ଭୁବନେଶ୍ୱର,୧୨/୦୯: ରାଜ୍ୟର ୩୦ ଜିଲାରେ ପ୍ରତି ଦିନ ୩ ହଜାର ମେଟ୍ରିକ ଟନ କଠିନ ବର୍ଜ୍ୟବସ୍ତୁ ନିର୍ଗତ ହେଉଛି । ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲାରେ ଏହା ସବୁଠାରୁ ଅଧିକ । ସେହିଭଳି ବୌଦ୍ଧ, ମାଲକାନଗିରି ଏବଂ ନୂଆପଡା ଭଳି ଜିଲାଗୁଡିକରେ ଏହା ସବୁଠାରୁ କମ । ମୁଣ୍ଡ ପିଛା ସବୁଠାରୁ ଅଧିକ କଠିନ ବର୍ଜ୍ୟବସ୍ତୁ କ୍ଷେତ୍ରରେ ଖୋର୍ଦ୍ଧା ଏବଂ ସମ୍ବଲପୁର ଆଗରେ ରହିଥିବା ସଦ୍ୟତମ ରିପୋର୍ଟରୁ ଜଣାପଡିଛି ।
ବର୍ଜ୍ୟବସ୍ତୁ ପରିଚାଳନା ଲାଗି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଷ୍ଟେଟ୍ ଏନଭର୍ଣ୍ଣମେଣ୍ଟ ପ୍ଲାନ ଚୂଡାନ୍ତ କରାଯାଇଛି । ଏହା ଦ୍ୱାରା ଜିଲା ସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଜିଲାସ୍ତରୀୟ କମିଟିରେ ପଞ୍ଚାୟତ, ଲୋକାଲ ବଡି, ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସଦସ୍ୟ ରହିବେ । ଜିଲାପାଳ ଏହାର ଅଧ୍ୟକ୍ଷ ରହିବେ ।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରସ୍ତାବିତ ଫର୍ମାଟ ଅନୁସାରେ ବିଧିବ୍ୟବସ୍ଥା ଗ୍ରହଣ କରାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ରିପୋର୍ଟ ମୁତାବକ, ରାଜ୍ୟର ୨୮ ଜିଲାରେ କଠିନ ବର୍ଜ୍ୟବସ୍ତୁ ଅଲଗା କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ବୌଦ୍ଧ ଜିଲାରେ ଏଭଳି କାର୍ଯ୍ୟକ୍ରମ ହେଉ ନ ଥିବା ବେଳେ ଢ଼େଙ୍କାନାଳର ରିପୋର୍ଟ ଉପଲବ୍ଧ ହୋଇପାରିନାହିଁ ।
ଖୋର୍ଦ୍ଧା, ନୟାଗଡ ଏବଂ କେନ୍ଦୁଝର ଭଳି ଜିଲାଗୁଡିକ ଏ କ୍ଷେତ୍ରରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିଛନ୍ତି । ସେହିଭଳି ଯାଜପୁର, ଖୋର୍ଦ୍ଧା, ନୟାଗଡ ଏବଂ ସୁବର୍ଣ୍ଣପୁର ଭଳି ଜିଲାଗୁଡିକ ବିପଦଜନକ ବର୍ଜ୍ୟବସ୍ତୁକୁ ମଧ୍ୟ ଅଲଗା କରୁଛନ୍ତି । କଠିନ ବର୍ଜ୍ୟବସ୍ତୁ ଅଲଗା କରିବାରେ ଭଦ୍ରକ, କଟକ, ଯାଜପୁର ଏବଂ ସୁବର୍ଣ୍ଣପୁର ୮୦% ଲକ୍ଷ୍ୟ ହାସଲ କରିଛନ୍ତି ।
ବଲାଙ୍ଗୀର, ବରଗଡ, ଦେବଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଏବଂ ସୁନ୍ଦରଗଡ ଭଳି ଜିଲାଗୁଡିକ ୫୦ରୁ ୮୦% ଲକ୍ଷ୍ୟ ହାସଲ କରିଛନ୍ତି । ସେହିଭଳି ଅନୁଗୁଳ,ବୌଦ୍ଧ, ବାଲେଶ୍ୱର, ଢ଼େଙ୍କାନାଳ, ଝାରସୁଗୁଡା, କନ୍ଧମାଳ, ମୟୁରଭଞ୍ଜ, ନୂଆପଡା, ପୁରୀ ଏବଂ ସମ୍ବଲପୁର ଭଳି ଜିଲାରେ ଏ ଦିଗରେ କେତେ ମାତ୍ରାରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ସେ ନେଇ ବିଭାଗକୁ ରିପୋର୍ଟ ମିଳିପାରିନାହିଁ ।
ଏକମାତ୍ର ଜିଲା ଭାବେ ଗଜପତିରେ ପାରମ୍ପରିକ ଢ଼ଙ୍ଗରେ ସଫେଇ କାର୍ଯ୍ୟ କରାଯାଉଛି । ବଲାଙ୍ଗୀର, ଭଦ୍ରକ, କଟକ, ଖୋର୍ଦ୍ଧା, ସମ୍ବଲପୁର, ପୁରୀ ଏବଂ ନୟାଗଡ ଭଳି ଜିଲାଗୁଡିକରେ ମେକାନିକାଲ ରୋଡ ସ୍ୱିପିଂ ସିଷ୍ଟମ ଗ୍ରହଣ କରାଯାଇଛି ।
ରିପୋର୍ଟ ମୁତାବକ, ରାଜ୍ୟର ୧୪ ଜିଲାରେ ବର୍ଜ୍ୟବସ୍ତୁ ଜମା କରିବା ନେଇ ସେଣ୍ଟର ରହିଛି । ଜିଲା ସ୍ତରରେ ଏଭଳି ୮୮ ସେଣ୍ଟରର ଆବଶ୍ୟକତା ରହିଥିବା ଆକଳନ କରାଯାଇଛି । ମାତ୍ର ୪୭% ଜିଲା ୧୦୦% କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବାକୁ ସକ୍ଷମ ହୋଇଛନ୍ତି । ଏହି ଜିଲାଗୁଡିକ ମଧ୍ୟରେ ଅନୁଗୁଳ, ବୌଦ୍ଧ, ବାଲେଶ୍ୱର, ଗଜପତି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ, ନୂଆପଡା, ପୁରୀ, ସମ୍ବଲପୁର, ସୁନ୍ଦରଗଡ ଏବଂ ସୁବର୍ଣ୍ଣପୁର ରହିଛି ।
ରାଜ୍ୟର ୧୯ ଜିଲାରେ ଥିବା ଏନ୍ଏସି ଏବଂ ମ୍ୟୁନିସିପାଲିଟିଗୁଡିକରେ ୧୦୦% ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି । ପ୍ରତି ଘରକୁ ଯାଇ ବର୍ଜ୍ୟବସ୍ତୁ ସଂଗ୍ରହ କ୍ଷେତ୍ରରେ ନବରଙ୍ଗପୁରର ସବୁଠୁ ନିମ୍ନରେ ରହିଛି । ଏହା ୫୦% ସ୍କୋର କରିଛି । ଏ କ୍ଷେତ୍ରରେ ଗଞ୍ଜାମ ୬୦%, ବଲାଙ୍ଗୀର ୭୦%, କୋରାପୁଟ ଏବଂ ରାୟଗଡା ଯଥାକ୍ରମେ ୭୫% ଓ ୮୦% ଲକ୍ଷ୍ୟ ହାସଲ କରିଛନ୍ତି ।