ପ୍ରମୂଖ ଖବର

୧୦ ସକାଳେ ବସିବ ବିଜେପି ବିଧାୟକ ଦଳ ବୈଠକ , ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର

ଭୁବନେଶ୍ବର,୮/୬: ଆସନ୍ତା ୧୦ତାରିଖ ସକାଳେ ବସିବ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକ ।  ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ବିଧାୟକ ଦଳ ସହମତି ପରେ ବିଧିବଦ୍ଧ ଭାବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନା ଘୋଷଣା ହେବ । ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଏହି ବୈଠକ ହେବ । ସେହି ଦିନ ସନ୍ଧ୍ୟାରେ ଶପଥ ନେବେ ବିଜେପିର ଓଡ଼ିଶାରେ ପ୍ରଥମ ମୁଖ୍ୟମନ୍ତ୍ରୀ ।

ତେବେ ପ୍ରଥମଥର ଓଡ଼ିଶାରେ ବିଜେପି ଏକାକୀ ସରକାର ଗଢ଼ିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଛି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ସବୁଠାରୁ ଆଗରେ ଥିବା କୁହାଯାଉଛି । ଯଦି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ମିଳେ, ତେବେ ବିଧାୟକଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ରହିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଗିରୀଶ ମୁର୍ମୁ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତି ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶାରେ ନୂଆ ସରକାରର ଶପଥ ଗ୍ରହଣ ପାଇଁ ଭୁବନେଶ୍ୱରର ଜନତା ମୈଦାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଯଦିଓ ଶପଥ ଗ୍ରହଣର ତାରିଖ ଓ ସମୟ ବିଧିବଦ୍ଧ ଭାବେ ଆସିନାହିଁ, ତଥାପି ରାଜ୍ୟ ଓ ଦେଶର ଅତିଥି ଆସୁଥିବାରୁ ରାଜ୍ୟ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ସେପଟେ ରାଜ୍ୟରେ ନୂଆ ସରକାରର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି । ଜନତା ମଇଦାନରେ ଟେଣ୍ଟ କାମ ଦ୍ରୁତ ଗତିରେ ହେଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ମେଗା ଉତ୍ସବ ପାଇଁ କାମକୁ ତ୍ୱରାନ୍ୱିତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପ୍ରାୟ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିର ହେଭିୱେଟ ଆସିବାର କାର୍ଯ୍ୟକ୍ରମ ରହିଛି । ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ସବୁ ବ୍ୟବସ୍ଥା ହେଉଛି । ରାଜ୍ୟର ଶାସନ ବ୍ୟବସ୍ଥା ଗତ ୨୪ ବର୍ଷ ହେବ ଗୋଟିଏ ଟ୍ରାକରେ ଚାଲିଥିଲା । ମାତ୍ର ସରକାର ବଦଳିବା ପରେ ଲୋକସେବା ଭବନରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଫିସ ଯାଏ ସବୁଠି ନାନା ଚର୍ଚ୍ଚା । ନୂଆ ସରକାରର କାର୍ଯ୍ୟଧାରା କେମିତି ରହିବ? ଗତାନୁଗତିକ ଢ଼ାଞ୍ଚାରେ ଶାସନ ଚାଲିବ ନା କିଛି ପରିବର୍ତ୍ତନ ହେବ ତାକୁ ନେଇ ମଧ୍ୟ ଅଫିସର ମହଲରେ ଦ୍ୱନ୍ଦ୍ୱ । ବିଜେପି ସରକାର କରିବାକୁ ଯାଉଥିବାରୁ ମନ୍ତ୍ରୀପଦ ଉପରେ ବହୁ ହେଭିୱେଟ୍‌ଙ୍କ ଆଖି । ପ୍ରାୟ ୩ ଡଜନ ବିଧାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଉଦ୍ୟମ କରୁଛନ୍ତି । ଦଳ କେଉଁ ଆଧାରରେ ମନ୍ତ୍ରୀପଦ ବାଣ୍ଟିବ ତାହା ସ୍ପଷ୍ଟ ହୋଇନି । କିଛି ବିଧାୟକ ଦିଲ୍ଲୀ ଲବିକୁ ତେଜିଛନ୍ତି । ମାତ୍ର ସବୁକିଛି ନିର୍ଭର କରୁଛି କିଏ ହେବ ମୁଖ୍ୟମନ୍ତ୍ରୀ? ସମସ୍ତଙ୍କ ଆଖି ବିଜେପି ବିଧାୟକ ଦଳ ବୈଠକ ଉପରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.