ନୂଆଦିଲ୍ଲୀ,୩୦।୫: ଦିଲ୍ଲୀ ଭୀଷଣ ଗରମ ଓ ଲୁ’ ପାଇଁ ହାହାକାର ସ୍ଥିତି। ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ ଉପରକୁ ଚାଲିଯାଇଛି। ଏବେ ଏହି ଗରମରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବିହାରର ଦରଭଙ୍ଗାରେ ରହୁଥିବା ୪୦ ବର୍ଷୀୟ ଜଣେ ଶ୍ରମିକଙ୍କର କାମ କରୁଥିବା ବେଳେ ଅଂଶୁଘାତରେ ମୃତ୍ୟୁ ହୋଇଛି। ମୃତକ ପାଇପଲାଇନ୍ ଫିଟିଂ କରୁଥିବା ଏକ ପ୍ୟାକ୍ଟ୍ରିରେ କାମ କରୁଥିଲେ। ଫ୍ୟାକ୍ଟ୍ରିର କର୍ମଚାରୀମାନେ ତାଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ ନେଇକି ଆସିଥିଲେ । ଡାକ୍ତରଙ୍କ କହିବା ଅନୁସାରେ, ବ୍ୟକ୍ତିଜଣନ ବିନା ଫ୍ୟାନ୍ ଓ କୁଲରରେ ରହୁଥିଲେ। ଏହି କାରଣରୁ ତାଙ୍କୁ ପ୍ରବଳ ଜ୍ବର ଆସିଥିଲା। ତାଙ୍କ ଶରୀରର ତାପମାତ୍ରା ୧୦୭ ଡିଗ୍ରୀ ଫାରେନହାଇଟ୍ ଉପରକୁ ଚାଲିଯାଇଥିଲା।
ଶ୍ରମିକ ଜଣକ ୫ ବର୍ଷ ହେବ ଦିଲ୍ଲୀରେ କାମ କରୁଥିଲେ। ଡାକ୍ତର କହିଛନ୍ତି, ହସ୍ପିଟାଲ ପହଁଞ୍ଚିବା ପରେ ତାଙ୍କୁ ତୁରନ୍ତ ହିଟ୍ ଷ୍ଟେ୍ରାକ୍ ୟୁନିଟ୍ରେ ଭର୍ତ୍ତି କରାଯାଇଥିଲା। ଏହା ଏକ ସ୍ବତନ୍ତ୍ର ୟୁନିଟ୍, ଯାହାକୁ ୮ ମଇରେ ତାପପାତ୍ରା ବଢିବା କାରଣରୁ ଆରଏମ୍ଏଲ ହସ୍ପିଟାଲରେ ପ୍ରଥମ ଥର ସ୍ଥାପିତ କରାଯାଇଛି। ରୋଗୀ ଜଣକ ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ସେ ୟୁନିଟ୍ରେ ଥିଲେ। ବୁଧବାର ତାଙ୍କୁ ଓ୍ବାର୍ଡକୁ ଅଣାଯାଇଥିଲା। ତାଙ୍କର ସ୍ଥିତି ହଠାତ ଖରାପ ହୋଇଯାଇଥିଲା ଓ ମଧ୍ୟାହ୍ନ ପ୍ରା୍ୟ ୩ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା।