ଭୁବନେଶ୍ୱର,୦୮/୦୬: ଆପଣ କିଛି କାମରେ ବ୍ୟସ୍ତ ଅଛନ୍ତି, ଟେବୁଲ ଉପରେ ମୋବାଇଲ ପଡିଛି । ହଠାତ୍ କାହାକୁ ଫୋନ୍ କଲ୍ କରିବାକୁ ମୋବାଇଲ୍ ହାତରେ ଧରିଲା ବେଳକୁ ଫୋନଟି ତାତି ଯାଇଛି । ଆପଣ ତ ବହୁତ ସମୟ ହେଲା ଫୋନ୍ ବ୍ୟବହାର କରିନଥିଲେ, ଚାର୍ଜରେ ବି ବସାଇ ନଥିଲେ । ତାହେଲେ ଫୋନଟି ଏତେ ମାତ୍ରାରେ ତାତିଛି କାହିଁକି ! ମୋବାଇଲ୍ ଏତେ ପୁରୁଣା ନୁହେଁ କିନ୍ତୁ ବାରମ୍ବାର ହ୍ୟାଙ୍ଗ୍ ହୋଇଯାଉଛି । ଦିନକୁ ୨ ଜିବି ଡାଟା ପ୍ଲାନ୍ ଅଛି, ବ୍ୟବହାର କରିନଥିଲେ ବି ଡାଟା ଶୀଘ୍ର ଶୀଘ୍ର ସରିଯାଉଛି । ନୂଆ ଫୋନ୍ ହେଉ କି ଦାମିକିଆ ଫୋନ୍, ଏଭଳି ସମସ୍ୟା ଅନେକ ଲୋକଙ୍କ ପାଇଁ ନୂଆ ନୁହେଁ । ତେବେ ଆପଣଙ୍କ ଅଜାଣତରେ, ଆପଣଙ୍କ ମୋବାଇଲକୁ ପଶିଆସିଥିବା ମାଲୱେୟାର୍, ବୋଟୱେୟାର୍, ଆଡୱେୟାର୍ ତଥା ସ୍ପାଏୱେୟାର କରୁଛି ଏହି ସବୁ କାମ ।
ବିଭିନ୍ନ ୱେବସାଇଟ୍ ଖୋଲି ଦେଖିବା ବେଳେ, ମନଇଚ୍ଛା ଆପ୍ ଡାଉନଲୋଡ୍ କରିବା, ଅଜଣା ଲିଙ୍କରେ କ୍ଲିକ୍ କରିବା, ଏଭଳି ବିଭିନ୍ନ କାରଣକୁ ଆମ ମୋବାଇଲ୍, ଲାପଟପ୍ ଏବଂ ଡେସ୍କଟପକୁ ଆମ ଅଜାଣତରେ ମାଲୱେୟାର୍, ବୋଟୱେୟାର୍, ଆଡୱେୟାର୍ ଏବଂ ସ୍ପାଏୱେୟାର ପଶିଆସନ୍ତି । ଯାହାଦ୍ୱାରା ଆମ ମୋବାଇଲ୍ ସଂକ୍ରମିତ ହୋଇଥାଏ ଏବଂ ହ୍ୟାକର୍ସମାନେ ଆମର ବ୍ୟକ୍ତିଗତ ତଥ୍ୟ ଚୋରି କରିଥାନ୍ତି । ଥରେ ଆପଣଙ୍କ ତଥ୍ୟ ହ୍ୟାକର୍ସଙ୍କ ପାଖକୁ ଚାଲିଗଲେ, ସେ ତାକୁ ନେଇ କଣ ଯେ କରିବେ ସେକଥା ଅନୁମାନ କରିବା କଷ୍ଟକର । ହୁଏତ ଆପଣଙ୍କର କ୍ଷତି ହୋଇପାରେ, ହୁଏତ ଦେଶର ବି କ୍ଷତି ହୋଇପାରେ । ଏଣୁ ଡିଜିଟାଲ ଯୁଗରେ ସାଇବର ସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଜନସଚେତନା ସୃଷ୍ଟି କରୁଛି । ଭାରତରେ ସାଇବର୍ ସଂକ୍ରମଣ ଚିହ୍ନଟ କରି ଏକ ସୁରକ୍ଷିତ ସାଇବର ସ୍ଥାନ ସୃଷ୍ଟି କରିବା ଏବଂ ଜାତୀୟ ସାଇବର ନୀତିର ଉଦ୍ଦେଶ୍ୟ ପୂରା କରିବା ଲାଗି ‘ସାଇବର ସ୍ୱଚ୍ଛତା କେନ୍ଦ୍ର’ ନାମରେ ଏକ ପୋର୍ଟାଲ ଖୋଲାଯାଇଛି । ବିଭିନ୍ନ ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଆଣ୍ଟି-ଭାଇରସ୍ କମ୍ପାନୀଗୁଡିକର ସମନ୍ୱୟ ଏବଂ ସହଯୋଗରେ ଏହି କେନ୍ଦ୍ର କାର୍ଯ୍ୟ କରୁଛି ।
