ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମଧ୍ୟ ଭୁବନେଶ୍ୱର ରାଜନୀତି ଗୋଳମାଳିଆ: ବିଜେଡ଼ିରେ ଅନନ୍ତ-ଅମରେଶ ବଳ କଷାକଷି, କଡ଼ା ଟକ୍କର ଦେବେ ବିଜେପିରୁ ଜଗନ୍ନାଥ

ଭୁବନେଶ୍ୱର,୧୯/୦୩: ବିଜେଡି ଟିକଟ ପାଇଁ ବଳ କଷାକଷି । ଗୋଟିଏ ପଟେ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) । ଅନ୍ୟପଟେ କର୍ପୋରେଟର ଅମରେଶ ଜେନା (ବାଇଁଆ) । ବନ୍ଧୁ ମିଳନରୁ ନବୀନ ନିବାସ ଯାଏଁ ଟିକଟ ଲବି ଜୋରଦାର ଚାଲିଛି ଉଭୟଙ୍କ ଶିବିର ପକ୍ଷରୁ । ଏହି ଦୁଇ ଜେନାଙ୍କୁ ନେଇ ଏବେ ମଧ୍ୟ ଭୁବନେଶ୍ୱର ଟିକଟ ଚୟନ ବିଜେଡି ପାଇଁ ବଡ଼ ଚାଲେଞ୍ଜ ହୋଇପାରେ । 

ବିଜେଡି ଟିକଟ ପାଇଁ ଏଭଳି ଟିକଟ ଟଣାଓଟରା ଭିତରେ ମଧ୍ୟ ଭୁବନେଶ୍ୱରରୁ ବାଜି ମାରିବାକୁ ବିଜେପିର ଜଗନ୍ନାଥ ପ୍ରଧାନ କସରତ ଚଳାଇଛନ୍ତି । ବିଜେପିରୁ ଜଗନ୍ନାଥ ହିଁ ଏକମାତ୍ର ଟିକଟ ଦାବିଦାର ଅଛନ୍ତି ମଧ୍ୟ ଭୁବନେଶ୍ୱର ଆସନରେ ।  ୨୦୧୯ରେ ଜଗନ୍ନାଥ କଡ଼ା ସଂଘର୍ଷ କରି ଭୋଟ ବ୍ୟବଧାନକୁ ୨୨ ହଜାରରୁ ୧୧ ହଜାରକୁ ଖସାଇ ଦେଇଥିଲେ । ଜଗନ୍ନାଥ ବିଭିନ୍ନ ୱାର୍ଡ ବୁଲିବା ସହ ଲୋକସମ୍ପର୍କ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । 

ଏ ଆସନରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାବେଳେ ଏଥର ଟିକଟ ଦୌଡ଼ରେ ସବୁଠୁ ଆଗରେ ରହିଛି ପ୍ରକାଶ ଜେନାଙ୍କ ନାଁ । ଗତ ବିଏମସି ନିର୍ବାଚନରେ ପ୍ରକାଶଙ୍କ  ପୁଅ କଂଗ୍ରେସ ଟିକଟରେ କର୍ପୋରେଟର ପ୍ରାର୍ଥୀ ଭାବେ ଲଢ଼ି ବିଜେଡିକୁ କଡ଼ା ଟକ୍କର ଦେଇଥିଲେ । ଅନ୍ୟ ଜଣେ ଯୁବ ଦାବିଦାର ହେଲେ ପିସିସି ମୁଖପାତ୍ର ରଜନୀ ମହାନ୍ତି । ଏହାବାଦ୍‌ ଦଳ କୌଣସି ନୂଆ ମୁହଁକୁ ବି ସୁଯୋଗ ଦେଇପାରେ ।

୨୦୨୪ ନିର୍ବାଚନ ପାଇଁ ମଧ୍ୟ ଭୁବନେଶ୍ୱର ଆସନ ପୂରା ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ବନ୍ଧୁମିଳନ ନାଁରେ ଶକ୍ତି ପ୍ରଦର୍ଶନ କରି ଟିକଟ ଦାବିଦାରୀ ରଖିଥିଲେ ଅମରେଶ । ସମାନ ଦିନରେ ଅନନ୍ତ ମଧ୍ୟ ରାଲି କରି ବଳ ଦେଖାଇଥିଲେ । ନବୀନ ନିବାସରେ ଉଭୟଙ୍କୁ ପୃଥକ ପୃଥକ ଭାବେ ଦେଖିବାକୁ ମିଳିଥିଲା । ବିଧାୟକ ପ୍ରାର୍ଥୀ ଟିକଟ ପାଇଁ ଅମରେଶ ଆବେଦନ କରିବା ପରେ ଚର୍ଚ୍ଚା ବେଶି ବଢ଼ିଥିଲା । ବିଜେଡିର ବଡ଼ ନେତାମାନେ ଏ ପ୍ରସଙ୍ଗରେ ଚୁପ୍‌ ଅଛନ୍ତି । ହେଲେ ଅନନ୍ତ ଓ ଅମରେଶଙ୍କ ମଧ୍ୟରେ ପ୍ରାୟ ବର୍ଷେରୁ ଅଧିକ ସମୟ ହେବ ଛକାପଞ୍ଝା ଲାଗି ରହିଛି । ବିଧାୟକଙ୍କ ସହ ଦଳୀୟ କର୍ପୋରେଟରମାନେ ଥିବାବେଳେ ଅମରେଶଙ୍କ ସହ ପୂର୍ବତନ କର୍ପୋରେଟରମାନେ ଛିଡ଼ା ହୋଇଛନ୍ତି ।

