ନୂଆଦିଲ୍ଲୀ – ଦେଶର ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପ୍ରଦୂଷଣର ସ୍ଥିତି ଖୁବ୍ ସଙ୍ଗିନ ହୋଇ ଯାଇଛି। ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଗମ୍ଭୀର ଶ୍ରେଣୀରେ ରେକର୍ଡ କରାଯାଉଛି। ଗତ ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ରବିବାର ୪୫୪ ରେକର୍ଡ ହୋଇଛି। ଏହି ମଧ୍ୟରେ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି । ପାଣିପାଗ ବିଭାଗର କହିବାନୁସାରେ, ଖୁବ୍ ଶୀଘ୍ର ଏକ ପଶ୍ଚିମୀ ଝଡ଼଼ ପାହାଡ଼ରେ ମାଡ଼ ହେବ , ଯାହାର ପ୍ରଭବାରେ ସମତଳ ଅଞ୍ଚଳରେ ମଧ୍ୟ ନଜର ଆସିବ। ଏହି ପଶ୍ଚିମୀ ଝଡ଼ କାରଣରୁ ପ୍ରଦୂଷକ ଗୁଡ଼ିକର ବିସ୍ତାର ହ୍ରାସ ପାଇବ ଏବଂ ଅନୁକୂଳ ପରିସ୍ଥିତି ମଙ୍ଗଳବାର ରାତିରୁ ଜାରି ରହିବ।
ପାଣିପାଗ ବିଭାଗ ପକ୍ଷରୁ ଜାରି ଅଲ୍ ଇଣ୍ଡିଆ ୱେଦର ବୁଲେଟିନ ମୁତାବିକ, ମଙ୍ଗଳବାର ବିଳମ୍ୱିତ ରାତିରୁ ଜମ୍ମୁ-କାଶ୍ମୀର , ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୮ରୁ ୧୦ ନଭେମ୍ୱର ସମୟରେ ପାଣିପାଗ ଖରାପ ରହିବ। ଏହି ସମୟରେ ଦୁଇ ରାଜ୍ୟରେ ସାମାନ୍ୟ ଧରଣର ବର୍ଷା ବା ବରଫପାତର ସତର୍କ ସୂଚନା ଜାରି କରାଯାଇଛି। ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ୮ରୁ ୯ ନଭେମ୍ୱର ବେଳେ ପାଣିପାଗ ଖରାପ ରହିବ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଭାଷାର ରିପୋର୍ଟ ଅନୁସାରେ, ଆଗାମୀ ପଶ୍ଚିମା ଝଡ଼ର ପ୍ରଭାବରେ ଦିଲ୍ଲୀରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଅନୁକୂଳ ପରିସ୍ଥିତି ମଙ୍ଗଳବାର ରାତିରୁ ହେବାର ସମ୍ଭାବନା ଅଛି। ତାଜା ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ପଶ୍ଚିମୀ ଭାରତର ଅନେକ ଅଞ୍ଚଳରେ ଅସମୟରେ ବର୍ଷା ହୋଇପାରେ। ଏଥିରେ ଥଣ୍ଡା ବଢିବାର ସମ୍ଭାବନା ରହିଛି। ହେଲେ ଦିପାବଳୀ ଅବସରରେ ବାଣ ଫୁଟାଇବା ଘଟଣାକୁ ନେଇ ଏହା ପୁଣି ବଢିବାର ଆଶଙ୍କା ମଧ୍ୟ ରହିଛି ।
ଉଲ୍ଲେଖନୀୟ ଯେ, ଏହି ସମୟରେ ଦିଲ୍ଲୀ –ଏନସିଆରରେ ସୋମବାର ସକାଳେ ପ୍ରଦୂଷଣର ସ୍ତର ସୁରକ୍ଷିତ ସ୍ତରରୁ ୭-୮ ଗୁଣା ଅଧିକ ରେକର୍ଡ କରାଯାଇଛି। ଲଗାତାର ୭ମ ଦିନରେ ଦିଲ୍ଲୀର ବାତାବରଣରେ ବିଷାକ୍ତ ଗ୍ୟାସ ଘେରି ରହିଛି। ଏହି ମଧ୍ୟରେ କେଜ୍ରିୱାଲ ସରକାର ଦେଶର ରାଜଧାନୀ ଦିଲ୍ଲୀରେ ୧୩ରୁ ୨୦ ନଭେମ୍ୱର ଯାଏ ଅଡ୍ ଇଭିନ ଯୋଜନା ଲାଗୁ କରିବାକୁ ଘୋଷଣା କରିଛି।