ନୂଆଦିଲ୍ଲୀ, ୧୫/୧୧ : ପରକୀୟା ପ୍ରୀତି ବା ବ୍ୟଭିଚାରକୁ ପୁନଃ ଅପରାଧିକରଣ କରାଯାଉ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଂସଦୀୟ କମିଟି ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛି । ବିବାହ ଏକ ପବିତ୍ର ବ୍ୟବସ୍ଥା ଏବଂ ଏହାକୁ ସୁରକ୍ଷିତ ରଖିବା ଜରୁରି ବୋଲି ଭାରତୀୟ ନ୍ୟାୟ ସଂହିତା ବିଲ୍ ଉପରେ ଏକ ରିପୋର୍ଟରେ ଏହି କମିଟି ସୁପାରିସ୍ କରିଛି । ସଂଶୋଧିତ ବ୍ୟଭିଚାର ଆଇନକୁ ଲିଙ୍ଗ ନିରପେକ୍ଷ ଭାବେ ଅପରାଧ ବିବେଚନା କରାଯିବା ଏବଂ ଉଭୟ ପକ୍ଷକୁ ଉତ୍ତରଦାୟୀ କରାଯିବାକୁ ଏହି ରିପୋର୍ଟରେ ଯୁକ୍ତି ବଢ଼ାଯାଇଛି । ଯଦି କମିଟିର ରିପୋର୍ଟକୁ ସରକାର ଗ୍ରହଣ କରନ୍ତି ତେବେ ଏହା ୨୦୧୮ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଦେଇଥିବା ଐତିହାସିକ ରାୟର ପରିପନ୍ଥୀ ହେବ । ଆଇପିସି, ସିଆର୍ପିସି, ଆଇଇଏ ସ୍ଥାନରେ ସଦ୍ୟ ଲୋକସଭାରେ ଆଗତ ୩ ବିଲ୍ ମଧ୍ୟରୁ ଭାରତୀୟ ନ୍ୟାୟ ସଂହିତା ଅନ୍ୟତମ । ଗତ ଅଗଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିକୁ ଏହି ରିପୋର୍ଟ ପଠାଯାଇଥିଲା । ବିଜେପି ସାଂସଦ ବ୍ରିଜଲାଲ କମିଟି ମୁଖ୍ୟ ରହିଛନ୍ତି ।
ତେବେ ଅସମହତି ପତ୍ରରେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ କହିଛନ୍ତି, କୌଣସି ଦମ୍ପତିଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାରେ ସରକାରଙ୍କ କିଛି ବି ଅଧିକାର ନାହିଁ । ପୂର୍ବରୁ ଆଇପିସି ଧାରା ୪୯୭ ଅନୁସାରେ ଆଡଲ୍ଟରି(ପରକୀୟା ପ୍ରୀତି)କୁ ଅପରାଧ ବିବେଚନା କରାଯାଉଥିଲା । ଏଥିରେ କୁହାଯାଇଥିଲା ଯଦି କୌଣସି ପୁରୁଷ କୌଣସି ବିବାହିତା ମହିଳାଙ୍କ ସହ ତାଙ୍କ ସହମତିରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ଏପରି ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ସମ୍ପୃକ୍ତ ପୁରୁଷଙ୍କ ବିରୋଧରେ ମକଦ୍ଦମା ଚାଲିପାରୁଥିଲା । ହେଲେ ଜଣେ ବିବାହିତ ପୁରୁଷ କୌଣସି ଅବିବାହିତା ଯୁବତୀ କିମ୍ବା ବିଧବା ମହିଳାଙ୍କ ସହ ସହମତିରେ ଶାରୀରିକ ସମ୍ପର୍କ ରଖୁଥିଲେ ତାହାକୁ ଏହି ଆଇନ ଅନୁସାରେ ଅପରାଧ ବିବେଚନା କରାଯାଉ ନ ଥିଲା । ସେହିପରି ସମ୍ପୃକ୍ତ ମହିଳାଙ୍କୁ ମଧ୍ୟ ଏଥିରେ କେବେ ଦୋଷୀ ମନେ କରାଯାଉ ନ ଥିଲା । ଧାରା ୪୯୭ ଅନୁସାରେ ଦୋଷୀ ସାବ୍ୟସ୍ତ ହେଉଥିବା ପୁରୁଷଙ୍କୁ ୫ ବର୍ଷ ଜେଲଦଣ୍ଡ ଏବଂ ଜରିମାନାର ପ୍ରାବଧାନ ଥିଲା । କିନ୍ତୁ ୨୦୧୮ରେ ସୁପ୍ରିମକୋର୍ଟ ଏହି ଧାରାକୁ ଅକାମୀ କରିଦେଇଥିଲେ । ସୁପ୍ରିମକୋର୍ଟ କହିଥିଲେ, ଯେଉଁ କାନୁନ ବ୍ୟକ୍ତିଙ୍କ ଗରିମା ଏବଂ ମହିଳାଙ୍କ ସହ ସମାନ ବ୍ୟବହାରକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ ତାହା ସମ୍ବିଧାନ ବିରୋଧୀ ।