ନୂଆଦିଲ୍ଲୀ, ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୩ତମ ଜନ୍ମଦିନ । ବାଲ୍ୟ ଜୀବନରେ ଗରିବୀର ପ୍ରତିଘାତ ସହିଥିବା ନରେନ୍ଦ୍ର ମୋଦୀ ନିଜ ଉଦ୍ୟମ, ନିଷ୍ଠା ଫଳରେ ଆଜି ଦୁନିଆରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ଭାରତରେ ନୁହେଁ ବିଶ୍ୱରେ ମୋଦୀ ଏବେ ଲୋକପ୍ରିୟ ନେତା । ଏହା ଅନେକ ସର୍ଭେରେ ପ୍ରମାଣିତ ହୋଇଛି ।
୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଗୁଜରାଟର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ମୋଦୀଙ୍କ ପିଲାଦିନ ବେଶ୍ ସଂଘର୍ଷମୟ ଥିଲା । ପରିବାର ପ୍ରତିପୋଷଣ ପାଇଁ ସେ ରେଲୱେ ଷ୍ଟେସନରେ ଚା’ ବି ବିକ୍ରି କରିଥିଲେ । ହେଲେ ତାଙ୍କ ଭିତରେ ଦେଶ ପାଇଁ ଥିବା ଭକ୍ତି କେବେ କମି ନଥିଲା ।
ପିଲାଟି ଦିନରୁ ବେଶ୍ ପରିଶ୍ରମୀ ଥିଲେ ମୋଦୀ । ବିଦ୍ୟାଳୟରେ ପଢ଼ିବା ପରେ ମୋଦୀ ବାପାଙ୍କୁ କାମରେ ସହାୟତା କରୁଥିଲେ । ଘରର ଆର୍ଥିକ ଅବସ୍ଥା ଠିକ୍ ନଥିବାରୁ ରେଲୱେ ଷ୍ଟେସନରେ ବାପାଙ୍କ ସହ ଚା’ ବିକୁଥିଲେ । ଘରେ ମାଙ୍କୁ କାମରେ ସାହାଯ୍ୟ କରୁଥିଲେ । ଦିନେ ଚା’ ବିକୁଥିବାରୁ ସେ ଆଜି ଚାୱାଲା ପ୍ରଧାନମନ୍ତ୍ରୀ ଭାବେ ଦେଶରେ ଲୋକପ୍ରିୟ ।
୧୯୬୫ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ନରେନ୍ଦ୍ର ମୋଦୀ ରେଲୱେ ଷ୍ଟେସନ ଦେଇ ଯାଉଥିବା ସୈନିକଙ୍କୁ ଚା’ ପିଇବାକୁ ଦେଉଥିଲେ । ସେତେବେଳେ ଦେଶ ପାଇଁ ସେବା କରିବାର ଆଗ୍ରହ ତାଙ୍କ ଭିତରେ ଆହୁରି ବଢ଼ିଥିଲା । ସେତେବେଳେ ସେ ଭାବିଥିଲେ ବଡ଼ ହେଲେ ଦେଶର ସେବା କରିବେ ।
ପିଲାଟି ଦିନରୁ ପ୍ରତିଯୋଗୀତା, ଅଭିନୟ ଓ ନାଟକ ପ୍ରତି ଥିଲା ନରେନ୍ଦ୍ର ମୋଦୀଙ୍କ ରୁଚି । ଏସବୁଥିରେ ଭାଗ ନେଇ ପିଲା ଦିନେ ସେ ଅନେକ ପୁରସ୍କାର ପାଇଛନ୍ତି । ବଡ଼ନଗର ଭଗବତାଚାର୍ଯ୍ୟ ସ୍କୁଲରୁ ପାଠପଢ଼ା ଆରମ୍ଭ କରିଥିବା ମୋଦୀ ଏନସିସିର ସଦସ୍ୟ ଥିଲେ ।
ସଂଘ ସହ ସମ୍ପର୍କ
ମାତ୍ର ୮ ବର୍ଷ ବୟସରୁ ମୋଦୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଯୋଡ଼ି ହୋଇଥିଲେ । ୧୯୮୫ ଦୀପାବଳିରେ ସେ ବାଲ୍-ସ୍ୱୟଂସେବକ ଭାବେ ଶପଥ ନେଇଥିଲେ । ପରେ ଧିରେ ଧିରେ ସଂଘରେ ସକ୍ରିୟ ହୋଇଥିଲେ ନରେନ୍ଦ୍ର ମୋଦୀ ।
ମୋଦୀଙ୍କ ରାଜନୈତିକ ଯାତ୍ରା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯୮୫ରେ ରାଜନୀତିରେ ପାଦ ଥାପିଥିଲେ । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମୋଦୀଙ୍କ ରାଜନୀତିକ ଗୁରୁ ବୋଲି କୁହାଯାଏ । ୧୯୮୮-୮୯ରେ ମୋଦୀ ଗୁଜରାଟ ବିଜେପିର ମହାସଚିବ ନିଯୁକ୍ତ ହୋଇଥିଲେ । ୧୯୯୫ରେ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ସଚିବ ଦାୟିତ୍ୱ ମିଳିଥିଲା ।
୨୦୦୧ରେ ଭୟଙ୍କ ଭୂମିକମ୍ପରେ ଗୁଜରାଟ ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବା ପରେ ମୋଦୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେବେଠୁ ଜନତାଙ୍କ ପସନ୍ଦ ପାଲଟିଥିଲେ ନରେନ୍ଦ୍ର ମୋଦୀ । ୨୦୧୨ରେ ତାଙ୍କ ନାଁ ପ୍ରଧାନମନ୍ତ୍ରୀ ରେସକୁ ଆସିଥିଲା ।
୨୦୧୪ ନିର୍ବାଚନ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ଲାଗି ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଥିଲା । ଦଳ ମୋଦୀଙ୍କ ନେତୃତ୍ୱରେ ୨୮୨ ଆସନରେ ବିଜୟୀ ହୋଇ ୧୦ ବର୍ଷର କଂଗ୍ରେସ ସରକାରକୁ ଭାଙ୍ଗି ଦେଇଥିଲା । ଏଥିସହ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦୀ । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି, ମୋଦୀଙ୍କ ନେତୃତ୍ୱରେ ଲଢ଼ିବା ସହ ୨୦୧୪ ଠାରୁ ଅଧିକ ଆସନ ପାଇଥିଲା । ୩୦୩ ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଥର ଲାଗି ମୋଦୀ ହୋଇଥିଲେ ପ୍ରଧାନମନ୍ତ୍ରୀ ।