ନୂଆଦିଲ୍ଲୀ: ଶୁକ୍ରବାର ରାତି ପ୍ରାୟ ୧୧.୩୦ । ପୁରୁଣା ଫରିଦାବାଦର ଅଣ୍ଡରପାସ୍ରେ ଜମି ରହିଥିବା ପାଣିରେ ଫସିଯାଇଥିଲା ବ୍ୟାଙ୍କ ମ୍ୟାନେଜର ଓ କ୍ୟାସିୟରଙ୍କ ଏସୟୁଭି । ଆଉ ଏଥିରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଫଳରେ ଉକ୍ତ ଅଣ୍ଡରପାସରେ ପ୍ରବଳ ଜଳ ଜମା ହୋଇଥିଲା । ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ଏବଂ କ୍ୟାସିୟର ଏହି ଅଣ୍ଡରପାସ୍ ଦେଇ ଫରିଦାବାଦ ଅଭିମୁଖେ ଯାତ୍ରା କରୁଥିଲେ ।
ସେପଟେ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଅନୁସାରେ, କ୍ୟାସିୟର ମ୍ୟାନେଜରଙ୍କୁ ଗ୍ରେଟର ଫରିଦାବାଦରେ ଛାଡ଼ି ଫେରିବାର ଥିଲା । ଅଣ୍ଡରପାସ୍ରେ କୌଣସି ବୋର୍ଡ ଲାଗିନଥିବାରୁ ସେମାନେ ସେହି ବାଟ ଦେଇ କାର ନେବାକୁ ଚେଷ୍ଟା କରିଥିଲେ । ଫଳରେ ବଡ଼ ଅଘଟଣ ଘଟିଗଲା ଏବଂ ଅକାଳରେ ଚାଲିଗଲା ଦୁଇଟି ଜୀବନ । ସେପଟେ ମ୍ୟାନେଜରଙ୍କ ଫୋନ୍ ସ୍ବିଚ୍ ଅଫ୍ ଥିବାରୁ ତାଙ୍କ ପତ୍ନୀ ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍ କରିଥିଲେ । ଖବର ପାଇ ପୋଲିସ ଅଣ୍ଡରପାସ୍ ନିକଟରେ ପହଞ୍ଚିବା ପରେ ଏହି ଦୁଃଖଦ ମୃତ୍ୟୁ ସଂପର୍କରେ ଜାଣିବାକୁ ପାଇଥିଲା । ପରେ ଉଭୟ ମ୍ୟାନେଜର ଏବଂ କ୍ୟାସିୟରଙ୍କ ପରିବାରକୁ ଏନେଇ ସୂଚନା ଦେଇଥିଲା ପୋଲିସ ।
ବ୍ୟାରିକେଡ୍ ଥିଲେ ବୋଧୁହୁଏ ଦୁଇଟି ଜୀବନ ବଞ୍ଚିଯାଇଥାନ୍ତା ବୋଲି ବ୍ୟାଙ୍କର ସାଥି କର୍ମଚାରୀମାନେ ଦାବି କରିଛନ୍ତି । କିନ୍ତୁ ପୋଲିସ ଏଭଳି ଦାବିକୁ ଖଣ୍ଡନ କରିଛି । ପୋଲିସ ସେମାନଙ୍କୁ ଅଣ୍ଡରପାସ୍ ଦେଇ ଯିବାକୁ ବାରଣ କରିଥିଲା । କିନ୍ତୁ ସେମାନେ ବ୍ୟାରିକେଡ୍ ହଟାଇ ଆଗକୁ ଯାଇଥିଲେ ବୋଲି ପୋଲିସ ପାଲଟା ଅଭିଯୋଗ କରିଛି ।