ଜେରୁସାଲେମ୍: ହମାସ କବଜାରେ ଥିବା ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହେଉଛି । ହମାସ କବଜାରେ ଥିବା ୩୧ ବନ୍ଧକଙ୍କ ମୃତ୍ୟୁ ହୋଇଥିବା ନେଇ ଇସ୍ରାଏଲ ସେନାର ମୁଖପାତ୍ର ଡାନିଏଲ ହଜାରୀ ସ୍ପଷ୍ଟ କରିଛନ୍ତି । ସେପଟେ ମୃତକଙ୍କ ପରିବାରକୁ ଏନେଇ ସୂଚିତ କରିଦିଆଯାଇଛି । ଏବେ ହମାସ ଅଧୀନରେ ୧୩୬ ଜଣ ବନ୍ଧକ ଥିବା ନେଇ ଜଣାପଡ଼ିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍) ଅନୁସାରେ, ୧୦ ହଜାର ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଇଡିଏଫର ୨୨୬ ସୈନିକ ନିହତ ହୋଇଛନ୍ତି ।
ସେପଟେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ ବହୁବାର ଆଲୋଚନା ହୋଇସାରିଛି । ତଥାପି ଇସ୍ରାଏଲ କିମ୍ବା ହାମସ ନିଜ ଜିଦରେ ଅଟଳ ରହିଛନ୍ତି । ଯୁଦ୍ଧ ବିରାମ ପାଇଁ ଇଜିପ୍ଟ ଏବଂ କତାର ପ୍ରୟାସ ଜାରି ରଖିଛନ୍ତି । ଦୁଇ ପକ୍ଷଙ୍କ ମଧ୍ୟରେ ୪୦ ଦିନ ଲାଗି ଯୁଦ୍ଧ ବିରତି ଲାଗି ପ୍ରୟାସ କରାଯାଉଥିବା ନେଇ କୁହାଯାଉଛି । ଏହି ସମୟରେ ବାକି ବନ୍ଧକଙ୍କୁ ମୁକ୍ତ କରିବ ହମାସ । ଏନେଇ ଇଜିପ୍ଟ ପହଞ୍ଚିବା ପୂର୍ବରୁ ସୋମବାର ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ଯୁଦ୍ଧ ବିରାମ ଏବଂ ହୁତୀ ବିଦ୍ରୋହୀଙ୍କ ସଂପର୍କରେ ବ୍ଲିଙ୍କେନ୍ ଚର୍ଚ୍ଚା କରିଥିଲେ ।
ସେପଟେ ଫେବୃଆରୀ ଶେଷ ସୁଦ୍ଧା ଜାତିସଂଘ ଏବଂ ଅନ୍ୟ ସଂଗଠନ ଗାଜାକୁ ମାନବୀୟ ସହାୟତା ଲାଗି ୬.୫ କୋଟି ଡଲାର ଖର୍ଚ୍ଚ କରିବେ । ହେଲେ ଏହି ଖର୍ଚ୍ଚ କାଟ କରିବାକୁ ମଧ୍ୟ ଯୋଜନା ଆରମ୍ଭ ହୋଇଯାଇଛି । ଗତ ମାସରେ ୧୮ଟି ଦେଶ ଗାଜାକୁ ସହାୟତା କରିବେ ନାହିଁ ବୋଲି ମନା କରିଦେଇଛନ୍ତି । ଅନ୍ୟପକ୍ଷରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ଅଭିଯୋଗରେ ହାମସର ୩ ଜଣ ଶୀର୍ଷସ୍ତରୀୟ ନେତାଙ୍କ ଉପରେ କାନାଡାର ବୈଦେଶିକ ମନ୍ତ୍ରାଳୟ ପ୍ରତିବନ୍ଧକ ଲଗାଇଛି ।
ଏହା ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଥିଲେ ଯେ, ହମାସର ୧୭ଟି ବାଟାଲିୟକନକୁ ସାମପ୍ତ କରିସାରିଛି ଆଇଡିଏଫ୍ । ଏବେ କେବଳ ୭ଟି ବାଟାଲିୟନ ରହିଛି । ହମାସର ଶେଷ ଆତଙ୍କବାଦୀ ଥିବା ଯାଏଁ ଲଢ଼େଇ ଜାରି ରହିବ ବୋଲି କହିଥିଲେ ନେତାନ୍ୟାହୁ ।