ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଅତୀତକୁ ପଛରେ ଛାଡ଼ି ସୁନେଲୀ ଭବିଷ୍ୟତର ସଂଘର୍ଷ, ୫ ତୃତୀୟଲିଙ୍ଗୀ ମିଶି ସମବାୟ ଭିତ୍ତିରେ ଆରମ୍ଭ କରିଛନ୍ତି ବ୍ୟବସାୟ

ବଲାଙ୍ଗିର ୧୦/୦୨: ତୃତୀୟଲିଙ୍ଗୀ କହିଲେ, ସେମାନେ କେଉଁ ଟ୍ରେନ ଭିତରେ ତାଳିମାରି ନାଚିଥାଆନ୍ତି କିମ୍ବା ରାସ୍ତାଉପରେ ଛିଡ଼ାହୋଇ ଲୋକଙ୍କୁ ଟଙ୍କା ମାଗିଥାନ୍ତି ସାଧାରଣତଃ ସମସ୍ତଙ୍କ ମନରେ ଏଭଳି ଧାରଣା  ଆସିଥାଏ । ହେଲେ ଏଭଳି ବିଚାର ଯେ ଭୁଲ । ଏହା ସମସ୍ତଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ତୃତୀୟଲିଙ୍ଗୀଙ୍କ ଭିତରେ ଏଭଳି ଅନେକ ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ସାଧାରଣ ଲୋକଙ୍କ ବିଚାରରୁ  ଢ଼େର ଉଦ୍ଧ୍ୱର୍ରେ ରହି ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ, ଅସାଧାରଣ  ବୋଲି ପ୍ରମାଣିତ କରିପାରିଛନ୍ତି । ନିଜେ ପରିଶ୍ରମ କରି ଅନ୍ୟପାଇଁ  ଉଦାହରଣ ସୃଷ୍ଟି କରିଛନ୍ତି । 

ଏଭଳି ପାଞ୍ଚଜଣ ତୃତୀୟଲିଙ୍ଗୀ ହେଉଛନ୍ତି  ବଲାଙ୍ଗିର ଡୁଙ୍ଗୁରିପଡାର ପ୍ରଦୀପମୟ ନନ୍ଦ, ହାଟପଦାପଡାର ନରେଶ  କରୁଆଁ, ମାଲପଡାର ଦେବଦତ୍ତ ବିଶ୍ୱାଳ, ଚଟିଆପାଲିର ରଞ୍ଜିତ ନନ୍ଦ  ଏବଂ ଲର୍କିପାଲିର ଶ୍ୟାମ ଭୋଇ । ଏମାନେ ୫ଜଣ ସମଭାବାପନ୍ନ ହୋଇ ଏକ ଗୋଷ୍ଠୀ ଗଠନ କରିଛନ୍ତି । ଗତାନୁଗତିକତାରୁ ବାହାରି ସେମାନେ ସ୍ୱାବଲମ୍ବୀ ହେବାପାଇଁ ଏକ ଦୋକାନ କରିଛନ୍ତି । ଯେଉଁଠି  ସେମାନେ ଲୋକଙ୍କ ଦୈନନ୍ଦିନ ଖାଦ୍ୟଦ୍ରବ୍ୟର ଆବଶ୍ୟକତା ପୂରଣ  କରିବା ସହ ସେମାନେ ନିଜେ ବି ଭଲ ରୋଜଗାର କରୁଛନ୍ତି ।  ତାଙ୍କ ଉଦ୍ୟମ ଦେଖି ପ୍ରଶାସନ ପକ୍ଷରୁ ସେମାନଙ୍କୁ ବ୍ୟାବସାୟିକ  ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।  ସ୍ୱାବଲମ୍ବନର ରାସ୍ତା ସେମାନଙ୍କୁ ଏବେ ନୂଆ ପରିଚୟ ଆଣିଦେଇଛି । 

