ନୂଆଦିଲ୍ଲୀ, ୧୯ ।୯: କର୍ଣ୍ଣାଟକର ପ୍ରସିଦ୍ଧ ହୋୟସାଳ ମନ୍ଦିରକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି । ସାଉଦି ଆରବର ରିୟାଦ ଠାରେ ଅନୁଷ୍ଠିତ ବିଶ୍ୱ ଐତିହ୍ୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ୟୁନେସ୍କୋ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି । କର୍ଣ୍ଣାଟକର ବେଲୁର, ହାଲେବିଡ ଏବଂ ସୋମନାଥ ପୁରା ଅଞ୍ଚଳରେ ଅବସ୍ଥିତ ଏହି ପ୍ରାଚୀନ ମନ୍ଦିରକୁ ୨୦୧୪ରୁ ୟୁନେସ୍କୋ ତାର ସମ୍ଭାବ୍ୟ ଐତିହ୍ୟ ତାଲିକାରେ ସ୍ଥାନ ଦେଇଥିଲା । ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବାରେ ଏହା ହେଉଛି ଭାରତର ୪୨ ତମ କୀର୍ତ୍ତିରାଜି ।
ଗତକାଲି ଐତିହ୍ୟ କମିଟି ପକ୍ଷରୁ ପଶ୍ଚିମବଙ୍ଗର ଶାନ୍ତିନିକେତନକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରାଯାଇଥିଲା । ଭାରତରେ ଦଶମ ଓ ଚତୁର୍ଦ୍ଦଶ ଶତାବ୍ଦୀ ମଧ୍ୟରେ ହୋୟସାଳ ସାମ୍ରାଜ୍ୟ ବିସ୍ତାରଲାଭ କରିଥିଲା । କଳା, ସ୍ଥାପତ୍ୟ ଓ ସଂସ୍କୃତି ଦୃଷ୍ଟିରୁ ଏହା ଦକ୍ଷିଣ ଭାରତର ଏକ ଅନୁପମ କୀର୍ତ୍ତିରାଜି ।