ଭାପୁର,୧୬/୦୯: ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରୁ ଦୁର୍ଲ୍ଲଭ ଧାତୁର ସନ୍ଧାନ ମିଳିଛି । ଏହି ଧାତୁ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ । ଏହା ମୋବାଇଲ ଓ ଲାପଟପ୍ ଚିପ୍ରେ ବ୍ୟବହୃତ ହେଉଥିବା ଦୁର୍ଲ୍ଲଭ ଧାତୁ ବୋଲି ଚିହ୍ନଟ ହୋଇଛି । ଏ ନେଇ ଖନନ ଦାୟିତ୍ୱରେ ଥିବା ମୁଖ୍ୟ ଅଧିକାରୀ ମୌସୁମୀ ବାନାର୍ଜୀଙ୍କୁ ପଚାରିବାରେ ସେ କୌଣସି ସୂଚନା ଦେବାକୁ ମନା କରିଥିଲେ । ତେବେ ମୋବାଇଲ ଓ ଲାପ୍ଟପ୍ ଚିପ୍ରେ ଲିଥିୟମ ବ୍ୟବହାର ହେଉଥିବା ବେଳେ ଏଠାରେ ଲିଥିୟମର ସନ୍ଧାନ ମିଳିଥାଇପାରେ ବୋଲି ଅନୁମାନ କରାଯାଉଛି । ଏହି ଲିଥିୟମ ବିରଳ। ଜମ୍ମୁ-କାଶ୍ମୀର ଓ ଗୁଜରାଟରେ ଲିଥିୟମ ମିଳିଥିବା ବେଳେ ଏହା ଯଥେଷ୍ଟ ହେଉ ନଥିବାରୁ ଚିପ୍ ତିଆରେ ଦେଶ ଚୀନ୍ ଉପରେ ନିର୍ଭରଶୀଳ।
ଭାପୁର ବ୍ଲକ ବାଇଗୁଣିଆ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁପଡ଼ା ଗ୍ରାମ ନିକଟ ଛେଳିଆଡ଼ୁବୁରୀ ପାହାଡ଼ ନିକଟରେ ଗ୍ରାଫାଇଟ୍ର ସନ୍ଧାନ କରିଥିଲା ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ । ଅଢ଼େଇ ମାସ ତଳେ ଖନନ କାର୍ଯ୍ୟ କରାଯାଇଥିଲା । ଭାରତୀୟ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ପାହାଡ଼ରେ ଅପରେଟର ଇନ୍ଦ୍ରମଣି କୁମାରଙ୍କ ଦ୍ୱାରା ଖନନ କାର୍ଯ୍ୟ କରାଯାଇଥିଲା । ସାଟେଲାଇଟ୍ ରିପୋର୍ଟ ଆଧାରରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିଚାଳନାରେ ଏହି ଖନନ କାର୍ଯ୍ୟ ହୋଇଥିଲା । ସେମାନେ ଏହି ଛେଳିଆଡ଼ୁବୁରୀ ପାହାଡ଼ରେ ଭିନ୍ନ ଭିନ୍ନ ୩ଟି ସ୍ଥାନରେ ୭୦, ୭୧ ଓ ୬୧ ମିଟର ଗଭୀର ପର୍ଯ୍ୟନ୍ତ ଖନନ କରିଥିଲେ । ଖନନ ହୋଇଥିବା ମାଟିକୁ ଏକ ସ୍ୱତନ୍ତ୍ର ବାକ୍ସରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ପରୀକ୍ଷାଗାରକୁ ପଠାଯାଇଥିଲା । ୩ଟି ସ୍ଥାନରେ ଖନନ କଲା ପରେ ଏବେ ଚତୁର୍ଥ ସ୍ଥାନରେ ଖନନ କାର୍ଯ୍ୟ ଚାଲୁ ରହିଛି ।