କଟକ,୨୧/୦୫: ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତେ୍ୱ ରାଜ୍ୟର ସମସ୍ତ ବ୍ଲକ୍ଗ୍ରାଣ୍ଟ୍ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ପେନ୍ସନ୍ ପରିବର୍ତ୍ତେ ଏକକାଳୀନ ପ୍ରାପ୍ୟ ପ୍ରଦାନ ଲାଗି ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିକୁ ହାଇକୋର୍ଟ ସୋମବାର ରଦ୍ଦ କରି ଦେଇଛନ୍ତି । ଗତ ଏପ୍ରିଲ ୨୪ ତାରିଖରେ ହାଇକୋର୍ଟ ଏହି ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ବିଭିନ୍ନ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ବିଜ୍ଞପ୍ତିକୁ ଅଯଥାର୍ଥ ଦର୍ଶାଇ ରଦ୍ଦ କରିଦେଇଛନ୍ତି । ହାଇକୋର୍ଟଙ୍କ ଏହି ଆଦେଶ ଫଳରେ ବ୍ଲକ୍ ଗ୍ରାଣ୍ଟ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଆଶ୍ୱସ୍ତ ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ବଡ଼ ଝଟ୍କା ଲାଗିଛି ।
ରାଜ୍ୟର ବ୍ଲକ୍ଗ୍ରାଣ୍ଟ୍ ସ୍କୁଲ୍ ଏବଂ କଲେଜ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ପେନ୍ସନ୍ ପାଉନଥିଲେ । ଏନେଇ ଏହି କର୍ମଚାରୀମାନେ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଫଳରେ ହେମନ୍ତ କୁମାର ଛୋଟରାୟଙ୍କ ସମେତ ଶତାଧିକ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜଣେ ବ୍ଲକ୍ଗ୍ରାଣ୍ଟ କର୍ମଚାରୀଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଆଦେଶ ବଳରେ କିପରି ପେନ୍ସନ୍ ମିଳୁଛି ସେ ନେଇ ଅଦାଲତଙ୍କୁ ଅବଗତ କରିଥିଲେ । କିନ୍ତୁ ଆଉ ଜଣେ ହେଲେ ବି’ କର୍ମଚାରୀଙ୍କୁ ପେନ୍ସନ୍ ପ୍ରଦାନ କରାଯାଉ ନାହିଁ । ଫଳରେ ଓଡ଼ିଶା ହାଇକୋର୍ଟ ଗତ ଜାନୁଆରୀ ୧୨ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରି ସମସ୍ତ ବ୍ଲକ୍ଗ୍ରାଣ୍ଟ କର୍ମଚାରୀଙ୍କୁ ପେନ୍ସନ୍ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ ।
ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ସତ୍ତେ୍ୱ ରାଜ୍ୟ ସରକାର ଗତ ମାର୍ଚ୍ଚ ୯ ତାରିଖ କ୍ୟାବିନେଟ୍ରେ ଏ ସଂକ୍ରାନ୍ତ ଏକ ବିଲ୍ ଆଣି ବ୍ଲକ୍ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପେନ୍ସନ୍ ପରିବର୍ତ୍ତେ ଏକକକାଳୀନ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ବ୍ଲକ୍ଗ୍ରାଣ୍ଟରେ ଶିକ୍ଷାଦାନ କରୁଥିବା କର୍ମଚାରୀଙ୍କ ପାଇଁ ୧୦ଲକ୍ଷ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ୫ ଲକ୍ଷ ଟଙ୍କା ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୧୩ରେ ବିଜ୍ଞପ୍ତି ପ୍ରକାଶ କରାଯାଇ ବ୍ଲକ୍ଗ୍ରାଣ୍ଟ କର୍ମଚାରୀଙ୍କ ପାଇଁ ପେନ୍ସନ୍ ପରିବର୍ତ୍ତେ ଉପରୋକ୍ତ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା । ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ବାଲେଶ୍ୱର ଖଡ଼ିଆଳର ଆର୍ଆଇଏଚ୍ଏସ୍ ମହାବିଦ୍ୟାଳୟ କର୍ମଚାରୀ ବନମାଳୀ ବାରିକ୍ ଏବଂ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ପ୍ରଥମେ ବିଜ୍ଞପ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ପରେ ଆଜି ଏହି ରାୟ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଏବଂ ଶୁଭଦତ୍ତ ରାଉତରାୟ ମାମଲା ପରିଚାଳନା କରୁଥିଲେ ।