ନୂଆଦିଲ୍ଲୀ: କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶ ଏବେ ଆର୍ଥିକ ସଂକଟ ଦେଇ ଗତିକରୁଛି । ଏକଥା ଆମେ କହୁ ନାହୁଁ ବରଂ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଖୋଦ ମାନିଛନ୍ତି । ସ୍ଥିତି ଏପରି ହୋଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ସଂସଦୀୟ ସଚିବ ଏବଂ କ୍ୟାବିନେଟ ମନ୍ତ୍ରୀମାନେ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ଦରମା ଉଠାଇ ପାରିବେ ନାହିଁ । ରାଜ୍ୟର ଖରାପ ଆର୍ଥିକ ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଗୁରୁବାର ବଡ଼ ଘୋଷଣା କରିଛନ୍ତି । ଆଜି କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ରାଜ୍ୟର ଆର୍ଥିକ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଆଗାମୀ ଦୁଇ ମାସ ଯାଏଁ ଦରମା କିମ୍ବା ଟିଏ ଓ ଡିଏ ନେବାକୁ ମନ୍ତ୍ରୀମାନଙ୍କୁ ମନା କରାଯାଇଛି । ଏହାସହ ବିଧାନସଭାର ଅନ୍ୟ ସଦସ୍ୟଙ୍କୁ ସ୍ୱ-ଇଚ୍ଛାରେ ନିଜ ଦରମା ଏବଂ ଭତ୍ତା ଛାଡ଼ି ରାଜ୍ୟର ଏହି ସଂକଟରେ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସୁଖୁ ଅପିଲ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟ ବିଧାନସଭାରେ ଏହି ଘୋଷଣା କରିବା, ହିମାଚଳ ପ୍ରଦେଶର ସ୍ଥିତିକୁ ଦର୍ଶାଉଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୨୨ ଜୁନ୍ ପରେ ଜିଏସଟି କ୍ଷତିପୂରଣ ବନ୍ଦ ହେବା ଯୋଗୁଁ ରାଜ୍ୟକୁ ରାଜସ୍ୱ କ୍ଷତି ସହିବାକୁ ପଡ଼ୁଛି । ଏଥିରେ ରାଜ୍ୟକୁ ବାର୍ଷିକ ପ୍ରାୟ ୨୫୦୦-୩୦୦୦ କୋଟି ଟଙ୍କା କ୍ଷତି ହେଉଛି । ପୁରୁଣା ପେନ୍ସନ୍ ଯୋଜନା ଲାଗୁ କରିବା ଦ୍ୱାରା ମଧ୍ୟ ରାଜ୍ୟର ଋଣ କ୍ଷମତା ପ୍ରାୟ ୨୦୦୦ କୋଟି ଟଙ୍କା ହ୍ରାସ ପାଇଛି । ଏହି ସବୁ ଆହ୍ୱାନ କଥା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ଆର୍ଥିକ ସଂକଟରୁ ମୁକୁଳିବା ସହଜ ନୁହେଁ । ସେ ବିଧାନସଭାକୁ ଭରସା ଦେଇ କହିଛନ୍ତି ଯେ, ରାଜ୍ୟ ସରକାର ରାଜସ୍ୱ ବୃଦ୍ଧି କରିବା ଏବଂ ବ୍ୟୟ କମ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଏହାର ପରିଣାମ ଆସିବାରେ ସମୟ ଲାଗିବ ।
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ କହିଛନ୍ତି ଯେ, ୨୦୨୩-୨୪ରେ ରାଜସ୍ୱ କ୍ଷତି ଅନୁଦାନ ୮୦୫୮ କୋଟି ଥିଲା । ଯାହା ଚଳିତ ବର୍ଷ କମ ହୋଇ ୬୨୫୮ କୋଟି ଟଙ୍କା ହୋଇଛି । ଅର୍ଥାତ୍ ୧୮୦୦ କୋଟି ଟଙ୍କା କମ ହୋଇଛି । ଆସନ୍ତା ବର୍ଷ ଏହି ଅନୁଦାନରେ ଆହୁରି ୩୦୦୦ କୋଟି ଟଙ୍କା କମ ହେବାର ଆଶଂକା ରହିଛି । ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ, ପିଡିଏନ୍ଏରେ ରାଜ୍ୟକୁ ୯୦୪୨ କୋଟି ଟଙ୍କାର ଆବଶ୍ୟକତା ରହିଛି, କିନ୍ତୁ କେନ୍ଦ୍ର ସରକାରଙ୍କ ପାଖରୁ ଏବେ ସୁଦ୍ଧା କୌଣସି ଧନରାଶି ମିଳି ନାହିଁ । ଏହା ବ୍ୟତୀତ ଏନପିଏସ ଅଧିନରେ ପ୍ରାୟ ୯୨୦୦ କୋଟି ଟଙ୍କା ପେନ୍ସନ୍ ନିଧି ନିୟାମକ ଏବଂ ବିକାଶ ପ୍ରାଧିକରଣଠାରୁ ମିଳିବା ବାକି ରହିଛି ବୋଲି ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ।
ସେପଟେ ଆଜି ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଏହି ଘୋଷଣା ପରେ ବିରୋଧୀ ବିଜେପିର ବିଧାୟକମାନେ ଗୃହତ୍ୟାଗ କରିତିଳେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ଜୟରାମ ଠାକୁର ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଉପରେ ବର୍ଷଛନ୍ତି । ସେ କହିଛନ୍ତି, ମୁଁ ଖବର ପାଇଛି ସେମାନେ ଦୁଇ ମାସ ପର୍ଯ୍ୟନ୍ତ ଦରମା ନେବେ ନାହିଁ । ସମ୍ବିଧାନରେ କୌଣସି ପ୍ରବାଧାନ ନଥାଇ ଆପଣ ମୁଖ୍ୟ ସଂସଦୀୟ ସଚିବ ପଦବୀ ତିଆରି କରିଥିଲେ । ଅନେକ ଲୋକଙ୍କୁ କ୍ୟାବିନେଟ ଏବଂ ଅଧ୍ୟକ୍ଷ ଷ୍ଟାଟସ୍ ଦେଇ ସମସ୍ତ ପ୍ରକାର ସୁବିଧା ଦେଉଥିଲେ । ତେଣୁ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସମସ୍ୟାର ସମାଧାନ କରିପାରିବେ ନାହିଁ ବୋଲି ଜୟରାମ ଠାକୁର ଦାବି କରିଛନ୍ତି ।