ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରୀ ସ୍ତରରେ ଶୁକ୍ରାଣୁ ମିଳୁନି, ବେସରକାରୀ ସଂସ୍ଥା ଭରସାରେ ଗୋପାଳକ

ଭୁବନେଶ୍ୱର,୨୫/୦୩ (ଅମନ ଆୟୁଷ୍ମାନ ଦାସ): ରାଜ୍ୟରେ ଦୁଗ୍ଧ ଉତ୍ପାଦନ ପରିମାଣ ବଢ଼ାଇବା ଓ ଡାଏରୀ ସେକ୍ଟରକୁ ସୁଦୃଢ଼ କରିବା ପାଇଁ ସରକାର  ବିଭିନ୍ନ ଯୋଜନା କରୁଛନ୍ତି । ସେଥିମଧ୍ୟରେ ଗୋପାଳକଙ୍କୁ ଶୁକ୍ରାଣୁ (ସିମେନ୍‌)  ଯୋଗାଇବା ପାଇଁ ସରକାର ଘୋଷଣା କରିଛନ୍ତି । ହେଲେ ଏବେ ଗୋପାଳକଙ୍କୁ  ସରକାରୀସ୍ତରରେ ଉତ୍ତମମାନର ଶୁକ୍ରାଣୁ ମିଳୁନି । ଫଳରେ ସେମାନେ କେତେକ ବେସରକାରୀ ସଂସ୍ଥା ଉପରେ ନିର୍ଭର କରୁଛନ୍ତି । ଯାହାର ଦର ମଧ୍ୟ ଅଧିକ । ବେସରକାରୀ ସଂସ୍ଥା ଡୋଜ୍‌ ପ୍ରତି ଦର ୩୦୦ରୁ ୩୫୦ ଟଙ୍କା ନେଉଛନ୍ତି । ନିୟମ ରହିଛି, ଯେଉଁ ଶୁକ୍ରାଣୁ ସରକାରୀ ସଂସ୍ଥା ଯୋଗାଇବ ସେଠି ସବ୍‌ସିଡି ରହିବ ଓ ମାଗଣାରେ ଯୋଗାଇ ଦିଆଯିବ । ହେଲେ ସବୁ ଯୋଜନା ଓ ନିୟମ ତୃଣମୂଳରେ  ଫେଲ୍‌ ବୋଲି ଗୋପାଳକମାନେ କହିଛନ୍ତି । ସରକାରୀ ସ୍ତରରେ ଶୁକ୍ରାଣୁ ମିଳିବାରେ  ଅନିୟମିତତା ରହୁଥିବାରୁ ବାଧ୍ୟ ହୋଇ ବେସରକାରୀ ସଂସ୍ଥା ଉପରେ ନିର୍ଭର  କରିବାକୁ ପଡ଼ୁଛି । ଏହାଦ୍ୱାରା ଗାଈମାନେ ବାଞ୍ଝ ହେଉଛନ୍ତି । ଗୋପାଳକମାନେ  ବାଞ୍ଝ ଗାଈଙ୍କୁ ବାହାରକୁ ଛାଡ଼ିଦେଉଛନ୍ତି ।  

ଗାଈଙ୍କୁ ଉତ୍ତମମାନର ଶୁକ୍ରାଣୁ ଯୋଗାଇବା ସହ ଭଲ କିସମର ଗାଈ ଓ ମଇଁଷି  ଉତ୍ପାଦନ ଲକ୍ଷ୍ୟରେ କଟକସ୍ଥିତ ଖପୁରିଆରେ ଏକମାତ୍ର ଫ୍ରୋଜେନ୍‌ ସିମେନ୍‌ ବ୍ୟାଙ୍କ  ପ୍ରତିଷ୍ଠା ହୋଇଛି । ଯେଉଁଠି ବାର୍ଷିକ ୪୦ଲକ୍ଷରୁ ଅଧିକ ଡୋଜ୍‌ ଶୁକ୍ରାଣୁ ଉତ୍ପାଦନ  ହୋଇଆସୁଛି । ସମ୍ପ୍ରତି ଓଡ଼ିଶାରେ ଷଣ୍ଢ, ଜର୍ସି, ରେଡ୍‌ସିନ୍ଧି, ସାହିୱାଲ ଓ ଗିର୍‌ ଆଦି  ପ୍ରଜାତି ଷଣ୍ଢ ନିକଟରୁ ଶୁକ୍ରାଣୁ ଆସି ତାକୁ ପ୍ରକ୍ରିୟାକରଣ କରାଯାଉଛି । ସେହିପରି  ମଇଁଷିଙ୍କ କ୍ଷେତ୍ରରେ ମୁରା ପ୍ରଜାତିର ଶୁକ୍ରାଣୁ ଉପଲବ୍ଧ ।  

