ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗଞ୍ଜାମ ଜିଲ୍ଲା ବିଜେପି କାର୍ଯ୍ୟାଳୟ କେଉଁଠି ? ଏବେ ବି ଗାନ୍ଧିନଗର ଯାଉଛି ଚିଠି...

ବ୍ରହ୍ମପୁର, ୨୯/୦୨ : ନିର୍ବାଚନ ଆସିଲାଣି । ରାଜନୈତିକ ଦଳ ସକ୍ରିୟ ହେଲେଣି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟରେ ଆଲୋଚନା ପର୍ଯ୍ୟାଲୋଚନା, ବୈଠକ ଲାଗି ରହୁଛି । ନେତାମାନେ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଲାଣି । ହେଲେ ବିଜେପି ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାରେ ସେସବୁ ଦେଖିବାକୁ ମିଳୁନି । କାରଣ ଏଠାରେ ବିଜେପିର ଜିଲ୍ଲା କାର୍ଯ୍ୟାଳୟ ନାହିଁ । ଜିଲ୍ଲା ସଭାପତି ବଦଳିଲେ କାର୍ଯ୍ୟାଳୟ ବଦଳୁଛି । ନଭେମ୍ବରରୁ ନୂଆ ଜିଲ୍ଲା ସଭାପତି ମନୋନୀତ ହେଲେଣି । ସେବେ ଠାରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ କେଉଁଠି ବୋଲି ତାଙ୍କ ଦଳର ନେତା ଓ କର୍ମୀ ପ୍ରଶ୍ନ କରୁଛନ୍ତି । ବିଭିନ୍ନ ରାଜନୈତିକ ଦଳର ସ୍ଥାୟୀ ଜିଲ୍ଲା କାର୍ଯ୍ୟାଳୟ ବ୍ରହ୍ମପୁରରେ ରହିଛି । ଅଥଚ ନିର୍ବାଚନ ତାତି ଆରମ୍ଭ ହୋଇଥିଲେ ମଧ୍ୟ ବିଜେପି ଜିଲ୍ଲା କାର୍ଯ୍ୟାଳୟର ସ୍ଥାୟୀ ଠିକଣା ଚିହ୍ନଟ ହୋଇପାରିନାହିଁ । 

୨୦୧୯ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲା ବିଜେପିର ସ୍ଥାୟୀ ଠିକଣା ଗାନ୍ଧି ନଗର ଛକରେ ରହିଥିଲା । ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତିଙ୍କ ସଭାପତିତ୍ୱ ସମୟରେ ସେ ରହୁଥିବା ଗାନ୍ଧିନଗର ଠାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିଚାଳିତ ହେଉଥିଲା । ଦୀର୍ଘ ସମୟ ଧରି ସେଠାରେ ଦଳୀୟ କାର୍ଯ୍ୟକ୍ରମ, ବୈଠକ, ସାମ୍ବାଦିକ ସମ୍ମିଳନୀ ହେଉଥିଲା । ତାଙ୍କ ପରେ ଗତ ନିର୍ବାଚନ ପୂର୍ବରୁ ବିଭୂତି ଭୂଷଣ ଜେନା ଜିଲ୍ଲା ସଭାପତି ହୋଇଥିଲେ । ସେହି ସମୟରେ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ଷ୍ଟେସନ୍‌ ରୋଡ୍‌ରେ ବିଜେପି ଏମ୍‌ପି କାର୍ଯ୍ୟାଳୟ କରିଥିଲେ । ସେହିଠାରେ ହିଁ ଜିଲ୍ଲା କାର୍ଯ୍ୟାଳୟ ପରିଚାଳିତ ହେଉଥିଲା । ପରେ ଷ୍ଟେସନ୍‌ ରୋଡ୍‌ ଅଫିସ୍‌ ବି ବନ୍ଦ ହୋଇଗଲା । ଗାନ୍ଧିନଗର ଠାରେ ଥିବା ବିଜେପି ନେତା କାହ୍ନୁ ପତିଙ୍କ ଘର ଉପର ମହଲାରେ ଆବଶ୍ୟକସ୍ଥଳେ ଅସ୍ଥାୟୀ ଭାବେ ଜିଲ୍ଲା କାର୍ଯ୍ୟାଳୟ କାମ ସମ୍ପାଦିତ ହେଉଥିଲା । ୨୦୨୨ରେ ଗୋଳନ୍ଥରା ଠାରେ ବନ୍ଦେ ମାତରମ୍‌ ଭବନ ଉଦ୍‌ଘାଟନ ପରେ ଗଞ୍ଜାମ ଜିଲ୍ଲା ବିଜେପିର କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସେଠାରେ ଆୟୋଜନ ହେଉଥିଲା । ଏହିପରି ଭାବେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠିକଣା ବାରମ୍ବାର ପରିବର୍ତ୍ତନ ହେଉଥିବାରୁ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ପ୍ରକାଶ କରୁଛନ୍ତି । 

୨୦୨୩ ନଭେମ୍ବରରେ ଡା. ସୁବାସ ସାହୁ ନୂଆ ଜିଲ୍ଲା ସଭାପତି ମନୋନୀତ ହେଲେ । ସଭାପତି ହେବାର ତିନି ମାସରୁ ଅଧିକ ହୋଇଗଲାଣି । ମାତ୍ର ବିଜେପି ଗଞ୍ଜାମ ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟାଳୟ ଏଯାଏ ସ୍ଥିର ହୋଇନି । ଏବେ ବି ଗାନ୍ଧି ନଗରସ୍ଥିତ କାହ୍ନୁ ପତିଙ୍କ ଘରକୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠିକଣା ଲେଖାଥିବା ଅନେକ ଚିଠିପତ୍ର ଆସୁଥିବା ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଞ୍ଚଳିକ ଦଳ ବିଜେଡିର ଜିଲ୍ଲା କାର୍ଯ୍ୟାଳୟ ଭାବା ନଗର ଠାରେ ରହିଥିବା ବେଳେ ବାପୁଜୀ ଆଶ୍ରମ ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିଚାଳିତ ହେଉଛି । ସେହିପରି ସିପିଆର ଜିଲ୍ଲା କାର୍ଯ୍ୟାଳୟ ପାର୍କ ସାହିରେ, ସିପିଆଇ(ଏମ୍‌) ଜିଲ୍ଲା କାର୍ଯ୍ୟାଳୟ ହିଲ୍‌ପାଟଣା ଠାରେ ଏବଂ ଆମ୍‌ ଆଦମୀ ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ଗେଟ ବଜାର ଗୋଲାପଲ୍ଲୀ ସାହି ଠାରେ ସ୍ଥାୟୀ ଭାବେ ପରିଚାଳିତ ହେଉଛି । ପ୍ରାୟ ସମସ୍ତ ରାଜନୈତିକ ଦଳର ସ୍ଥାୟୀ ଜିଲ୍ଲା କାର୍ଯ୍ୟାଳୟ ରହିଛି । ହେଲେ ବିଜେପି ଜିଲ୍ଲା କାର୍ଯ୍ୟାଳୟର ସ୍ଥାୟୀ ଠିକଣା ନାହିଁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.