ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି କଫି ବଗିଚାର କଫି କାଫେ

ଦାରିଙ୍ଗବାଡ଼ି,୨/୧୨ : ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ବର୍ତ୍ତମାନ  ଶୀତ  ବୃଦ୍ଧି ପାଉଥିବା ବେଳେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ତା’ସାଙ୍ଗକୁ ବୃଦ୍ଧି ପାଉଛି ଚା ଓ କଫିର ବେପାର । ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ନିଆଁର ଆଶ୍ରୟ ନେବା ସହ ଚା ଓ କଫି ପିଇ ଶୀତ ଦାଉରୁ ରକ୍ଷା ପାଇଥାନ୍ତି । ଏଭଳିସ୍ଥଳେ କଫି ବଗିଚାରେ ଥିବା କଫି କାଫେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଛି । ଏହି କଫିକାଫେ ଦାରିଙ୍ଗବାଡ଼ି କଫି ବଗିଚା ମଧ୍ୟରେ ରହିଛି । କଫି ବଗିଚା ଦାରିଙ୍ଗବାଡ଼ି ଛକଠାରୁ ମାତ୍ର ୧କିଲୋମିଟର ରାସ୍ତା । ଏହା ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ରହିଛି ।  

ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଚଳିତବର୍ଷ ନୂତନ ଭାବେ କଫିକାଫେ ଯୋଡ଼ି ହୋଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଉଦ୍ୟମକ୍ରମେ ଏହି କାଫେ ନିର୍ମାଣ ହୋଇପାରିଛି । ଏହି କଫିକାଫେ ହେବା ପରେ ପର୍ଯ୍ୟଟକମାନେ ସ୍ଥାନୀୟ କଫି ପିଇ ଆନନ୍ଦିତ ହେଉଛନ୍ତି । କଫିକାଫେକୁ ବେତନିଆଁ ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି । ପ୍ରତିଦିନ ଶହୟଶହ ପର୍ଯ୍ୟଟକ କଫି ପିଉଛନ୍ତି । ଖାଲି ଯେ ଏହି କଫିକାଫେରେ କଫି ମିଳୁଛି ତାହା ନୁହେଁ ବରଂ ଶିଶୁ ଉଦ୍ୟାନ ମଧ୍ୟ ରହିଛି । ଶିଶୁମାନଙ୍କ ପାଇଁ ଶିଶୁ ଉଦ୍ୟାନରେ ବିଭିନ୍ନ ଖେଳକୁଦର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ହରିଣ, ବାଘ, ଭାଲୁ, ସିମ୍ପାଞ୍ଜି, ମୟୂର ଭଳି ପଶୁ ପକ୍ଷୀଙ୍କ ମୂର୍ତ୍ତି ରହିଛି ।

ଏଥିସହ ଦୋଳି, ଖସଡ଼ା, ସ୍ପ୍ରିଙ୍ଗ ଜମ୍ପିଂ ଆଦିର ବ୍ୟବସ୍ଥା ରହିଛି । ଫାଇବରରେ ନିର୍ମିତ ପ୍ରଜାପତିରେ ରହିଛି ସେଲ୍ଫି ପଏଣ୍ଟ । ଏଥିସହ କଫି ବଗିଚାରେ କଫି ଗଛ ସହ ଗୋଲ ମରିଚ ଗଛ ଦେଖିବାକୁ ମିଳିବ । ୧୨ହେକ୍ଟର ଜମି ଅଞ୍ଚଳରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କଫି ଚାଷ ସହ ଗୋଲ ମରିଚ ଚାଷ  ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.