ବର୍ଷକ ତଳେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସାରା ରାଜ୍ୟରେ ସେକ୍ସ  ସର୍ଟେଡ୍‌ ସିମେନ୍‌ କାର୍ଯ୍ୟକ୍ରମ କରାଯିବ ବୋଲି ଘୋଷଣା କରାଯାଇଥିଲା । ଯେଉଁଠାରେ  ରାଜ୍ୟ ସରକାର ପ୍ରତି ଦୁଗ୍ଧ ଚାଷୀଙ୍କୁ ୭୫ ପ୍ରତିଶତ ସବ୍‌ସିଡି ଯୋଗାଇବେ ।  ଗୋଟିଏ ଡୋଜ୍‌ ସେକ୍ସ ସର୍ଟେଡ୍‌ ସିମେନର ଦର ୭୧୫ ଟଙ୍କା ରହିଥିବା ବେଳେ  ସରକାର ଏହାକୁ ୧୮୦ ଟଙ୍କାରେ ଯୋଗାଇଦେବେ ବୋଲି ଘୋଷଣା କରିଥିଲେ। ୨୦୨୨-୨୩ ବର୍ଷରେ ରାଜ୍ୟର ୧.୨୦ ଲକ୍ଷ ଗୋରୁଙ୍କୁ ୫.୫୦ ଲକ୍ଷ ଡୋଜ୍‌ ସେକ୍ସ  ସର୍ଟେଡ୍‌ ସିମେନ ପ୍ରଦାନ କରାଯିବାର ଲକ୍ଷ୍ୟ ରହିଥିଲା । ହେଲେ ସହରାଞ୍ଚଳ ଓ  ଗ୍ରାମାଞ୍ଚଳର ଅନେକ ଗୋପାଳକଙ୍କୁ ନିଶୁଳ୍କ ଶୁକ୍ରାଣୁ ମିଳୁନି । 

ଏ ବାବଦରେ ସରକାରୀ  ଅଧିକାରୀଙ୍କ ପାଖରେ ତଥ୍ୟ ମଧ୍ୟ ନାହିଁ । ରାଜ୍ୟରେ ଆହୁରି ଶୁକ୍ରାଣୁ ଉତ୍ପାଦନ ବୃଦ୍ଧି  ପାଇଁ ଗତ ୨୦୧୪ରେ ରାଜ୍ୟ ସରକାରଙ୍କ ସହ ଜାତୀୟ ଡାଏରୀ ବିକାଶ ବୋର୍ଡ  ସହ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତି ଅନୁସାରେ, ମୟୂରଭଞ୍ଜରେ ଆଉ ଏକ  ସିମେନ୍‌ ଷ୍ଟେସନ୍‌ ନିର୍ମାଣ ହୋଇଥାନ୍ତା। ଏଥିପାଇଁ ରାଜ୍ୟ ସରକାର କାଠପାଳ ଓ  ପ୍ରତାପପୁରଠାରେ ଜମି ଯୋଗାଇବାକୁ ମଧ୍ୟ ପ୍ରସ୍ତୁତ ଥିଲେ । ଇତିମଧ୍ୟରେ ୧୦ବର୍ଷ  ବିତିସାରିଛି। ହେଲେ ଏପର୍ଯ୍ୟନ୍ତ ସେଠାରେ ପ୍ରକଳ୍ପ ଆଗେଇପାରିନି । 

