ନୂଆଦିଲ୍ଲୀ ୧୨/୧୧: ନିମୋନିଆ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତି ବର୍ଷ ନଭେମ୍ବର ୧୨ ତାରିଖରେ ପାଳିତ ହୁଏ ବିଶ୍ୱ ନିମୋନିଆ ଦିବସ । ପିଲାଙ୍କଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ନିମୋନିଆ ରୋଗୀଙ୍କ ସଂଖ୍ୟା ବିଶ୍ୱରେ ବଢ଼ିବାରେ ଲାଗିଛି । ୫ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ବିଶ୍ୱସ୍ତରରେ ଏହା ଏକ ପ୍ରମୁଖ ରୋଗ ହୋଇଛି । ତେଣୁ ଏହାର ଚିକିତ୍ସା ଓ ପ୍ରତିରୋଧ ସହିତ ଏଥିରୁ ରକ୍ଷା ପାଇବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହି ଦିବସ ପ୍ରୋତ୍ସାହିତ କରେ। ଶିଶୁଙ୍କ ନିମୋନିଆ ବିରୋଧୀ ବିଶ୍ୱସ୍ତରୀୟ ଗଠବନ୍ଧନ ଦ୍ୱାରା ୨୦୦୯ ମସିହାରେ ଏହି ଦିବସ ସ୍ଥାପିତ ହୋଇଥିଲା ।
ପ୍ରଥମ ନିମୋନିଆ ଦିବସ ଆରମ୍ଭ ହେବା ସମୟରେ ପ୍ରତି ବର୍ଷ ପ୍ରାୟ ୧୨ ଲକ୍ଷ ପିଲା ଏହି ରୋଗରେ ପ୍ରାଣ ହରାଉଥିଲେ । ୨୦୧୩ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ନିମୋନିଆ ପ୍ରତିରୋଧ ଓ ନିୟନ୍ତ୍ରଣ ନିମନ୍ତେ ଇଣ୍ଟିଗ୍ରେଟେଡ୍ ଗ୍ଲୋବାଲ୍ ଆକ୍ସନ୍ ପ୍ଲାନ୍ ଜାରି କଲା । ୨୦୨୫ ବେଳରୁ ପ୍ରତ୍ୟେକ ଦେଶରେ ଜନ୍ମିତ ପ୍ରତି ୧୦୦୦ ଶିଶୁରେ ୩ ଜଣରୁ ଅଧିକ ନିମୋନିଆରେ ପ୍ରାଣ ହରାଇବେ ନାହିଁ ବୋଲି ଏହା ଲକ୍ଷ୍ୟ ସ୍ଥିର କଲା ।