ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଏସ୍‌ଆଇକୁ ପୋଥି, ପାଣ୍ଡୁଲିପି ହସ୍ତାନ୍ତର; ସଂଗ୍ରହାଳୟରେ ସ୍ୱତନ୍ତ୍ର ଭାବେ ହେବ ପ୍ରଦର୍ଶିତ

ଭୁବନେଶ୍ୱର, ୧।୩: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ପ୍ରାଚୀନ  ତାଳପତ୍ର ପୋଥି ଏବଂ କାଗଜ ପାଣ୍ଡୁଲିପି ହସ୍ତାନ୍ତର କଲା ଭୁବନେଶ୍ୱର ସୀମା ଶୁଳ୍କ ବିଭାଗ (କଷ୍ଟମ୍ସ)  । ୪-୫ ବର୍ଷ ତଳେ ବିଦେଶକୁ ପଠାଯିବା ବେଳେ  ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବିଦେଶ ପୋଷ୍ଟ  ଅଫିସ୍‌ରେ ଧରା ହୋଇଥିଲା । ପୋଥିଟି ୩୦୦ ବର୍ଷ  ପୁରୁଣା ହୋଇଥିବାବେଳେ କାଗଜ ପାଣ୍ଡୁଲିପି ୮୦  ବର୍ଷ ପୁରୁଣା । ଗୁରୁବାର ଅପରାହ୍ଣରେ ହସ୍ତାନ୍ତରଣ  ସମାରୋହ ପର୍ବରେ ସୀମା ଶୁଳ୍କ ବିଭାଗର ଅଧିକାରୀ  ଏହି ବିରଳ ସାମଗ୍ରୀକୁ ଏଏସ୍‌ଆଇ ଅଧିକାରୀଙ୍କୁ  ପ୍ରଦାନ କରିଥିଲେ । ଏହାକୁ ଏଏସ୍‌ଆଇ ଅଧୀନ ସଂଗ୍ରହାଳୟରେ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯିବ ।  ଯାହା ସମ୍ପର୍କରେ ସମସ୍ତେ ଜାଣିପାରିବେ । 

ମାତ୍ର  କେଉଁ ସଂଗ୍ରହାଳୟରେ ରଖାଯିବ ଏବଂ ଏହା ଉପରେ  ଅଧିକ ଗବେଷଣା ହେବ କି ନାହିଁ ତା’ର ନିଷ୍ପତ୍ତି ପରେ ହେବ ବୋଲି ଏଏସ୍‌ଆଇ ଅଧିକାରୀ ସୂଚନା  ଦେଇଛନ୍ତି । ଦେଶର ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଏହି କାର୍ଯ୍ୟକ୍ରମରେ କଷ୍ଟମ୍ସ ପକ୍ଷରୁ ଜବତ  ୧୦୧ଟି ପ୍ରାଚୀନ ସାମଗ୍ରୀକୁ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଛି । ସେଥିରେ ଏହି ଦୁଇଟି ସାମଗ୍ରୀ ପୋଥି ଓ ପାଣ୍ଡୁଲିପି ଓଡ଼ିଶାର । ସମସ୍ତ ତଦନ୍ତ ପରେ ୨୦୨୨ ଅକ୍ଟୋବର ୧୭ରେ ଏହି ଦୁଇ ସାମଗ୍ରୀକୁ  ଜବତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ  ଆଭାସୀ ମାଧ୍ୟମରେ ଯୋଡ଼ି ହୋଇଥିଲେ । 

