ନୂଆଦିଲ୍ଲୀ,୦୫/୧୧: ଉତ୍ତର ଜର୍ମାନୀର ହେମ୍ବର୍ଗ ସହରରେ ଉତ୍ତେଜନା ଦେଖାଦେଇଥିବା ବେଳେ ଏକ ଗାଡି ସୁରକ୍ଷା ବଳୟ ଭାଙ୍ଗି ହେମ୍ବର୍ଗ ବିମାନବନ୍ଦର ପରିସରରେ ପ୍ରବେଶ କରିଥିଲା, ଏବଂ ସେହି ଗାଡ଼ିରେ ଥିବା ବ୍ୟକ୍ତି ଜଣକ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣ ହେତୁ ହେମ୍ବର୍ଗ ବିମାନ ବନ୍ଦରକୁ ଯାତ୍ରୀଙ୍କ ପାଇଁ ସତର୍କତା ଅବଲମ୍ବନ କରାଯାଇଛି ଏବଂ ବିମାନ ଉଡ଼ାଣ ମଧ୍ୟ ବାତିଲ କରାଯାଇଛି। ଶନିବାର ରାତି ପ୍ରାୟ ୮ ଟାରେ ଏହି ଘଟଣା ଘଟିଛି।
ସୂଚନାନୁସାରେ, ଗାଡ଼ି ଭିତରେ ବନ୍ଧୁକ ରଖି ଆସିଥିବା ବ୍ୟକ୍ତି ଜଣଙ୍କ ସୁରକ୍ଷା କର୍ଡନକୁ ଭାଙ୍ଗି ନିଜେ ବିମାନବନ୍ଦର ଭିତରକୁ ପ୍ରବେଶ କରିଥିଲେ। ବ୍ୟକ୍ତି ଜଣକ କ୍ୟାମ୍ପସରେ ମଧ୍ୟ ଗୁଳି ଚଳାଇଥିଲେ ହେଁ ଏହି ଗୁଳିରେ କେହି ଆହତ ହୋଇନାହାଁନ୍ତି। ବିମାନ ବନ୍ଦରରେ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେଠାରେ ଉପସ୍ଥିତ ଯାତ୍ରୀମାନେ ଘଟଣା ପରେ ବିତତ୍ରସ୍ତ ହୋଇଯାଇଥିଲେ। ଏବଂ ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
ପରିସ୍ଥିତି ବିଗିଡ଼ିବା ଦେଖି ପୋଲିସ ସବୁ ଦିଗରୁ ବିମାନବନ୍ଦରକୁ ଘେରି ରହିଥିଲା। ପୋଲିସର ସୂଚନାନୁସାରେ କାର୍ରେ ଥିବା ବ୍ୟକ୍ତି ଟର୍ମିନାଲ୍ ୧ ରେ ପହଞ୍ଚିଥିଲେ। ପ୍ରଥମେ ଫଲ୍ସ ଫାୟାରିଂ କରିବା ସହିତ ମନଇଚ୍ଛା ଏଣେତେଣେ ଗୁଳିମାଡ଼ କରିଥିଲେ। ବ୍ୟକ୍ତି ଜଣକ ମଧ୍ୟ ତାଙ୍କ କାରରୁ ଦୁଇଟି ଜଳନ୍ତା ବୋତଲ ମଧ୍ୟ ଫିଙ୍ଗିଥିଲେ। ତଥାପି, ଏହି ସବୁ ଜିନିଷ ଦ୍ୱାରା କାହାରି କିଛି କ୍ଷତି ହୋଇନାହିଁ।
ପୋଲିସ ଏହା ମଧ୍ୟ କହିଛି ଯେ, ଜଣେ ଚାରି ବର୍ଷର ଶିଶୁ ମଧ୍ୟ ୩୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ସହିତ କାରରେ ଆସିଥିଲେ। ପୋଲିସ ଏହା ମଧ୍ୟ କହିଛି ଯେ ଏହାରି ଭିତରେ ପୁଲିସ୍ ଜଣେ ମହିଳାଙ୍କଠାରୁଏକ କଲ୍ ପାଇଥିଲେ, ଯିଏ କି ତାଙ୍କ ସ୍ୱାମୀ ତାଙ୍କ ପିଲାକୁ କାର୍ରେ ନେଇ କେଉଁଆଡ଼େ ଯାଉଥିଲେ, ତାହା ଅଭିଯୋଗ ହୋଇଥିଲା। ପୋଲିସ କହିଛି ଯେ ଉକ୍ତ ବ୍ୟକ୍ତି ଜଣକୁ ହେପାଜତକୁ ନିଆଯାଇଛି।
ଏହି ଘଟଣା ପରେ ବିମାନବନ୍ଦରରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିମାନବନ୍ଦରର ସମସ୍ତ ଟର୍ମିନାଲର ଫାଟକକୁ ପୋଲିସ ସିଲ୍ କରିଛି। ସୁରକ୍ଷା ବ୍ୟବସ୍ଥା ବଢ଼ା ଯାଇଛି। ସୁରକ୍ଷା କାରଣରୁ ସମସ୍ତ ବିମାନକୁ ବାତିଲ କରିଦିଆଯାଇଛି, ଫଳରେ ପ୍ରାୟ ୨୭ ବିମାନ ପ୍ରଭାବିତ ହୋଇଛି। ଏଥି ସହିତ ଅନ୍ୟ ସହରରୁ ଆସୁଥିବା ବିମାନଗୁଡ଼ିକୁ ଅନ୍ୟ ବିମାନ ବନ୍ଦରକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି।