ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କଂଗ୍ରେସ ସରକାର ରାଜ୍ୟର ଦୋକାନୀଙ୍କୁ ଦୋକାନ ଆଗରେ ନିଜର ନାଁ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାହକଙ୍କ ସୁବିଧା ଲାଗି ସାରା ରାଜ୍ୟରେ ଦୋକାନ ଆଗରେ ମାଲିକଙ୍କ ନାଁ ଲେଖିବା ବାଧ୍ୟତାମୂଳକ ବୋଲି କହିଛନ୍ତି ରାଜ୍ୟ ସରକାର । ମଙ୍ଗଳବାର ରାଜ୍ୟର ସହରୀ ବିକାଶ ଏବଂ ମହାନଗର ନିଗମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତର ପ୍ରଦେଶରେ ପ୍ରତ୍ୟେକ ଦୋକାନରେ ମାଲିକଙ୍କ ନାଁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବାକୁ ନେଇ ସରକାର ନିର୍ଦ୍ଦେଶ ଦେଇଥିଲେ । ଯୋଗୀ ଆଦିତ୍ୟନାଥ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । କିନ୍ତୁ ଏବେ କଂଗ୍ରେସ ନେତୃତ୍ବାଧୀନ ହିମାଚଳ ପ୍ରଦେଶରେ ଦୋକାନୀଙ୍କ ଲାଗି ସମାନ ନିୟମ ଲାଗୁ ହୋଇଛି ।
ନିୟମ ଲାଗୁ କରିବାକୁ ହିମାଚଳ ବିଧାନସଭାର ବାଚସ୍ପତି କୁଲଦୀପ ସିଂହ ପଠାନିଆ ମନ୍ତ୍ରୀ ବିକ୍ରମାଦିତ୍ୟା ସିଂହ ଏବଂ ଅନିରୁଧ ସିଂହଙ୍କ ସମେତ ୭ ଜଣିଆ କମିଟି ଗଠନ କରିଛନ୍ତି । ସେହିଭଳି ହକରମାନଙ୍କ ପାଇଁ ପରିଚୟ ପତ୍ରର ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ କହିଛନ୍ତି । ତିରୁପତି ଲଡୁ ବିବାଦ ପରେ ହିମାଚଳ ସରକାରଙ୍କ ଏହି ନିଷ୍ପତ୍ତି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
ଦେଶର ପ୍ରସିଦ୍ଧ ଧର୍ମସ୍ଥଳୀ ତିରୁପତି ବାଲାଜୀଙ୍କ ପାଖରେ ପ୍ରସାଦ ରୂପେ ବିତରଣ ହେଉଥିବା ଲଡୁ ପଶୁ ଚର୍ବି ଓ ମାଛ ତେଲରେ ତିଆରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଏକ ଘରୋଇ ଲ୍ୟାବ୍ ରିପୋର୍ଟରୁ ମଧ୍ୟ ଏନେଇ ସ୍ପଷ୍ଟ ହୋଇଛି । ଏହା ପରେ ସାରା ଦେଶରେ ଆକ୍ରୋଶ ବୃଦ୍ଧି ପାଇଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଥିପାଇଁ ପୂର୍ବର ଓ୍ବାଏସଆର କଂଗ୍ରେସ ସରକାରଙ୍କୁ ଦାୟୀ କରିଥିଲେ । ସେପଟେ ତିରୁପତି ଲଡୁ କିଭଳି ତିଆରି ହେଉଥିଲା ସେନେଇ ଆନ୍ଧ୍ର ସରକାରଙ୍କ ପାଖରୁ ବିସ୍ତୃତ୍ବ ରିପୋର୍ଟ ମାଗିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।