ଭୁବନେଶ୍ୱର ୦୭/୦୯: କାହାର ବାହାଘର ତ ଆଉ କାହାର ଛାଡ଼ପତ୍ର, କେଉଁ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା, କାହାର ଚାକିରି ଚାଲିଯାଇଛି ତ ଆଉ କିଏ ଚିନ୍ତାରେ । କିଛି ଲୋକ ପାଖପଡ଼ୋଶୀ, ପରିବାର ସମ୍ପର୍କୀୟ, ସାଙ୍ଗଙ୍କ ଜୀବନ ବିଷୟରେ ସବୁକଥା ଜାଣିବାକୁ ପସନ୍ଦ କରିଥାନ୍ତି। କେବଳ ଜାଣି ନଥାନ୍ତି, ବରଂ ସବୁ କଥାକୁ ଅନ୍ୟ ଆଗରେ ପ୍ରକାଶ ମଧ୍ୟ କରି ମଜା ନେଇଥାନ୍ତି । ଏମାନଙ୍କୁ ସମାଜରେ ଚୁଗୁଲିଆ କୁହାଯାଇଥାଏ । ସେମାନଙ୍କୁ କାମକୁ ଚୁଗୁଲି କୁହାଯାଏ । ଏଭଳି ଲୋକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ପାଖପଡ଼ୋଶୀ ସବୁଠାରେ ମିଳିଯାଇଥାନ୍ତି । କିନ୍ତୁ ଜାଣନ୍ତି କି ? ଚୁଗୁଲି ସବୁବେଳେ ନକାରାତ୍ମକ ନୁହେଁ ।
ଆମ ସମାଜ ଚୁଗୁଲିଆଙ୍କୁ ନକାରାତ୍ମକ ଦୃଷ୍ଟିକୋଣରେ ଦେଖିଥାଏ । ତେଣୁ ଏପରି ଲୋକଙ୍କଠାରୁ ଦୂରେଇ ରହିବାକୁ ଭଲପାଇଥାନ୍ତି । ଏପରିକି ଅନ୍ୟମାନଙ୍କୁ ମଧ୍ୟ ଚୁଗୁଲିଆଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି? ଚୁଗୁଲି କରିବା ଏକପ୍ରକାର ସୋସିଆଲ୍ ସ୍କିଲ୍, ଯଦି ଚୁଗୁଲି କରିବା ସମୟରେ ଅନ୍ୟର କ୍ଷତି ନ ହେବା ପ୍ରତି ଦୃଷ୍ଟି ରଖାଯାଏ । ଜାଣନ୍ତି କି? ଚୁଗୁଲି କରିବା ବା ବିଭିନ୍ନ ତଥ୍ୟ ଗୋଟିଏ ଜାଗାରୁ ଅନ୍ୟକୁ ସ୍ଥାନାନ୍ତରଣ କରିବା ଖୁବ୍ ସାଧାରଣ କଥା । ଏହି ଅଭ୍ୟାସ ଭଗବାନ ପ୍ରଦତ୍ତ । ମଣିଷ ମସ୍ତିଷ୍କର ସଂରଚନା ଏପରି ହୋଇଛି ଯେ ଏହାର କାମ ହେଲା ତଥ୍ୟକୁ ଆଗେଇ ନେବା । ଏହାକୁ ମନୋବିଜ୍ଞାନ ଭାଷାରେ ସୋସିଆଲ୍ ସ୍କିଲ୍ କୁହାଯାଏ । ନିକଟରେ ହୋଇଥିବା ଏକ ଗବେଷଣାରେ କୁହାଯାଇଛି, ଗପୁଡ଼ା ଲୋକଙ୍କ କମ୍ୟୁନିକେସନ୍ ସ୍କିଲ୍କୁ ବଢାଇବାରେ ସହଯୋଗ କରିଥାଏ, ଯାହାଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ । ଅବଶ୍ୟ ଏଥିପାଇଁ ନିଜର ସୀମା ନିର୍ଦ୍ଧାରଣ କରିବାକୁ ପଡିଥାଏ ।
କିଛି ମଜାଦାର ସତ୍ୟ
