ଭାବେ ଆହତ ହୋଇ ବର୍ତ୍ତମାନ ମୃତ୍ୟୁ ସହ ସଂଘର୍ଷ କରୁଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ, କମଳା ପଦର ଗ୍ରାମର ଭାଗିରଥି ପାହାନଙ୍କ ସ୍ତ୍ରୀ ସଂଜୁ ପାହାନ ପ୍ରତିଦିନ ତାଙ୍କର ଗାଇ ଗୋଠକୁ ଚରେଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଛାଡ଼ନ୍ତି । ଆଜି ମଧ୍ୟ ସେ ତାଙ୍କର ଗାଈ ଗୋଠକୁ ଚରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଛାଡିଥିଲେ । ସେଠାରେ ଗାଇଗୋରୁଙ୍କ ସହିତ ଗୋଟିଏ ବଳଦ ଖାଦ୍ୟ ଖାଉଥିବା ବେଳେ ବାରହା ଶିକାର ପାଇଁ ଶିକାରୀ ମାନେ ବିଛାଇ ଥିବା ବୋମାକୁ ଉକ୍ତ ବଳଦଟି ଖାଦ୍ୟ ଭାବି ଖାଇଦେଇଥିଲା ।
ଏହି ସମୟରେ ହଠାତ ବୋମାଟି ପାଟି ଭିତରେ ପ୍ରଚଣ୍ଡ ବସ୍ଫୋରଣ ହୋଇ ଥିଲା । ଏଥିରେ ବଳଦ ପାଟିର ତଳ ଅଂଶ ଜିଭ ସହିତ ଉଡି ଯାଇଥିଲା । ବର୍ତ୍ତମାନ ଗ୍ରାମରେ ଚିକିତ୍ସା ଚାଲିଥିବା ବେଳେ ବଳଦଟି ଆହାର ଗ୍ରହଣ କରି ନପାରି ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଜଣାପଡିଛି । ବାରହା ଶିକାରୀଙ୍କ ଉତ୍ପାତ୍ତ ଯୋଗୁଁ ଗତ କିଛି ମାସ ମଧ୍ୟରେ ଖଲ୍ଲିକୋଟ ବନାଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । କେନ୍ଦୁପାଟ, ବରପଦର, କୋମଣ୍ଡ ଗ୍ରାମରେ ବାରହା ଶିକାର ପାଇଁ ବିଛା ଯାଇଥିବା ବୋମାକୁ ଖାଇ କେତେକ ଗାଈ ମୃତ୍ୟୁବରଣ କରିଥିବା ନଜିର ରହିଛି । ତେଣୁ ସ୍ଥାନୀୟ ଜଙ୍ଗଲ ବିଭାଗ ଏଥିପ୍ରତି ସଜାଗ ରହିବା ସହ ସଞ୍ଜୁକୁ କ୍ଷତି ପୂରଣ ଦେବା ପାଇଁ କମଳାପଦର ଗ୍ରାମବାସୀ ଦାବି କରିଛନ୍ତି ।