ମେଣ୍ଟ ଚର୍ଚ୍ଚା ବଢ଼ିବା ପରଠାରୁ ଉଭୟ ଟିକଟ ଧାଁ ଧପଡ଼ ସାମାନ୍ୟ କମିଛି । ଆଉ କେହି ବଡ଼ ବୈଠକ କି ବନ୍ଧୁ ମିଳନ କରୁନାହାନ୍ତି । ଉଭୟ ଅନନ୍ତ ଓ ଅମରେଶ ନିୟମିତ ବିଭିନ୍ନ ୱାର୍ଡରେ ଛୋଟ ଛୋଟ କାର୍ଯ୍ୟକ୍ରମରେ ୩୦-୫୦ ଲୋକଙ୍କୁ ଭେଟୁଛନ୍ତି । ଏହା ଭିତରେ ବିଜେଡି ଟିକଟ ଦୌଡ଼ରେ ଯୁବ ନେତା ରୁଦ୍ର ସାମନ୍ତରାୟଙ୍କ ନାଁ ବି ସାମିଲ ହୋଇଛି । ସେ ବିଭିନ୍ନ ସ୍ଥାନରେ ‘ସମ୍ପର୍କ’ ଅଭିଯାନ ଚଳାଇ ଲୋକଙ୍କୁ ଭେଟୁଛନ୍ତି । ଯୁବ ନେତା ଦୁର୍ଗା ସାମନ୍ତରାୟ ମଧ୍ୟ ଟିକଟ ଆଶାୟୀ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ସଂଖ୍ୟାଲଘୁ ଚେହେରା ଭାବେ ପୂର୍ବତନ କର୍ପୋରେଟର ଏସ୍‌.କେ.ନିଜାମୁଦ୍ଦିନଙ୍କ ନାଁ ବି ଚର୍ଚ୍ଚାରେ ଥିବା ଶୁଣିବାକୁ ମିଳୁଛି । 

ରାଜନୈତିକ ସମୀକ୍ଷକଙ୍କ କହିବାନୁଯାୟୀ ବିଜେଡି ସବୁବେଳେ ସରପ୍ରାଇଜ୍‌ କାର୍ଡ ଖେଳିଥାଏ । ମଧ୍ୟ ଭୁବନେଶ୍ୱରରେ ଟିକଟ ଟଣାଓଟରା ସ୍ଥିତି ମ୍ୟାନେଜ ନ ହେଲେ ନୂଆ ଚାଲ୍‌ ଖେଳିବ ଦଳ । ସମ୍ଭବତଃ କୌଣସି ମହିଳା ନେତ୍ରୀଙ୍କୁ ବି ଟିକଟ ଦେଇ ଦଳ ଚକ୍‌ମା ଦେଇପାରେ । 

ବର୍ତ୍ତମାନ ସମସ୍ତେ ଅନେଇଛନ୍ତି ମେଣ୍ଟ ନିଷ୍ପତ୍ତିକୁ । ବଡ଼ ପ୍ରଶ୍ନ- ମେଣ୍ଟ ହେବ କି ନାହିଁ? ଯଦି ମେଣ୍ଟ ହେଲା, ମଧ୍ୟ ଭୁବନେଶ୍ୱର ଆସନ କାହା ଭାଗରେ ପଡ଼ିବ? ବିଜେପି ଭାଗରେ ପଡ଼ିଲେ ବିଜେଡି ଟିକଟ ଆଶାୟୀ ସମ୍ଭାଳି ରହିବେ ତ? ଯଦି ବିଜେଡି ଭାଗରେ ପଡ଼ିଲେ, ବର୍ଷ ବର୍ଷ ଧରି ଜୀ ଜାନ୍‌ ଲଗାଇ କାମ କରୁଥିବା ବିଜେପି ନେତା ଜଗା ପ୍ରଧାନ କ’ଣ କରିବେ?

ଆଉ ଏକ ଚର୍ଚ୍ଚା ହେଲା- ଯଦି ବିଜେପି ଭାଗରେ ଭୁବନେଶ୍ୱର ଲୋକସଭା ଆସନ ପଡ଼ିବ, ତେବେ ମଧ୍ୟ ଭୁବନେଶ୍ୱର ବିଜେଡି ହାତରେ ରହିପାରେ । ଏମିତିରେ ଲୋକସଭା ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଥିବା ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ମଧ୍ୟ ଭୁବନେଶ୍ୱର ବିଧାନସଭା ଆସନରୁ ପ୍ରାର୍ଥୀ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।  ଅର୍ଥାତ୍‌ ମେଣ୍ଟ ହେଲେ ସଭିଙ୍କ ଅଙ୍କ ଗୋଳମାଳ ହେବା ଥୟ । ଆଉ ମେଣ୍ଟ ନ ହେଲେ ବିଜେଡି ଟିକଟ ଟଣାଓଟରାର ଫଳ କ’ଣ ହେବ, ଏବେଠାରୁ ଆକଳନ କଷ୍ଟକର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.