ଏ ସଂକ୍ରାନ୍ତରେ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ଧର୍ମବିହାରର ଜଣେ ଗୋପାଳକ  କହିଛନ୍ତି, ତାଙ୍କ ପାଖରେ ଏବେ ୧୦ଟି ଗାଈ ଅଛନ୍ତି । ଗାଈଙ୍କ ପ୍ରଜନନ  ପାଇଁ ସେ ଶୁକ୍ରାଣୁ ଉପରେ ନିର୍ଭର କରିଥାନ୍ତି । ସରକାରୀସ୍ତରରେ ଶୁକ୍ରାଣୁ  ପାଇବାରେ ସେ ବିଫଳ ହେବାପରେ ବେସରକାରୀ ସଂସ୍ଥା ଉପରେ ନିର୍ଭର  କରୁଛନ୍ତି । ଗୋଟିଏ ଡୋଜ୍‌ର ଦାମ ୩ଶହ ଟଙ୍କା ପଡ଼ୁଥିବା ସେ କହିଛନ୍ତି ।  

ସେହିପରି ଗୋପାଳରତ୍ନ ପୁରସ୍କାର ପ୍ରାପ୍ତ ଗବେଷକ ଗୋପାଳ ରଣା କହିଛନ୍ତି,  ସରକାରୀସ୍ତରରୁ ମିଳୁଥିବା ଶୁକ୍ରାଣୁକୁ ସେ ଠିକ୍‌ ସମୟରେ ଗାଈ ମାଲିକଙ୍କୁ  ପ୍ରଦାନ କରନ୍ତି । ଏବେ ସେକ୍ସ ସର୍ଟେଡ୍‌ ସିମେନର ଚାହିଦା ବେଶି । ଏହାର ଡୋଜ୍‌  ପ୍ରତି ୧୮୦ଟଙ୍କା ଦର ରହିଛି । ଗୋପାଳକମାନେ ଏଦିଗରେ ସଚେତନ ହୋଇ  ସରକାରୀସ୍ତରରେ ମିଳୁଥିବା ଶୁକ୍ରାଣୁକୁ ବ୍ୟବହାର କରନ୍ତୁ ବୋଲି ସେ କହିଛନ୍ତି ।  

ଭୁବନେଶ୍ୱର ଏସଡିଭିଓ ଡା. ରବି ପଟ୍ଟନାୟକ ଶୁକ୍ରାଣୁ ନ ମିଳିବା କଥାକୁ  ଅସ୍ୱୀକାର କରିଛନ୍ତି । ଗାଈଙ୍କ ପ୍ରଜନନ କ୍ଷମତା ହ୍ରାସ ପଛରେ ଖାଦ୍ୟପେୟରେ  ଅନିୟମିତତା ଓ ମାଲିକଙ୍କ ଅବହେଳା ଦାୟୀ ବୋଲି ସେ କହିଛନ୍ତି ।  

ଅପରପକ୍ଷେ, କଟକରେ ଯେଉଁ ସିମେନ ବ୍ୟାଙ୍କ ରହିଛି ସେଠାରେ ଏକ  ନିୟମ ରହିଛି । ଉକ୍ତ ବ୍ୟାଙ୍କରେ ଥିବା ଶୁକ୍ରାଣୁ ଟାଙ୍କିକୁ ମନିଟରିଂ ପାଇଁ କେନ୍ଦ୍ରୀୟ  ଟିମ୍‌ ପ୍ରତିବର୍ଷ ପରିଦର୍ଶନ କରିଥାନ୍ତି । ଷଣ୍ଢଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୁଏ । ଏହାପରେ  ଶୁକ୍ରାଣୁକୁ ଆଇଏସଓ ପ୍ରମାଣପତ୍ର ମିଳେ । ଏହି ପ୍ରକ୍ରିୟା ଯୋଗୁ ଶୁକ୍ରାଣୁ ମିଳିବାରେ  ବିଳମ୍ବ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.