ଗପିବା ଅଭ୍ୟାସ ଆମକୁ ଉତ୍ତରାଧିକାରୀ ସୂତ୍ରରେ ମିଳିଥାଏ । ଏହା ଆମର ଡିଏନ୍ଏରେ ରହିଥାଏ ।
ଯେତେବେଳେ ଦୁଇଜଣ କଥାବାର୍ତ୍ତା କରିଥାନ୍ତି । ସେମାନଙ୍କ କଥାବାର୍ତ୍ତାର ୮୦ ପ୍ରତିଶତ ଚର୍ଚ୍ଚା ଅନ୍ୟଜଣକ ବିଷୟରେ ହୋଇଥାଏ । ଅନ୍ୟ ବିଷୟରେ କଥା ହୋଇ କିଛିଲୋକ ଖୁସି ଅନୁଭବ କରିଥାନ୍ତି ।
ଅତ୍ୟଧିକ ଗପୁଥିବା ଲୋକମାନେ ଶୁଣିଥିବା କଥାକୁ ଅନ୍ୟ ସହ ନ ବାଣ୍ଟିବା ଯାଏ ଶାନ୍ତିରେ ବସି ପାରିନଥାନ୍ତି ।
୫୬୭ ଲୋକଙ୍କୁ ନେଇ ଏକ ଗବେଷଣା ହୋଇଥିଲା । ସେଥିରୁ ଜଣାପଡିଥିଲା ଯେ ୫୬୭ ମଧ୍ୟରୁ ୫୩୩ ଜଣଙ୍କୁ ଗପିବାର ଅଭ୍ୟାସ ରହିଥାଏ । ମାତ୍ର ୩୪ ଜଣ ଲୋକଙ୍କ ଭିତରେ ଗପସପ ପାଇଁ ଆଗ୍ରହ ନଥାଏ ।
ଗବେଷଣା ଅନୁସାରେ ଗପିବା ମଧ୍ୟ ସିଗାରେଟ୍ ବା ଅନ୍ୟ ନିଶା ପରି ଅଭ୍ୟାସଗତ । ଯେଉଁ ଲୋକମାନଙ୍କୁ ଏହି ନିଶା ଧରିଯାଏ, ସେମାନେ ଏହାକୁ ଛାଡ଼ିବା ଆଦୌ ସହଜ ନୁହେଁ ।
କୁହାଯାଏ ଏହି ଲୋକମାନେ ନିଜ କଥାକୁ ଅନ୍ୟ ଆଗରେ ପ୍ରକାଶ ନ କଲେ ସେମାନଙ୍କ ଖାଦ୍ୟ ହଜମ ହୋଇ ନଥାଏ ।
ଫାଇଦା
କୁହାଯାଏ ନିନ୍ଦା ଠାରୁ ଚୁଗୁଲି ଭଲ । ଅବଶ୍ୟ ଆମ ସମାଜରେ ଚୁଗୁଲିକୁ ନକାରାତ୍ମକ ଗୁଣ ଭାବେ ଗ୍ରହଣ କରାଯାଇଥାଏ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଚୁଗୁଲିର ଅନେକ ଫାଇଦା ରହିଛି । ଚୁଗୁଲି କରିବା ଦ୍ୱାରା ମସ୍ତିଷ୍କ ଓ ଶରୀର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ ।
ଗପିବା ଦ୍ୱାରା ଆଖପାଖର ସମସ୍ତ ଖବର ନେଣଦେଣ ସମ୍ଭବ ହୋଇଥାଏ । ଫଳରେ ସାମାଜିକ ଦୁନିଆକୁ ସମସ୍ତେ ଜାଣିପାରନ୍ତି ।
ଗସିପିଂ ଦ୍ୱାରା ଖୁସି ମିଳିଥାଏ । ଏହା ଆପଣଙ୍କୁ ସୁସ୍ଥ ରଖିବା ସହ ବୟସ୍କ ଲାଗିବାକୁ ଦିଏନା ।
ଏହା ଫିଲ୍ଗୁଡ୍ ଫ୍ୟାକ୍ଟରକୁ ବଢାଇଥାଏ । ଫଳରେ ମସ୍ତିଷ୍କରେ ଅକ୍ସିଟେସନ୍ ହର୍ମୋନ୍ର ସ୍ତର ବଢିଥାଏ, ଯାହାକୁ ଲଭ୍ ହର୍ମୋନ୍ ମଧ୍ୟ କୁହାଯାଇଥାଏ । ଏହି ହର୍ମୋନ୍ କ୍ଷରଣ ଦ୍ୱାରା ସାରା ଶରୀରରେ ଅଲଗା ପ୍ରକାରର ଖୁସି ଅନୁଭବ ହୋଇଥାଏ ।
