ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏବେ ବି ୧୨୦ଟି ଅଜଣା ଶବର ପରିଚୟ ଖୋଜୁଛି କମିଶନରେଟ୍‌ ପୁଲିସ୍‌, ହତ୍ୟା ଓ ଅପମୃତ୍ୟୁ ମାମଲା ରୁଜୁ କରି ବସିଛି..

ଭୁବନେଶ୍ୱର,୧୧/୦୯: କାହାକୁ ତଣ୍ଟି କାଟି ହତ୍ୟା କରିଛନ୍ତି, କାହାକୁ ପଥରରେ ଛେଚି । ଆଉ କାହାକୁ ଦୁଷ୍ମର୍ମ କରି ହତ୍ୟା କରି ବସ୍ତାରେ ପୂରାଇ ନଦୀରେ ଫିଙ୍ଗିଛନ୍ତି । ପୁଣି କିଏ ଦୁର୍ଘଟଣାରେ ପ୍ରାଣ ହରାଇଛି । ଏମିତି ୧୨୦ଟି ଅଜଣା ଶବର ପରିଚୟ ଖୋଜୁଛି କମିଶନରେଟ୍‌ ପୁଲିସ୍‌ । ଏକଥା ସତ ଯେ, ଏମାନଙ୍କ ପରିଚୟ ଖୋଜିବା ପାଇଁ ପୁଲିସ୍‌ ବି ସେମିତି ଠୋସ୍‌ କଦମ ଉଠାଇ ନାହିଁ । ନାଁ କେଉଁ ଗଣମାଧ୍ୟରେ ବିଜ୍ଞାପନ ଦେଇଛି ନା ସର୍ବସାଧାରଣରେ ପୋଷ୍ଟର ମାରିଛି । ସିସିଟିଏନ୍‌ସ୍‌ରେ ତଥ୍ୟ ଦେଇ ଥାନାରେ ପୋଷ୍ଟ କାର୍ଡ ଭଳି ଫଟୋ ଲାଗାଇ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛି ।

ଯଦି କୌଣସି ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ମିଳେ ତାହା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ହୁଏ । ଶବ ମିଳିବା ପରେ ପୁଲିସ୍‌ ପ୍ରଥମେ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌ ପଠାଏ । ସେଠାରେ ମୃତ ଦେହର ଫଟୋ ଉଠାଏ । ଯଦି ଉକ୍ତ ମୃତଦେହରେ କିଛି ଚିହ୍ନ କିମ୍ବା ଟାଟୁ ଥାଏ, ତେବେ ତାର ବି ଫଟୋ ଉଠାଯାଏ । ବ୍ୟବଚ୍ଛେଦ ପରେ ଡିଏନଏ ଟେଷ୍ଟ ପାଇଁ ପୁଲିସ୍‌ ମୃତଦେହର ନଖ, ଚୁଟି, ବ୍ଲଡ୍‌ ସାମ୍ପଲ୍‌ ରଖେ । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ମଧ୍ୟ ରଖିବାକୁ ପଡ଼େ । ଏହି ୯୬ ଘଣ୍ଟା ମଧ୍ୟରେ ସିସିଟିଏନ୍‌ଏସ୍‌ରେ ମୃତ ବ୍ୟକ୍ତିଙ୍କ ଫଟୋ ଅପଲୋଡ୍‌ କରାଯାଏ । ସିସିଟିଏନ୍‌ଏସ୍‌ରେ ଏମିତି ଏକ ସଫ୍ଟୱେୟାର ଯେଉଁଥିରେ ଯଦି ପୂର୍ବରୁ କେହି ନିଖୋଜି ଥିବେ, ଆଉ ଥାନାରେ ଏନେଇ ଅଭିଯୋଗ ହୋଇଥିବ, ଆଉ ସେ ବ୍ୟକ୍ତିର ଫଟୋ ଯଦି ଅପଲୋଡ୍‌ ହୋଇଥିବ ତା’ହେଲେ ତାହା ଜଣାପଡ଼ିଯିବ । ସିସିଟିଏନ୍‌ଏସ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବା ପୂର୍ବରୁ ପୁଲିସ୍‌ କ୍ରିମିନାଲ୍‌ ଇଣ୍ଟେଲିଜେନ୍ସି ଗେଜେଟ୍‌ (ସିଆଇଜି) ବ୍ୟବହାର କରି ମୃତ ବ୍ୟକ୍ତିର ପରିଚୟ ଖୋଜୁଥିଲା । 