ଫେକ୍ ନୁହେଁ ଓରିଜିନାଲ୍
“ସାଇବର୍ ସୁରକ୍ଷିତ ରୁହନ୍ତୁ ! ବଟନେଟ୍ ସଂକ୍ରମଣ ଏବଂ ମାଲୱେୟାରରୁ ଆପଣଙ୍କ ଡିଭାଇସକୁ ସୁରକ୍ଷିତ କରିବା ପାଇଁ https:// www.csk.gov.in ରେ ମାଗଣା ବଟ୍ ଅପସାରଣ ଉପକରଣ ଡାଉନଲୋଡ୍ କରିବାକୁ CERT-In GoI ପରାମର୍ଶ ଦେଇଥାଏ ।” ନିକଟରେ ଅନେକ ଲୋକଙ୍କ ମୋବାଇଲକୁ ଏଭଳି ଏସ୍ଏମ୍ଏସ୍ ଆସିଛି । ତେବେ ଏହା ସାଇବର ସ୍ୱଚ୍ଛତା କେନ୍ଦ୍ର ବା ସିଏସକେ ପକ୍ଷରୁ ସାଇବର ସଚେତନତା କରାଯାଉଛି । ଏହା କୌଣସି ଫେକ୍ ମେସେଜ୍ ନୁହେଁ ।
ଭୟ, ଲୋଭ, କୌତୁକରେ ପଡ଼ନ୍ତୁ ନାହିଁ
ଇଣ୍ଟରନେଟ୍ ଯୁଗରେ ସାଇବର୍ ସଂକ୍ରମଣରୁ ନିଜ ମୋବାଇଲ୍, ଡେସ୍କଟପ୍ ଓ ଲାପଟପକୁ ବଞ୍ଚାଇବା ନିହାତି ଜରୁରୀ । ଯେକୌଣସି ସମୟରେ ଇଣ୍ଟରନେଟ ଦ୍ୱାରା ଆମର ଗୋପନୀୟ ତଥ୍ୟ ମୁକ୍ତାକାଶକୁ ଚାଲିଯାଇପାରେ । ଅଜଣା ନମ୍ବରରୁ ଆସିଥିବା ଭୟ ସୃଷ୍ଟିକାରୀ ଏସଏମଏସକୁ ଅଣଦେଖା କରନ୍ତୁ । କୌତୁକରେ ପଡି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ ଦ୍ୱାରା ବିଭିନ୍ନ ଆପ୍ ଜରିଆରେ ନିଜର ମୁହଁକୁ ବଦଳାଇବା, ବ୍ୟକ୍ତିଗତ ଫଟୋକୁ ପକାଇ ଏଡିଟ୍ କରିବା, ଅଜଣା ଆପକୁ ମୋବାଇଲର କଣ୍ଟାକ୍ଟ, ଗ୍ୟାଲେରୀ, କ୍ୟାମେରା ଆଦିର ଆକ୍ସେସ୍ ଦେବା, କେବଳ ମଜା ପାଇଁ ଅନାବଶ୍ୟକ ଆପ୍ ଡାଉନଲୋଡ୍ କରିବା ଆଦିରୁ ନିବୃତ୍ତ ରୁହନ୍ତୁ । ସେହିପରି ବିଭିନ୍ନ ସ୍କିମ୍ କିମ୍ବା ଅଫର୍ ଜରିଆରେ ଲୋଭ ଦେଖାଇବା ଭଳି ଆସିଥିବା ମେସେଜକୁ ମଧ୍ୟ ଅଣଦେଖା କରନ୍ତୁ । ଯଦି ଆପଣଙ୍କ ମୋବାଇଲ୍, ଲାପଟପ୍ କିମ୍ବା ଡେସ୍କଟପରେ ମାଲୱେୟାର୍, ବୋଟୱେୟାର୍ ପଶିଆସିଛି ବୋଲି ଅନୁଭବ କରୁଛନ୍ତି ‘ସାଇବର ସ୍ୱଚ୍ଛତା କେନ୍ଦ୍ର’ ପୋର୍ଟାଲରେ ସିକ୍ୟୁରିଟି ଟୁଲ୍ସକୁ ଯାଇ ନିଜ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଆପ୍ ଡାଉନଲୋଡ୍ କରି ନିଜ ଡିଭାଇସକୁ ସଂକ୍ରମଣ ମୁକ୍ତ କରିପାରିବେ।