ଗୁଜରାଟ ୦୪/୦୩: ଗୁଜରାଟର ଜାମନଗରରେ ଶୁକ୍ରବାରଠାରୁ ଚାଲିଛି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ । ସେଥିରେ ଯୋଗ ଦେବାକୁ ଦେଶ ବିଦେଶର ବହୁ ସେଲିବ୍ରିଟି ଓ ବ୍ୟବସାୟୀ ଜାମନଗର ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ସାମିଲ । ସ୍ୱାମୀ ଜେରେଡ୍ କୁଶନର ଓ ଝିଅ ଅରବେଲାଙ୍କ ସହିତ ଇଭାଙ୍କା କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଏହି ଅବସରରେ ତାଙ୍କର ଦେଶୀ ଲୁକ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ଶୁକ୍ରବାର ପାର୍ଟି ଲାଗି ଇଭାଙ୍କା ପାଶ୍ଚାତ୍ୟ ପୋଷାକ ବଦଳରେ ପ୍ରସିଦ୍ଧ ଡିଜାଇନର୍ ମନୀଷା ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ ସିଲଭର-ଗୋଲଡେନ୍ ସିକ୍ୱିନ୍ ଶାଢ଼ି ପିନ୍ଧିଥିଲେ । ତାଙ୍କ ସାଙ୍ଗକୁ ମ୍ୟାଚିଂ ବ୍ଲାଉଜ୍ ଓ କିଛି ଜୁଏଲାରୀ ତାଙ୍କର ଲୁକ୍କୁ ସଂପୂର୍ଣ୍ଣ କରିଥିଲା । ତାଙ୍କ ସ୍ୱାମୀ ମଧ୍ୟ ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏକ କଳା ରଙ୍ଗର ବନ୍ଦଗଳା ଜ୍ୟାକେଟ୍ ଓ ମ୍ୟାଚିଂ ପ୍ୟାଣ୍ଟ ପିନ୍ଧିଥିଲେ । ଝିଅ ଅରବେଲାଙ୍କୁ ଏକ ଶିମରି ଗାଉନ୍ରେ ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଦିନ ଏକ ଧଳାରଙ୍ଗର ଲେହେଙ୍ଗା ପିନ୍ଧିଥିଲେ ଇଭାଙ୍କା । ତା’ ସାଙ୍ଗକୁ ମ୍ୟାଚିଂ ପୋଟଲି ବ୍ୟାଗ୍ ଏବଂ ଷ୍ଟେଟମେଣ୍ଟ ଜୁଏଲାରୀ ତାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଥିଲା । ତାଙ୍କର ଏହି ଦେଶୀ ଲୁକ୍ର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
ସେପଟେ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେଲିବ୍ରେସନ୍ କାର୍ଯ୍ୟକ୍ରମର ଆଜି ତୃତୀୟ ଦିନ ହୋଇଥିବାବେଳେ ସେଥିରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ବିଗ୍ ବି ଅମିତାଭ ବଚ୍ଚନ, ରଜନୀକାନ୍ତ ଓ ସଞ୍ଜୟ ଦତ୍ତ ପ୍ରମୁଖ ସେଲିବ୍ରିଟି ସାମିଲ ହୋଇଛନ୍ତି । ସୂଚନାଥାଉକି, ମୁକେଶଙ୍କର ସାନପୁଅ ଅନନ୍ତ ଅମ୍ବାନି ବ୍ୟବସାୟୀ ବୀରେନ୍ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକାଙ୍କ ସହିତ ଚଳିତବର୍ଷ ବିବାହବନ୍ଧନରେ ଆବଦ୍ଧ ହେବେ । ତା’ ପୂର୍ବରୁ ଏହି ପ୍ରି-ୱେଡିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।