ଯଦି ୯୬ ଘଣ୍ଟା ମଧ୍ୟରେ ପରିଚୟ ନ ମିଳେ ତା’ହେଲେ ଜଣେ ଏସିପିଙ୍କ ଉପସ୍ଥିତିରେ ପୁଲିସ୍‌ ମୃତଦେହର ଅନ୍ତିମ ସଂସ୍କାର କରିଥାଏ । ଅଜଣା ଶବ ମିଳିଲେ ପୁଲିସ୍‌ ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଯାବତୀୟ କାମ କରିଥାଏ । ହେଲେ ୨୦୧୮ ମସିହାରୁ ହରିଶଚନ୍ଦ୍ର ଯୋଜନା ଲାଗୁ ହେଲା ପରେ ପୁଲିସ୍‌ ପାଇଁ ଫାଇଦା ହୋଇଛି । ଅଜଣା ଶବସତ୍କାର ପାଇଁ ୩ ହଜାର ଟଙ୍କା ମିଳୁଛି । ୨୦୧୭ ମସିହା ଠାରୁ ୨୦୨୩ ଜୁଲାଇ ଶେଷ ସୁଦ୍ଧା ୧୨୦ ମୃତ ଦେହର ପରିଚୟ ମିଳି ପାରି ନାହିଁ । ସେଥିରୁ ୧୫ଟି ହତ୍ୟାକାଣ୍ଡ ରହିଛି ।

ଚର୍ଚ୍ଚିତ ଅଚିହ୍ନା ଶବ 

୧- ୨୦୧୭ ଫେବ୍ରୁଆରୀ ୯ ତାରିଖରେ  ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ମେଘେଶ୍ୱର ମନ୍ଦିରରେ କ୍ୟାମ୍ପସ୍‌ ଭିତରେ ଜଣେ ଭିକାରୀଙ୍କୁ ହତ୍ୟା କରାଯାଇଥିଲା । ଲୁଟ୍‌ ପାଟ୍‌ ଉଦ୍ଦ୍ୟେଶରେ କେହି ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ତାଙ୍କ ବେକ କାଟି ହତ୍ୟା କରିଥିଲା । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ପୁରୀ ଅଞ୍ଚଳର ଭାସ୍କର ବୋଲି କୁହାଯାଉଛି । ମାତ୍ର ଏହି ଘଟଣାରେ ପୁଲିସ୍‌ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଗିରଫ କରି ପାରିନି କି ଭାସିଆର ପ୍ରକୃତ ପରିଚୟ ପାଇ ନାହିଁ । 

୨-୨୦୧୭ ଫେବ୍ରୁଆର ୧ ତାରିଖ ମଞ୍ଚେଶ୍ୱର ଥାନା କୁଆଖାଇ ବ୍ରିଜ୍‌ ତଳୁ ପୁଲିସ୍‌ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର କରିଥିଲା । ଶବଟି ଏକ ବଡ଼ କଳା ଏୟାର ବ୍ୟାଗ୍‌ ଭିତରେ ଥିଲା । ଯୁବତୀଙ୍କ ବୟସ ୨୫ରୁ ୩୦ ହେବ । ଘଟଣାକୁ ୭ ବର୍ଷ ବିତିଗଲାଣି ଏପର୍ଯ୍ୟନ୍ତ ପୁଲିସ୍‌ ଯୁବତୀଙ୍କ ପରିଚୟ ପାଇ ପାରିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା । 

୩-୨୦୨୧ ମସିହା ମାର୍ଚ୍ଚ ମାସରେ ଯାଁଳା ଫାଣ୍ଡିରୁ ଜଣେ ମହିଳାଙ୍କ କଙ୍କାଳ ବାହାରିଲା । ପୁଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ହେଲେ ମହିଳାଙ୍କର କେମିତି ମୃତ୍ୟୁ ହେଲା ? ମିହିଳା ଜଣଙ୍କ କିଏ? ସେ ବିଷୟରେ ଏପର୍ଯ୍ୟନ୍ତ କିଛି ଟେର ମିଳିନାହିଁ । ମହିଳା ପିନ୍ଧିିଥିବା ବସ୍ତ୍ରକୁ ଚିହ୍ନଟ କରି ମହିଳାଙ୍କ ପରିଚୟ ଦେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ମିଳିବ ବୋଲି ପୁଲିସ୍‌ ଘୋଷଣା କରି କାମ ସାରିଦେଲା । 

୪-କ୍ୟାପିଟାଲ ଥାନା ବାପୁଜୀ ନଗର ୨୦୨୧ ମସିହାରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିଲା । ମୃତ ବ୍ୟକ୍ତି ଘର କୋରାପୁଟ ବୋଲି ଜଣାପଡିଥିଲା । ହେଲେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ମିଳିଲା ନାହିଁ । 

୫-୨୦୨୧ ଜୁଲାଇ ୨୨ ତାରିଖରେ ମଞ୍ଚେଶ୍ୱର ବାଲିଯାତ୍ରା ପଡିଆରେ ଜଣେ ଯୁବକଙ୍କ ଦରପୋଡା ମୃତ ଦେହ ମିଳିଥିଲା । ଶବ ବ୍ୟବଚ୍ଛେଦ କରିବା ପରେ ପରିଚୟ ଖୋଜିଥିଲା ପୁଲିସ୍‌ । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ମାତ୍ର ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିଲା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.