ମାଲକାନଗିରି/ ଚିତ୍ରକୋଣ୍ଡା : ଗତକାଲି ରାତି ଠାରୁ ସ୍ୱାଭିମାନ ଅଞ୍ଚଳରେ ପୁଣି ଲଗାଣ ବର୍ଷା ଆରମ୍ଭ ହୋଇ ଯାଇଛି। ନଦୀ ନାଳ ଗୁଡିକ ଫୁଲିବାକୁ ବସିଛି। କହି ରଖୁଛୁ କି , ମାଲକାନଗିରି ଜିଲ୍ଲାରେ ଗତ ସେପ୍ଟେମ୍ବର ୮ ଓ ୯ ତାରିଖ ଦିନ ପ୍ରବଳ ବର୍ଷା ହେବା ଦ୍ୱାରା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲାରେ ବହୁ କ୍ଷୟକ୍ଷତି ହୋଇଥିବା ବେଳେ, ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି।
ବହୁ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଘର ଭାଙ୍ଗି ଯାଇଛି। ଫସଲର ମଧ୍ୟ କ୍ଷତି ଘଟିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ସ୍ୱାଭିମାନ ଅଞ୍ଚଳ ବୁଲି କ୍ଷୟ କ୍ଷତିର ଆକଳନ ଆରମ୍ଭ କରିଛନ୍ତି। ଜିଲ୍ଲାରେ ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମାଲକାନଗିରି ଆସି ୭ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାର ଏହି ଚିତ୍ରକୋଣ୍ଡା ବ୍ଲକରେ ଥିବା ସ୍ଵାଭିମାନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି ଉପ ଜିଲ୍ଲାପାଳ ଦୁର୍ଯୋଧନ ଭୋଇ ଓ ସ୍ଥାନୀୟ ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି। ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ସ୍ଵାଭିମାନ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ସେଠାରେ ଉପ-ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଛି।
ବିଶେଷ କରି ସ୍ଵାଭିମାନ ଅଞ୍ଚଳରେ ଥିବା ଜମି ଗୁଡ଼ିକ ଏହି ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି। ସେନେଇ ସମୀକ୍ଷା କରିବା ସହ କ୍ଷତିର ଆକଳନ କରାଯାଇଛି। ଚାଷ ଜମିର ତଥ୍ୟ ସଂଗ୍ରହ କରି କିପରି ଯଥାଶୀଘ୍ର ଲୋକଙ୍କୁ ସହାୟତା ପ୍ରଦାନ କରାଯିବ, ସେନେଇ ରିପୋର୍ଟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।