ସାମ୍ବାଦିକ ସମ୍ମିଳନୀରେ ସୀମା ଶୁଳ୍କ ବିଭାଗର  ସୂଚନା ମୁତାବକ, ୨୦୧୯ ଅକ୍ଟୋବର ୧୦ରେ  ତାଳପତ୍ର ପୋଥି ପୁରୀରୁ ସ୍ପିଡ୍‌ ପୋଷ୍ଟ ହୋଇଥିଲା । ପୁରୀ ଦାଣ୍ଡସାହିର ଅଶୋକ ହରି ପାଇଙ୍କ ପୁଅ କିରଣ  ପାଇ ସ୍ପିଡ୍‌ ପୋଷ୍ଟ କରିଥିଲେ । ଏହା ପୁରୀରୁ ସ୍ପେନ୍‌   ପଠାଯାଉଥିଲା । ବିଦେଶ ପୋଷ୍ଟ ଅଫିସ୍‌ରେ ଯାଞ୍ଚ ସମୟରେ ଏହା ସୀମା ଶୁଳ୍କ ଅଧିକାରୀଙ୍କ ହାତରେ ଧରାପଡ଼ିଥିଲା । ଅକ୍ଟୋବର ୧୧ରେ ସୀମା ଶୁଳ୍କ ବିଭାଗ ପକ୍ଷରୁ ପରୀକ୍ଷା ସହ ନିଶ୍ଚିତ କରାଯାଇଥିଲା । ଏହି  ପୋଥିର ଦୁଇଟି ପାଶ୍ୱର୍ରେ ଉପରକୁ ତଳ ପର୍ଯ୍ୟନ୍ତ ମୋଟା କାଠ ପାତିଆ ରହିଛି । ଭିତରେ ୧୫୫ଟି  ତାଳପତ୍ର ରହିଛି । ଏଥିରେ ଓଡ଼ିଆ ଲିପି ଓ ଭାଷାରେ ଚମ୍ପୁ ଶୈଳୀରେ ଶ୍ରୀମଦ୍‌ ଭାଗବତ ମହାପୁରାଣ ୧୦ମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଯାହା ଊନବିଂଶ କିମ୍ବା ବିଂଶ ଶତାବ୍ଦୀର ବୋଲି ଅନୁମାନ କରାଯାଉଛି । ଗବେଷକ ବି ଏହା ସ୍ପଷ୍ଟ କରିଛନ୍ତି । 

ସେହିପରି  କାଗଜ ପାଣ୍ଡୁଲିପିଟି ୨୦୨୦ ଅକ୍ଟୋବର ୨୪ରେ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ର ତାମ୍‌ଦିନ୍‌ ଗ୍ୟାଲପୋଙ୍କ ଦ୍ୱାରା ଗଜପତିରୁ ସ୍ପିଡ୍‌ ପୋଷ୍ଟ ହୋଇଥିଲା । ଏହା ଗଜପତିରୁ ଫ୍ରାନ୍ସ ଯାଉଥିଲା । ଅକ୍ଟୋବର ୨୬ରେ   ପରୀକ୍ଷା ସହ ନିଶ୍ଚିତ କରାଯାଇଥିଲା । ଏହି ହାତ ଲେଖାଥିବା କାଗଜ ପାଣ୍ଡୁଲିପିରେ ୧୭ଟି ପତ୍ର ରହିଛି । ଏଥିରେ ଦେବନାଗରୀ ଲିପିରେ ବୌଦ୍ଧ  ଧର୍ମଶାସ୍ତ୍ର ବା ମନ୍ତ୍ର ସମ୍ପର୍କରେ କଳା ଓ ଲାଲ ରଙ୍ଗରେ ବର୍ଣ୍ଣନା କରାଯାଇଛି । ଉଭୟ ସାମଗ୍ରୀର ପ୍ରାଚୀନ ସମ୍ପର୍କରେ ଜାଣିବା ଲାଗି ସୀମା ଶୁଳ୍କ ବିଭାଗ ପକ୍ଷରୁ ଏହାକୁ କୋଲକାତା ଏଏସ୍‌ଆଇ  ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଯାଇଥିଲା । ସେଠାରେ ଏହା ପ୍ରାଚୀନତା ସମ୍ପର୍କରେ ଜଣାଯିବା ପରେ ଏହାକୁ ଏଏସ୍‌ଆଇ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଭୁବନେଶ୍ୱର ଜିଏସ୍‌ଟି ଭବନ ବୋର୍ଡ  ରୁମ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୀମା ଶୁଳ୍କ ବିଭାଗର ପ୍ରଧାନ ମୁଖ୍ୟ ଆୟକ୍ତ ସଞ୍ଜୟ ପନ୍ତ, ଅଧୀକ୍ଷକ ସିଦ୍ଧାର୍ଥ ତିୱାରୀ, ଏଏସ୍‌ଆଇ  ଭୁବନେଶ୍ୱର ସର୍କଲ୍‌ ଅଧୀକ୍ଷକ ସୁଶାନ୍ତ କୁମାର କର ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.