ଗବେଷଣା ଅନୁସାରେ ଗସିପିଂ ବା ଚୁଗୁଲି କରିବା ଦ୍ୱାରା ସମ୍ପର୍କର ଡୋର ମଜଭୁତ ହୋଇଥାଏ । ଦୁଇଜଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ବଢିଥାଏ ।
ଚୁଗୁଲି ଅଭ୍ୟାସ ଷ୍ଟ୍ରେସ୍ ବୁଷ୍ଟର୍ର କାମ କରିଥାଏ । ଯଦି ଆପଣ ବହୁତ ଚିନ୍ତାରେ ରହୁଥାନ୍ତି, ତେବେ ଗପିବା ଆରମ୍ଭ କରିଦିଅନ୍ତୁ । ହାଲ୍କା ଅନୁଭବ କରିବେ ।
ଏଭଳି ଆଦୌ କରନ୍ତୁନି
ଚୁଗୁଲି କରୁଥିବା ଲୋକଟି ଅନ୍ୟର ଦୁର୍ବଳତାକୁ ହିଁ ଦୃଷ୍ଟି ଦେଇଥାଏ, ଯାହା ଆଦୌ ଠିକ୍ ନୁହେଁ ।
ଚୁଗୁଲି କରି ଦୁଇଜଣଙ୍କୁ ମଧ୍ୟରେ ଝଗଡ଼ା ସୃଷ୍ଟି କରିବାର କାରଣ ହୁଅନ୍ତୁନି ।
ଚୁଗୁଲି କରୁଥିବା ଲୋକର ମନରେ ମିଛ କହିବା, ନିନ୍ଦା କରିବା, ମତଭେଦ ସୃଷ୍ଟି କରିବା ପରି ଅନେକ ଖରାପ ଅଭ୍ୟାସ ଜନ୍ମ ନେଇଥାଏ।
ଚୁଗୁଲି କରୁଥିବା ଲୋକକୁ କେହି କେବେ ବିଶ୍ୱାସ କରିପାରି ନଥାନ୍ତି ।
ଅନ୍ୟର ନିନ୍ଦା କରିବା ଅପେକ୍ଷା ଗସିପିଂ ଭଲ । ଗସିପିଂ ବା ଚୁଗୁଲି କରିବା ଦ୍ୱାରା ଆମ ଚାରିପାଖରେ ଚାଲିଥିବା ବିଭିନ୍ନ ତଥ୍ୟ ଆମ ପାଖରେ ପହଞ୍ଚିଥାଏ । ଫଳରେ ଆମେ ସଚେତନ ରହିଥାଉ । ଗସିପିଂ କରୁଥିବା ଲୋକମାନେ ଖୁସି ରହିବା, ସ୍ୱାସ୍ଥ୍ୟ ସଚେତନ ରଖିବା ସହ ବିଭିନ୍ନ ବସୟର ଲୋକଙ୍କ ସହ ମିଶିପାରନ୍ତି ଓ ଏମାନଙ୍କ ବ୍ୟବହାର ଖୁବ୍ ମାର୍ଜିତ ହୋଇଥାଏ । ଏପରିକି ଖୁସି ରହିବାର ବାଟ ସେମାନଙ୍କୁ ବେଶ୍ ଜଣାଥାଏ । ଗସିପିଂ ଦ୍ୱାରା ଲଭ୍ ହର୍ମୋନ୍ କ୍ଷରଣ ହୋଇଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହଯୋଗ କରିଥାଏ । ସେହିପରି ଗସିପିଂ ସମ୍ପର୍କର ଡୋରକୁ ମଜଭୁତ କରିବା ସହ ବିଶ୍ୱାସ ବଢାଇଥାଏ । ଚୁଗୁଲି କରିବା ଦ୍ୱାରା ମାନସିକ ଚାପ କମ୍ ରହିଥାଏ । ତେଣୁ ଡାକ୍ତର ମାନସିକ ରୋଗୀଙ୍କୁ ଚାପଗ୍ରସ୍ତ ଥିବା ସମୟରେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବାକୁ ପରାମର୍ଶ ଦେଇଥାନ୍ତି । - (ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର, ମାନସିକ ରୋଗ ବିଶେଷଜ୍ଞ, ସମ୍ ହସ୍ପିଟାଲ୍ )