ନୂଆଦିଲ୍ଲୀ,୧୬/୦୯: ଭାରତର ଶିକ୍ଷା ମଡେଲକୁ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ପରାମର୍ଶ ଦେଇଛି ଏସିଆନ ଡେଭଲପ୍ମେଣ୍ଟ ବ୍ୟାଙ୍କ (ଏଡିବି) । ନିଜର ପ୍ରଭାବହୀନ ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତଥା ନାଗରିକଙ୍କୁ ମାନଯୁକ୍ତ ତାଲିମ ପ୍ରଦାନ କରିବା ନିମନ୍ତେ ଭାରତର ‘ଅଣ୍ଡର୍ଷ୍ଟାଣ୍ଡିଂ ଅଫ୍ ଲାଇଫ୍ଲଙ୍ଗ୍ ଲର୍ଣ୍ଣିଂ ଫର୍ ଅଲ୍ ଇନ୍ ସୋସାଇଟି(ଉଲ୍ଲାସ)’ ସ୍କିମ୍କୁ ଗ୍ରହଣ କରିବା ଲାଗି ପାକିସ୍ତାନକୁ ଏଡିବି ପରାମର୍ଶ ଦେଇଥିବା ଜଣାପଡ଼ିଛି । ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ପାକିସ୍ତାନ ପକ୍ଷରୁ ଏଡିବିକୁ ଆର୍ଥିକ ସହାୟତା ମଗାଯାଇଥିଲା । ଏହାର ଜବାବରେ ଏଡିବି ଏହାକୁ ଭାରତ ମଡେଲକୁ ଆପଣାଇବାକୁ ପରାମର୍ଶ ଦେଇଛି ।
ସୂଚନାଯୋଗ୍ୟ, ଔପଚାରିକ ସ୍କୁଲ ଶିକ୍ଷା ନେଇ ପାରି ନ ଥିବା ନିରକ୍ଷର ଏବଂ ପ୍ରାପ୍ତ ବୟସ୍କଙ୍କୁ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ଗତବର୍ଷ ଜୁଲାଇରେ ଭାରତ ସରକାର ଉଲ୍ଲାସ ସ୍କିମ୍ ଆରମ୍ଭ କରିଥିଲେ ।