ନୂଆଦିଲ୍ଲୀ,୨୯/୦୧: ଲୋହିତ ସାଗରରେ ଇରାନ ସମର୍ଥିତ ୟେମେନ୍ର ହୂତି ବିଦ୍ରୋହୀଙ୍କ ଉତ୍ପାତ ଅଧିକ ଦିନ ଲାଗି ରହିଲେ, ବିଶ୍ୱ ଅର୍ଥନୀତି ଉପରେ ଏହାର ଭୟଙ୍କର ପ୍ରଭାବ ପଡ଼ିପାରେ । ଇଲେକ୍ଟ୍ରୋନିକ୍ସ, ଗାଡ଼ି, କେମିକାଲ, ଖାଉଟି ଉତ୍ପାଦ ଏବଂ ଯନ୍ତ୍ରପାତି ଉତ୍ପାଦନ ଆଦି ବ୍ୟାହତ ହେବ ବୋଲି ଅର୍ଥନୈତିକ ସର୍ବେକ୍ଷଣ ସଂସ୍ଥା ଜିଟିଆର୍ଆଇ ପ୍ରକାଶ କରିଛି।
ଲଗାତର କାର୍ଗୋ ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି ହୂତୀ ବିଦ୍ରୋହୀ । ଏଭଳି ସ୍ଥିତିରେ ଜାହାଜଗୁଡ଼ିକର କ୍ଷମତା ହ୍ରାସ ପାଇଛି। ଫଳରେ ଏସିଆ, ୟୁରୋପ ଏବଂ ଆମେରିକା ମଧ୍ୟରେ କଣ୍ଟେନର ଭଡ଼ା ବଡ଼ ଆକାରରେ ବୃଦ୍ଧି ପାଇଛି ।
ବ୍ୟସ୍ତବହୁଳ ସୁଏଜ୍ କେନାଲ ଦେଇ କାର୍ଗୋ ଜାହାଜ ଚଳାଚଳ ବୃହତ୍ ମାତ୍ରାରେ ପ୍ରଭାବିତ ହୋଇଛି । ମିସାଇଲ ଆକ୍ରମଣରୁ ବଞ୍ଚିବା ପାଇଁ ଜାହାଜଗୁଡ଼ିକ ଏହି ରୁଟ୍ରୁ ମୁହଁ ଫେରାଇ ଲମ୍ବା ରୁଟ୍ରେ ଯାଉଛନ୍ତି । ଇରାନ ସମର୍ଥିତ ୟେମେନ୍ର ହୂତି ବିଦ୍ରୋହୀମାନଙ୍କ କହିବାନୁସାରେ, ଇସ୍ରାଏଲ୍ ସହ ସମ୍ପର୍କ ରହିଥିବା ଜାହାଜଗୁଡ଼ିକୁ ସେମାନେ ଆକ୍ରମଣ କରୁଛନ୍ତି । କିନ୍ତୁ ମୋଟାମୋଟି ଭାବେ ଅନ୍ୟ ଜାହାଜଗୁଡ଼ିକ ବି ପ୍ରଭାବିତ ହୋଇଛନ୍ତି ।
ଜାହାଜଗୁଡ଼ିକର କ୍ଷମତା କମିବା ଫଳରେ ନୌପରିବହନ କମ୍ପାନିଗୁଡ଼ିକ ଭଡ଼ା ବଢ଼ାଇବା ସହ ବ୍ୟସ୍ତବହୁଳ ରୁଟ୍ ଗୁଡ଼ିକରେ ସାମଗ୍ରୀ ପରିବହନ ବାବଦ ଅତିରିକ୍ତ ସମୟ ଲାଗି ଅଧିକ ସର୍ଚାର୍ଜ ଦାବି କରୁଛନ୍ତି ।
ସୂଚନାଯୋଗ୍ୟ, ସୁଏଜ୍ କେନାଲ ଦେଇ ବିଭିନ୍ନ ପ୍ରକାର ଉପକରଣ, କଞ୍ଚାମାଲ ଏବଂ ଫିନିସ୍ଡ ପ୍ରଡକ୍ଟ ବିଭିନ୍ନ ବଜାରକୁ ରପ୍ତାନି ହୋଇଥାଏ । କିନ୍ତୁ ଏହି ରୁଟ୍ରେ ଅସ୍ଥିରତା ଯୋଗୁ ଠିକ୍ ସମୟରେ ନିର୍ଦ୍ଧାରିତ ବଜାରରେ ସାମଗ୍ରୀ ପହଞ୍ଚିପାରୁନାହିଁ । ଫଳରେ ଉତ୍ପାଦନ ପ୍ରଭାବିତ ହୋଇଛି ଏବଂ କମ୍ପାନିଗୁଡ଼ିକର ଖର୍ଚ୍ଚ ବଢୁଥିବା ବଜାର ସୂତ୍ରରୁ ଜଣାପଡ଼ିଛି ।
ଲୋହିତ ସାଗରରେ ବିଦ୍ରୋହ ଜାରି ରହିଲେ ପ୍ରଭାବ ବହୁଗୁଣା ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି । ଏହା କେବଳ ବିଶ୍ୱ ବାଣିଜ୍ୟକୁ ପ୍ରଭାବିତ କରିବ ନାହିଁ, ଅନେକ ଶିଳ୍ପର ସ୍ଥାନୀୟ ଉତ୍ପାଦନ ବି ବାଧା ପାଇବ ବୋଲି ଜିଟିଆର୍ଆଇର ସହ-ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ୨୦୨୩ ଡିସେମ୍ବର ପ୍ରଥମ ଭାଗରୁ ବର୍ତ୍ତମାନ ମଧ୍ୟରେ ହାରାହାରି କଣ୍ଟେନର ଭଡ଼ା ଦୁଇ ଗୁଣା ହୋଇଯାଇଛି । ଲୋହିତ ସାଗର ଦେଇ ବାସୁମତି ଚାଉଳ ନେଇ ଯାଉଥିବା ପ୍ରତି ୨୦ ଟନ୍ କଣ୍ଟେନର ପିଛା ମାଲ ପରିବହନ ଭଡ଼ା ୨,୦୦୦ ଡଲାରକୁ ବୃଦ୍ଧି ପାଇଛି । ଏହା ଚାଉଳ ରପ୍ତାନିକାରୀଙ୍କୁ ବଡ଼ ଆକାରରେ ବାଧୁଛି ।
ଜୀବନ ରକ୍ଷାକାରୀ ଔଷଧ, ବୟନ ଶିଳ୍ପ ସାମଗ୍ରୀ, ଡିଜେଲ, ଏଟିଏଫ୍ ଏବଂ ଇସ୍ପାତ ଶିଳ୍ପ ମଧ୍ୟ ପ୍ରଭାବିତ ହୋଇଛି । ଯଦି ସଂକଟ ଜାରି ରୁହେ, ତେବେ ଭାରତର ବାଣିଜ୍ୟକୁ ଏହା ପ୍ରଭାବିତ କରିବ ବୋଲି ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି ।