ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଯନ୍ତାରେ ପଡ଼ିଲା ମଣିଷଖିଆ ବାଘ, କାବୁ ହେବା ପରେ ମାରିଦେବାକୁ ଜିଦ୍‌ କଲେ ଗ୍ରାମବାସୀ

ନୂଆପଡ଼ା ୦୫/୧୧: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ଗ୍ରାମଗୁଡ଼ିକରେ ଗତ ୫ ଦିନଧରି ଆତଙ୍କ ସୃଷ୍ଟି କରିଥିବା ମଣିଷଖିଆ ବାଘ ଶନିବାର ବିଳମ୍ବିତ ରାତିରେ ଯନ୍ତାରେ ପଡ଼ିଛି । ଭବାନୀପାଟଣାରୁ ପହଞ୍ଚିଥିବା ଟ୍ରାଙ୍କୁଲାଇଜର ସ୍କ୍ୱାଡ ଓ ବନ ବିଭାଗର କର୍ମଚାରୀମାନେ ବାଘଟିକୁ କାବୁ କରିଛନ୍ତି । ବାଘଟି ଧନଜୀବନ ନଷ୍ଟ କରିଥିବା ଦର୍ଶାଇ ଉତ୍ୟକ୍ତ ଅଞ୍ଚଳବାସୀ ତାକୁ ମାରିଦେବା ଦାବିରେ ବାଘ ଓ ବନ ବିଭାଗ କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ଥାନୀୟ ସରପଞ୍ଚ ଭୁନେଶ୍ୱରୀ ଦଣ୍ଡସେନାଙ୍କ ଉଦ୍ୟମକ୍ରମେ ଉପଜିଲ୍ଲାପାଳ ସୁବାସ ଚନ୍ଦ୍ର ରଏତ, ନୂଆପଡ଼ା ବିଡ଼ିଓ ବିପିନଚନ୍ଦ୍ର ଦୀପ, ଏସିଏଫ, ମହମ୍ମଦ ସାଲିହା, ରେଞ୍ଜର ଆଲୋକ କୁମାର ମାଝି ପ୍ରମୁଖ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଗତ ୩୦ ତାରିଖରେ ଏକ ଶିଶୁକୁ ଝାମ୍ପି ନେଇଥିବା ବାଘ ଶୁକ୍ରବାର ସନ୍ଧ୍ୟାରେ ପୁଣି ଜଣେ ମହିଳାଙ୍କୁ ଶିକାର କରିଥିଲା । ମୃତ ମହିଳା ଜଣକ ହେଲେ ନୂଆପଡ଼ା ରେଞ୍ଜ ଧରମବନ୍ଧା ବିଟ୍‌ ସିଲିଆରିବାହାରା ଗ୍ରାମର ପୂର୍ବତନ ୱାର୍ଡ ମେମ୍ବର ରମେଶ୍ରୀ ମାଝି(୫୨) । ସେହିଭଳି ଶନିବାର ସନ୍ଧ୍ୟାରେ ବାଘଟି ଅଭୟାରଣ୍ୟ ନିକଟସ୍ଥ କୋଦୋପାଲି ଗ୍ରାମ ଉପରପଡ଼ାର ଜଣେ ଶିଶୁକୁ ଟାଣି ନେଉଥିବା ବେଳେ ଗ୍ରାମବାସୀ ବାଘକୁ ଗୋଡାଇଗୋଡାଇ ଶିଶୁଟିକୁ ଉଦ୍ଧାର କରିଛନ୍ତି । ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗ୍ରାମବାସୀ ବାଘମୁହଁରୁ ଶିଶୁକୁ ଉଦ୍ଧାର କରିବା ପରେ ବାଘ ସେ ସ୍ଥାନ ଛାଡ଼ି ଯାଇ ନଥିଲା । ପୁଣି ଆଜି ରାତି ୮ଟାରେ କୋଦୋପାଲି ଗ୍ରାମର ଜିରାଧନ ସାହୁଙ୍କ ଘରବାଡ଼ିକୁ ବାଘ ପଶିଯାଥିଲା । ବାଘକୁ ଦେଖି ସ୍ଥାନୀୟ ଲୋକେ ହାତରେ ଠେଙ୍ଗାବାଡ଼ି ଧରି ଘେରିଯାଇଥିଲେ । ବାଘଟି ବାଡ଼ି ଭିତରେ ଏକ ଭଙ୍ଗା ଘରେ ଲୁଚି ରହିଥିବା ବେଳେ ଲୋକଙ୍କ ଭିଡ଼ ଦେଖି ଘର ଛାତ ଉପରକୁ ଚଢ଼ିଯାଇଥିଲା । ଛାତ ଉପରେ ପ୍ରାୟ ୧୫ ମିନିଟ ବୁଲାବୁଲି କରିବା ପରେ ପୁଣି ଘର ଭିତରେ ଲୁଚି ରହିଥିଲା ଏହି ସୁଯୋଗରେ ବନ କର୍ମଚାରୀ ସମ୍ପୃକ୍ତ ଘର ଚାରିପାଖେ ଜାଲ ବିଛାଇଥିଲେ । ଜାଲ ମୁହଁରେ ଏକ ଯନ୍ତା ରଖି ଜଗିରହିଥିଲେ । ବାଘଟି ବାହାରିବାକ୍ଷଣି ଯନ୍ତାରେ ପଡ଼ିଥିଲା । 

ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନରେ ସିଲିଆରିବାହାରା ଗାଁର ତୁଲାରାମ ମାଝିଙ୍କ ସ୍ତ୍ରୀ ରମେଶ୍ରୀ ମାଝି(୫୦) ଶୌଚ ପାଇଁ ଘରୁ ପ୍ରାୟ ଶହେ ମିଟର ଦୂରକୁ ଯାଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ରାତିତମାମ ଗାଁ ଚାରିପାଖେ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଆଜି ସକାଳେ ଗାଁ ନିକଟସ୍ଥ ଆମକୋନୀ ଜଙ୍ଗଲରେ ଗ୍ରାମବାସୀ ଖୋଜାଖୋଜି କରିବା ବେଳେ ଏକ ପଥର ଚଟାଣରେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହକୁ ଠାବ କରିଥିଲେ । ବାଘଟି ମୃତଦେହକୁ ଖାଉଥିବା ଦେଖି ଗ୍ରାମବାସୀ ବାଣ ଫୁଟାଇ ବାଘକୁ ଘଉଡ଼ାଇଥିଲେ । ସେଠାରେ ମହିଳାଙ୍କ ମୁଣ୍ଡ ଓ ଗଣ୍ଡି ପ୍ରାୟ ୨୦ ଫୁଟ ଦୂରରେ ପଡ଼ିଥିଲା । ଅନ୍ତବୁଜୁଳା, କଲିଜା ଅନ୍ୟତ୍ର ଛିଟିକି ପଡ଼ିଥିଲା । ତେବେ ମହିଳା ଶୌଚ ବସିଥିବା ବେଳେ ବାଘ ଆସି ତାଙ୍କୁ ପଛପଟୁ ଝାମ୍ପି ନେଇଥିବା ଅନୁମାନ କରାଯାଇଛି । ଗତକାଲି ରାତିରୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ବାଘଟି ନିଜ ଶିକାରକୁ ଜଗି ରହିଥିଲା ।  

ପୁଣି ଶନିବାର ସନ୍ଧ୍ୟା ୬ଟାରେ କଳରାପତରିଆ ବାଘ କୋଦୋପାଲି ଗାଁକୁ ପଶିଥିଲା । ଗ୍ରାମର ବାଳକରାମ ବରିହାଙ୍କ ଘର ଅଗଣାରୁ ପରିବାର ଲୋକଙ୍କ ଉପସ୍ଥିତିରେ ପୁଅ ନୀଳକଣ୍ଠ ବରିହା(୮)ର ମୁଣ୍ଡକୁ ଧରି ଟାଣିନେବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଘର ସମ୍ମୁଖରେ ପରିବାର ଓ ଗ୍ରାମବାସୀ ହୋହଲ୍ଲା କରିବା ସହ ଠେଙ୍ଗାବାଡ଼ି ଧରି ବାଘକୁ ଘଉଡ଼ାଇଥିଲେ । ଶେଷରେ ବାଘ ମୁହଁରୁ ଲୋକେ ଶିଶୁକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ବାଘ ଆକ୍ରମଣରେ ଶିଶୁଟି ଗୁରୁତର ଆହତ ହୋଇଛି । ତା’ ଗଳା, କାନ, ମୁଣ୍ଡ ଓ କାନ୍ଧରେ ବାଘର ନଖ ଲାଗି ଗଭୀର କ୍ଷତ ହୋଇଛି । ପରିବାର ଲୋକେ ଶିଶୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଛନ୍ତି । 

ମହିଳାଙ୍କୁ ବାଘ ଖାଇବା ଖବର ପାଇ ଆଜି ଅପରାହ୍ନରେ ବନ କର୍ମଚାରୀ ସିଲିଆରିବାହାରା ଗାଁରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଗାଲିଗୁଲଜ କରିବା ସହ ମାରପିଟ କରିଥିଲେ । ଘଟଣାସ୍ଥଳରେ ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ଧରମବନ୍ଧା ଥାନାଧିକାରୀ ବିନୋଦ ବିହାରୀ ସେଠୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ସନ୍ଧ୍ୟାରେ ନୂଆପଡ଼ା ରେଞ୍ଜର ଆଲୋକ ମାଝିଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ଭୁବନେଶ୍ୱର ଦଣ୍ଡସେନାଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝି, ଉପସଭାପତି କମଳେଶ ଠାକୁର, ବ୍ଲକ ସଭାପତି ଭକ୍ତବନ୍ଧୁ ଧରୁଆ ପ୍ରମୁଖ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ଗ୍ରାମବାସୀଙ୍କ ସୁରକ୍ଷା ଦାବି କରିଥିଲେ । ତେବେ, ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା ଦିଆଯାଇଥିବାବେଳେ ଆସନ୍ତା କାଲି ୪୦ ହଜାର ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ବାକି ସରକାରୀ ନିୟମ ମୁତାବକ ୬ ଲକ୍ଷ ଟଙ୍କା ଦେବାକୁ ରହିଛି । ସନ୍ଧ୍ୟାରେ ମୃତଦେହ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଛି । ତେବେ ବାଘକୁ ତୁରନ୍ତ ଧରାଯିବ ବୋଲି ଖଡିଆଳ ଡିଏଫଓ ସୁଶୀଳ କୁମାର ତ୍ରିପାଠୀ କହିଥିବା ବେଳେ ଆଜି ହିଁ ବାଘଟି ଯନ୍ତାରେ ପଡ଼ିଛି ।

Copyright © 2022 - Summa Real Media Private Limited. All Rights Reserved.