ଉକ୍ତ ଗୋଷ୍ଠୀର ସଦସ୍ୟମାନଙ୍କ କହିବା ଅନୁସାରେ, ସେମାନଙ୍କ  ସମସ୍ତଙ୍କ ଜୀବନ ପଛରେ ସଂଘର୍ଷର ଗୋଟିଏ ଗୋଟିଏ କାହାଣୀ  ରହିଛି । ସାମାଜିକ ସ୍ତରରେ ଅଣଦେଖା ହେବା, ଉପହାସର ଶିକାର  ହେବା, ଟାହିଟାପରା ଶୁଣିବା ଭଳି ତିକ୍ତ ଅନୁଭୂତି ରହିଛି । କିନ୍ତୁ  ଏବେ ସେ ସବୁ ଅତୀତ । ଯାହାକୁ ପଛରେ ଛାଡ଼ି ସେମାନେ ଢ଼େର  ଆଗକୁ ବଢ଼ିଗଲେଣି । ସେମାନେ ସେ ଯନ୍ତ୍ରଣାଦାୟକ ଅତୀତକୁ  ଆଉ ଫେରିଯିବାକୁ ଇଚ୍ଛାପ୍ରକାଶ କରୁନାହାନ୍ତି । ସେମାନେ ସମସ୍ତେ  ଶିକ୍ଷିତ ଅଟନ୍ତି । କିଏ ଯୁକ୍ତ ୨ ତ ଆଉ କିଏ ମାଟ୍ରିକ ପର୍ଯ୍ୟନ୍ତ ପାଠ  ପଢ଼ିଛନ୍ତି । ପୂର୍ବରୁ ସେମାନେ ସମସ୍ତେ ତୃତୀୟଲିଙ୍ଗୀଙ୍କ ବିଭିନ୍ନ  କାର୍ଯ୍ୟକ୍ରମରେ ଭେଟ ହେଉଥିଲେ । ସେହି ସମୟରେ ଏକାଠି  ବସୁବସୁ ନିଜ ଦକ୍ଷତାକୁ ବିନିଯୋଗ କରିବା ପାଇଁ ଚିନ୍ତାକଲେ  ଏବଂ ନିଜେ କିଛି କାମକରି ଦୁଇପଇସା ରୋଜଗାର କରିବାକୁ  ଆଗ୍ରହ ପ୍ରକାଶକଲେ । ୨୦୨୦ ମସିହାରେ ପାଞ୍ଚଜଣଯାକ  ମିଶି ମାଁ ମେଟାକାନୀ ସ୍ୱୟଂସହାୟକ ଗୋଷ୍ଠୀ ଗଠନ କଲେ ।  

ତା’ପରେ ଆରମ୍ଭ ହେଲା ଜୀବନର ଆଉ ଏକ ସଂଗ୍ରାମ ।  ପାଞ୍ଚଜଣ ସଦସ୍ୟ ନିଜନିଜ ଭିତରେ ପାଳି କରି ସମବାୟ  ଭିତ୍ତିରେ ଏକ ପରିବା ଦୋକାନ ଚଳାଇଲେ । ପରେପରେ  କେତେକ ପରିବା ବେପାରୀ ମଧ୍ୟ ତାଙ୍କୁ ସହଯୋଗ  କଲେ । ସକାଳୁ ଆଣି ତାଙ୍କୁ ପରିବା ଦେଇ ଗୋଟିଏ  ଦିନ ପରେ ଟଙ୍କା ନେବାକୁ ଲାଗିଲେ । ଏଭଳି ଭାବରେ  ବିନା କୌଣସି ସରକାରୀ ସହାୟତା, ବିନା କୌଣସି ପୃଷ୍ଠପୋଷକତାରେ ସେମାନେ ସଫଳ ହେଲେ । ପ୍ରତି  ୧୫ଦିନ କିମ୍ବା ମାସ ଶେଷରେ ବେପାରରୁ ଯାହା ଲାଭ  ବାହାରିଥାଏ, ତାକୁ ସେମାନେ ନିଜନିଜ ଭିତରେ ଭାଗ କରି ରେଜିଷ୍ଟର ପରିଚାଳନା କରିଥାନ୍ତି ।  ବେଳେବେଳେ ନିଜ ରୋଜଗାରରୁ ଅନ୍ୟକୁ  ସାହାଯ୍ୟ ମଧ୍ୟ କରୁଥିବା ସେମାନେ କହିଛନ୍ତି । କାହା ଆଗରେ ହାତ ନ ପତେଇ ନିଜେ ପରିଶ୍ରମ  କରି ଜୀବିକା ନିର୍ବାହ କରୁଥିବାରୁ ସମସ୍ତେ ଖୁସି  ଅଛନ୍ତି । ତୃତୀୟଲିଙ୍ଗୀମାନେ କାହାର ଦୟାର ପାତ୍ର  ନୁହନ୍ତି କିମ୍ବା ସେମାନଙ୍କୁ ଅନୁକମ୍ପା ଦରକାର  ନାହିଁ ବୋଲି କହିଛନ୍ତି । ଆଗକୁ ବଡ଼ ଉଦ୍ୟୋଗୀ ହେବେ ବୋଲି ସେମାନେ ସ୍ୱପ୍ନ ଦେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.