ଅହମ୍ମଦାବାଦ,୧୯/୧୧: ବହୁ ପ୍ରତିକ୍ଷିତ ଦିନିକିଆ ବିଶ୍ଵକପ୍ ୨୦୨୩ର ନିର୍ଣ୍ଣାୟକ ମ୍ୟାଚ୍ ଭାରତ ବନାମ ଅଷ୍ଟ୍ରେଲିଆକୁ ନେଇ ଦର୍ଶକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ଥିଲା, ତାହା ମଳିନ ପଡ଼ିଛି। ଚଳିତ ବିଶ୍ବକପ୍ର ସମସ୍ତ ମ୍ୟାଚ୍ରେ ନିଜର ଆଧିପତ୍ୟ ବଜାୟ ରଖି ଆସିଥିବା ଭାରତୀୟ ଦଳ ଫାଇନାଲ୍ରେ ଅଷ୍ଟ୍ରେଲୀୟ ବୋଲରଙ୍କ ଚାପର ଶିକାର ହୋଇଛି। ଯେଉଁ ବ୍ୟାଟରଙ୍କ ଯୋଗୁ ଦଳୀୟ ସ୍କୋର ୪୦୦ ପାଖାପାଖି ହେଉଥିଲା ଆଜିର ମ୍ୟାଚ୍ରେ ସେମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବିଶ୍ଵକପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁ ଟିମ୍। ତେବେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୪୦ ରନ୍ କରିଛି।
କେଏଲ ରାହୁଲ ସର୍ବାଧିକ ୬୬ ରନ୍ର ଉପଯୋଗୀ ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୫୪ ରନ୍ ଓ ଅଧିନାୟକ ରୋହିତ ଶର୍ମା ୪୭ ରନ୍ କରିଛନ୍ତି। ତୃତୀୟ ଥର ବିଶ୍ଵକପ୍ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୨୪୧ କରିବାରେ ରୋକିବାକୁ ହେବ। ଅନ୍ୟପଟେ ଅଷ୍ଟ୍ରେଲିଆ ଷଷ୍ଠ ଥର ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ମିଚେଲ୍ ଷ୍ଟାର୍କ ୩ଟି ଓ୍ଵିକେଟ୍, ପାଟ୍ କମିନ୍ସ ଓ ଜୋସ୍ ହାଜେଲ୍ଉଡ୍ ଦୁଇଟି ଲେଖାଏଁ ଓ୍ବିକେଟ ନେଇଛନ୍ତି।
ଅଷ୍ଟ୍ରେଲିଆ ବୋଲର ମାପଚୁପ ବୋଲିଂ ଆଗରେ ମାନ୍ଦା ପଡ଼ିଥିଲା ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ। କୋହଲି ଓ କେଏଲ ରାହୁଲ ଧୈର୍ଯ୍ୟ ସହ ବ୍ୟାଟିଂ କରି ଗୋଟିଏ ଗୋଟିଏ ରନ୍ ନେଇ ପାଳିକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ଭିତରେ ୬୭ ରନ୍ ଯୋଡ଼ିଥିଲେ। ବିରାଟ କୋହଲି ପୁଣି ଆଉ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ସେ ୬୩ ବଲ୍ରୁ ୪ ଚୌକା ସହ ୫୪ ରନ୍ କରିଛନ୍ତି। ରବୀନ୍ଦ୍ର ଜାଡ଼େଜା ୯ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ କେଏଲ ରାହୁଲ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ ଜାରି ରଖି ୨୦୩ ରନ୍ ବେଳକୁ ୧୦୭ ବଲ୍ରୁ ୧ ଚୌକା ସହ ୬୬ ରନ୍ କରି ଆଉଟ୍ ହୋଇଥିଲେ। ମହମ୍ମଦ ଶାମି(୬) ଓ ଯଶପ୍ରୀତ ବୁମରା(୧) ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ (୧୦), ମହମ୍ମଦ ଶାମୀ(୬), ଜସ୍ପ୍ରିତ ବୁମ୍ରା (୧), କୁଲଦୀପ ଯାଦବ(୧୦) ଓ ମହମ୍ମଦ ସିରାଜ (୯) ରନ୍ କରିଥିଲେ।