ନୂଆଦିଲ୍ଲୀ,୧୮/୦୩: ଅଭିବୃଦ୍ଧି ଯାତ୍ରା ଜାରି ରଖିଛି ଘରୋଇ ବଜାର । ଦେଶ ଏବେ ଯେଉଁ ହାରରେ ଅଭିବୃଦ୍ଧି ହାର ହାସଲ କରିଛି,ତାହା ନିବେଶ ବୃଦ୍ଧିର ପ୍ରତିଫଳନ । ୨୦୦୩ରୁ ୨୦୦୭ ମଧ୍ୟରେ ଦେଶ ଏଭଳି ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇଥିଲା । ବିକାଶ ହାର ଥିଲା ୮% । ଭାରତର ଅଭିବୃଦ୍ଧିକୁ ଆଖିଦୃଶିଆ ପୁଞ୍ଜି ଖର୍ଚ୍ଚ ବଳ ଦେଉଥିବା ମୋର୍ଗାନ ଷ୍ଟାନଲି ଏହାର ଦି ଭିୟୁ ପଏଣ୍ଟ ଇଣ୍ଡିଆ ରିପୋର୍ଟରେ ପ୍ରକାଶ କରିଛି ।
ଏବେ ଚାହିଦା ତୁଳନାରେ ନିବେଶକୁ ମିଳିଛି ପ୍ରାଥମିକତା । ସରକାରଙ୍କ ନିବେଶ ସହ ତାଳ ଦେଇ ଘରୋଇ କ୍ଷେତ୍ର ମଧ୍ୟ ନିବେଶ ବଢ଼ାଇଛି। ଏପଟେ ସହରାଞ୍ଚଳ ଗ୍ରାହକ ଚାହିଦା ଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରୁଛନ୍ତି । ଗ୍ରାମାଞ୍ଚଳର ଚାହିଦା ମଧ୍ୟ ଉନ୍ନତ ସ୍ଥିତିରେ ରହିଛି । ଅନ୍ୟପକ୍ଷରେ ବିଶ୍ୱର ରପ୍ତାନି ଦୃଶ୍ୟପଟରେ ଭାରତ ନିଜର ଉପସ୍ଥିତି ସୁଦୃଢ଼ କରୁଛି ।
ଏ କ୍ଷେତ୍ରରେ ଭାରତର ବଜାର ଅଂଶ ବୃଦ୍ଧି ହେଉଥିବା ବେଳେ ଦେଶର ଢ଼ାଞ୍ଚାଗତ ସ୍ଥିରତା ପ୍ରଭାବିତ ବାହ୍ୟ ସ୍ଥିତି ବିରୋଧରେ ଲଢ଼ିବାକୁ ସକ୍ଷମ ହେଉଛି । ବିଗତ କିଛି ବର୍ଷରେ ଦେଶର ମୋଟ ଜିଡିପିକୁ ନିବେଶର ଭାଗ ଦ୍ରୁତ ଭାବେ ବଢ଼ିଛି । ୨୦୦୩ରେ ଏହା ଥିଲା ୨୭% । ଯାହା ୨୦୦୮ରେ ୩୯%କୁ ବୃଦ୍ଧି ହୋଇଥିଲା । କିଛି ବର୍ଷ ଏ କ୍ଷେତ୍ରରେ ଏତେଟା ଅଭିବୃଦ୍ଧି ଦେଖାଗଲାନି ।
ମାତ୍ର ପୁଣି ଥରେ ଏହି ଧାରାରେ ଉନ୍ନତି ଦେଖାଯାଇଛି । ଏବେ ଜିଡିପି ନିବେଶ ଅନୁପାତ ୩୪% ଥିବା ବେଳେ ୨୦୨୭ ବେଳକୁ ଏହା ୩୬% ଯାଏ ଯିବାର ଢ଼େର ସମ୍ଭାବନା ରହିଛି । ୨୦୦୩ରୁ ୨୦୦୭ ଅବଧିରେ ପୁଞ୍ଜି ଖର୍ଚ୍ଚରେ ଅଭିବୃଦ୍ଧି ଯୋଗୁ ଏହା ଉତ୍ପାଦନ, ନିଯୁକ୍ତି ସୃଷ୍ଟି ଏବଂ ଆୟ ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ଯୋଗଦାନ ଦେଇଥିଲା ।
ନିଯୁକ୍ତି ସ୍ଥିତି ଉନ୍ନତ ହେବାରୁ ସଞ୍ଚୟ ଧାରାରେ ପରିବର୍ତ୍ତନ ଆସିଥିଲା । ୨୦୦୩ରେ ଜିଡିପି ସଞ୍ଚୟ ଅନୁପାତ ୨୩% ଥିବା ବେଳେ ୨୦୦୮ରେ ଏହା ୩୯% ଛୁଇଁଥିଲା । ଅଭିବୃଦ୍ଧି ଦୃଷ୍ଟିକୋଣକୁ ବିଚାର କଲେ ଦେଶ ହାରାହାରି ୮.୬% ଜିଡିପି ହାସଲ କରିଥିଲା । ୨୦୦୩-୦୭ ଅବଧିରେ ଖୁଚୁରା ମୁଦ୍ରାସ୍ଫୀତି ଥିଲା ୪.୮% ।
ଜୁଲାଇ ୨୦୦୮ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୪୫ ଡଲାର ଥିବା ସତ୍ତେ୍ୱ ମଧ୍ୟ କରେଣ୍ଟ ଆକାଉଣ୍ଟ ବାଲାନ୍ସ ସ୍ୱାଭାବିକ ସ୍ଥିତିରେ ଥିଲା । କରେଣ୍ଟ ଆକାଉଣ୍ଟ ଡେଫିସିଟ ସାମାନ୍ୟ ବଢ଼ି ୨.୪% ଛୁଇଁଥିଲା । ଏବେ ନୀତି ନିର୍ଦ୍ଧାରକ ଯୋଗାଣ କ୍ଷେତ୍ରରେ ସଂସ୍କାର ସହ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । ଦୀର୍ଘମିଆଦି ନିବେଶ ଘରୋଇ ପୁଞ୍ଜିଖର୍ଚ୍ଚ ଏବଂ ନିରନ୍ତର ଅଭିବୃଦ୍ଧିରେ ବେଶ ସହାୟ କ ହେଉଛି ।