ଲକ୍ଷ୍ନୌ, ୦୫/୧୧: ପସନ୍ଦର ଖାଦ୍ୟକୁ ନେଇ ମାଆପୁଅଙ୍କ ଝଗଡ଼ାର କରୁଣ ପରିଣତି କଣ ହୋଇପାରେ ଆପଣ କେବେ କଳ୍ପନା କରି ନଥିବେ । ଖାଦ୍ୟ ପାଇଁ ମାଆ, ପୁଅଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ପାଇଁ ୨ ଜଣଙ୍କ ଜୀବନ ଚାଲି ଯାଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଜାଲୌନରେ ।
ଖାଇବାକୁ ନେଇ ମାଆ-ପୁଅଙ୍କ ଝଗଡ଼ା ପରେ ଉଭୟ ଆତ୍ମହତ୍ୟା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଖବର ପାଇ ପୋଲିସ ପହଞ୍ଚିବା ସହ ମାଆପୁଅଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସର ସୂଚନା ଅନୁସାରେ, ଖାଦ୍ୟକୁ ନେଇ ମାଆପୁଅଙ୍କ କଳିରୁ ଏତେବଡ଼ ଘଟଣା ଘଟିଛି ।
ଇଡେନ୍ ଗାର୍ଡେନରେ କୋହଲିଙ୍କ ଐତିହାସିକ ଶତକ, ସଚିନ ତେନ୍ଦୁଲକରଙ୍କ ରେକର୍ଡର ସମକକ୍ଷ ହେଲେ ବିରାଟ
ଜାଲୌନର ଉରଈ କୋତବାଲିର ସୁଶୀଲ ନଗରରେ ରୁହନ୍ତି ୫୫ ବର୍ଷୀୟ ବେବି ଚୌହାନ । ସେ ଜଳସେଚନ ବିଭାଗରେ କାମ କରନ୍ତି । ଶନିବାର ବେବି ଘରେ ଥିବା ବେଳେ ତାଙ୍କ ୨୮ ବର୍ଷୀୟ ପୁଅ ଦିଗବିଜୟ ସିଂହ ଝାନ୍ସୀରୁ ଘରକୁ ଫେରିଥିଲା । ଘରକୁ ଫେରିବା ସହ ତାର ମନପସନ୍ଦର ଖାଦ୍ୟ ରୋଷେଇ ପାଇଁ ମାଆକୁ କହିଥିଲା ।
ତେବେ ପୂର୍ବରୁ ରୋଷେଇ ହୋଇ ସାରିଥିବାରୁ ମାଆ କହିଥିଲେ ଖାଦ୍ୟ ରନ୍ଧା ହୋଇ ସାରିଛି । କାଲି ତା ପସନ୍ଦର ଖାଦ୍ୟ ରୋଷେଇ କରିବେ । ବାସ୍ ଏତିକି କଥାକୁ ନେଇ ମାଆପୁଅଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଥା କଟାକଟି । କଥା ଏତେ ଆଗକୁ ବଢ଼ିଗଲା ଯେ ମାଆ ଘରେ ଥିବା ବିଷାକ୍ତ ପଦାର୍ଥ ପିଇ ଦେଇଥିଲେ । ଅବସ୍ଥା ଗମ୍ଭୀର ହେବା ସହ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ ମହିଳା ଜଣଙ୍କ ।
ଗାଜା ଉପରେ ପରମାଣୁ ବୋମା ପକାଇବା ‘ବିକଳ୍ପ’ ହୋଇପାରେ ବୋଲି କହିଲେ ଇସ୍ରାଏଲର ମନ୍ତ୍ରୀ
ଏହା ଦେଖି ବିଚଳିତ ହୋଇ ପଡ଼ିଥିଲା ପୁଅ ଦିଗବିଜୟ । ଘଟଣା ପାଇଁ ନିଜକୁ ଦାୟୀ କରି ସେ ବାଥରୁମ୍ ଯାଇ ଆତ୍ମହତ୍ୟା କରିଥିଲା । ଦିଗବିଜୟର ପାଟି ଶୁଣି ପଡ଼ୋଶୀ ଧାଇଁ ଆସିବା ବେଳକୁ ସବୁ ସରି ଯାଇଥିଲା । ପଡ଼ୋଶୀ ଦିଗବିଜୟଙ୍କୁ ଝୁଲନ୍ତା ଅବସ୍ଥାରୁ ଉଦ୍ଧାର କରିବା ସହ ମାଆପୁଅଙ୍କୁ ମେଡିକାଲ୍ ନେଇ ଯାଇଥିଲେ । ଡାକ୍ତରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ ମୃତଦେହ ବ୍ୟବଛେଦ ଲାଗି ପଠାଇ ତଦନ୍ତ କରୁଛି ।