ମାଲକାନଗିରି, ୧୩/୯ : ସୁଭଦ୍ରା ଫର୍ମ ପୂରଣ ପାଇଁ ଆଦିମ ବଣ୍ଡା ଜନଜାତି ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ସୁଭଦ୍ରା ସଚେତନତା ରଥକୁ ବଣ୍ଡା ଘାଟିରେ ବଣ୍ଡା ମହିଳାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳାଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି । ମାଲକାନଗିରି ଜିଲ୍ଲାର ଜନଜାତି ବର୍ଗର ମହିଳାଙ୍କ ମଧ୍ୟରେ ମଧ୍ୟ ଏହି ଯୋଜନାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି ।
ଜିଲ୍ଲାରେ ବସବାସ କରୁଥିବା ଖଇରପୁଟ ବ୍ଲକ ସ୍ଥ ମୁଦୁଲିପଡା ଓ ଆଣ୍ଡରାହଲ ପଞ୍ଚାୟତରେ ବସବାସ କରୁଥିବା ଆଦିମ ବଣ୍ଡା ଜନଜାତି ମହିଳାମାନେ ଅଧିକ ସଂଖ୍ୟାରେ ଏହି ଯୋଜନା ପାଇଁ ଆବେଦନ ଜାରି ରଖିଛନ୍ତି । ଖଇରପୁଟ ବ୍ଲକର ୫ ହଜାର ୫ ଶହ ୮୪ ଜଣ ଆବେଦନକାରୀଙ୍କ ମଧ୍ୟରୁ ଅନ୍ଦ୍ରାହାଲ, ମୁଦୁଲିପଡ଼ା, କଦମଗୁଡା, ଖଇରପୁଟ, ପରଖନମାଲା ଓ ରାସବେଡ଼ାର ଅନେକ ବଣ୍ଡା ଜନଜାତି ମହିଳା ଉତ୍ସାହର ସହ ସୁଭଦ୍ରା ଫର୍ମ ପୂରଣ କରିଛନ୍ତି। ସେହିପରି ସୁଭଦ୍ରା ରଥକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି ।
ମାଲକାନଗିରି ବ୍ଲକର ତମସା, କାଲିମେଳାର ଭୁବନପଲ୍ଲୀ ଓ ତଣ୍ଡାବାଇ, ମାଥିଲିର ତେମୁରପାଲି ସମେତ ବଣ୍ଡାଘାଟିରେ ମଧ୍ୟ ରଥ ବୁଲି ଲୋକଙ୍କୁ ସଚେତନ କରିଛି । ଚିତ୍ରକୋଣ୍ଡାରେ ୫୧୪୨, କାଲିମେଳାରେ ୨୦,୬୮୯, କୋରକଣ୍ଡାରେ ୯୭୫୬, ମାଲକାନଗିରି ରେ ୧୧,୬୫୬, ମାଥିଲିରେ ୭୫୮୫ ଓ ପଡ଼ିଆ ରେ ୪୭୪୭ ଫର୍ମ ପଞ୍ଜିକରଣ କରାଯାଇଛି । ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୪୮୯ ଓ ମାଲକାନଗିରି ପୌର ପରିଷଦରେ ୨୧୬୯ ଅର୍ଥାତ ଜିଲ୍ଲାରେ ସର୍ବମୋଟ ୬୭,୮୪୮ ଜଣ ମହିଳା ପଞ୍ଜୀକରଣ କରିଛନ୍ତି । ପ୍ରକାଶ ଯେ, ଏହି ରଥ ଚଳିତ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଞ୍ଚଳ ଗୁଡିକରେ ଭ୍ରମଣ କରିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।