ନୂଆଦିଲ୍ଲୀ: ନୋଏଡାରେ ଫିଲ୍ମ ସିଟି ନିର୍ମାଣ ଲାଗି ଚର୍ଚ୍ଚା ଲାଗି ରହିଥିଲା । ଏହାକୁ ନେଇ ନିକଟ ଅତୀତରେ ଏକ ଖବର ଆସିଥିଲା ଯେ, ଅକ୍ଷୟ କୁମାରଙ୍କ କମ୍ପାନି ଫିଲ୍ମ ସିଟି ନିର୍ମାଣ କରିବ । ଅକ୍ଷୟ କୁମାରଙ୍କ ସମେତ ବଲିଉଡର ଅନେକ ନାମୀଦାମୀ ବ୍ୟକ୍ତି ଏଥିପାଇଁ ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ । ଏହି ତାଲିକାରେ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ନାମ ମଧ୍ୟ ସାମିଲ ଥିଲା । ଶେଷରେ ବୋନି କପୁର ହିଁ ବାଜି ଜିତି ନେଇଛନ୍ତି ।
ବୋନି କପୁର ଏବଂ ଅନ୍ୟ ଏକ କମ୍ପାନି ମିଳିତ ଭାବେ ନୋଏଡାରେ ଫିଲ୍ମ ସିଟି ନିର୍ମାଣ କରିବେ ବୋଲି ଜଣାପଡ଼ିଛି । ଯମୁନା ଏକ୍ସପ୍ରେସଓ୍ବେ ଡେଭେଲପମେଣ୍ଟ ଅଥୋରିଟି ପକ୍ଷରୁ ମଙ୍ଗଳବାର ଫିଲ୍ମ ସିଟି ଲାଗି ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରେ ବୋନି କପୁର ଏବଂ ଏକ ରିୟଲ ଇଷ୍ଟେଟ୍ କମ୍ପାନି ଭୁଟାନୀ ଗ୍ରୁପ ବାଜି ମାରିନେଇଛନ୍ତି । ସବୁଠୁ ଅଧିକ ଟଙ୍କାରେ ନିଲାମ ଜିତିବା ସହ ବୋନି କପୁର ଏବେ ଉତ୍ତର ପ୍ରଦେଶରେ ପ୍ରତିକ୍ଷିତ ଫିଲ୍ମ ସିଟି ନିର୍ମାଣ କରିବେ । ସେପଟେ ବୋନି କପୁରଙ୍କୁ ଏବେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ବାକି ରହିଛି ।
ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମିରେ ଏହି ପ୍ରୋଜକ୍ଟ ଆରମ୍ଭ ହେବ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପକୁ ବହୁତ ଭଲ ଭାବେ ନିର୍ମାଣ କରାଯିବ ବୋଲି କୁହାଯାଉଛି । ଏହି ପ୍ରକଳ୍ପରେ ଯେପରି କୌଣସି ତ୍ରୁଟି ନ ରୁହେ ସେ ପ୍ରତି ଧ୍ୟାନ ଦିଆଯିବ । ଏହି ପ୍ରକଳ୍ପ ସହ ଜଡିତ ଅଧିକାରୀମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଯଦି କାର୍ଯ୍ୟରେ ବିଳମ୍ବ ହୁଏ ତେବେ ସଂପୃକ୍ତ କମ୍ପାନୀ ଉପରେ ଦୈନିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ ।